ପୁରୀ : କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ସାଧାରଣ ଭକ୍ତଙ୍କ ଭଳି ସ୍ବତନ୍ତ୍ର କାଉଣ୍ଟରରେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ ଶ୍ରୀମନ୍ଦିରରେ ପ୍ରବେଶ କରି ଦର୍ଶନ ପରେ ଫେରି ଯାଇଛନ୍ତି। ତେବେ ଫେରିବା ବେଳେ ପାଇଲଟିଂ ଗାଡ଼ି ଧକ୍କାରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ତଳେ ପଡ଼ି ମୁଣ୍ଡ ଫାଟିଯିବାରୁ ବୃଦ୍ଧଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବୃଦ୍ଧ ଜଣକ ପୁରୀ ସଦର ଥାନା ବୀରହରେକୃଷ୍ଣପୁର ଗାଁ’ର ପ୍ରଫୁଲ୍ଲ ସାହୁ (୬୫) ବୋଲି ଜଣାପଡ଼ିଛି। ଆଜି ଅପରାହ୍ଣ ପ୍ରାୟ ୨ଟାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସିଂହଦ୍ବାରରେ ପହଞ୍ଚିବା ପରେ ସ୍ବତନ୍ତ୍ର କାଉଣ୍ଟରରେ କୋଭିଡ୍ ରିପୋର୍ଟ ଦେଖାଇ ଦର୍ଶନ ପାଇଁ ଯାଇଥିଲେ। ସାଙ୍ଗରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ଅନ୍ୟ ଦଳୀୟ ନେତାମାନେ ଉପସ୍ଥିତ ଥିଲେ। ଦର୍ଶନ ସାରି ଫେରିବା ପରେ ସର୍କିଟ୍ ହାଉସରେ କିଛି ସମୟ ରହି ଭୁବନେଶ୍ବର ଫେରି ଯାଇଥିଲେ। ତେବେ ଫେରିବା ବେଳେ ଜେଲ୍ ରୋଡ୍ରେ ପ୍ରଫୁଲ୍ଲଙ୍କୁ ଧର୍ମେନ୍ଦ୍ରଙ୍କ ପାଇଲଟିଂ ଗାଡ଼ି ଧକ୍କା ଦେଇଥିଲା। ଏକ ସ୍କୁଟିରେ ନିଜ ଦୋକାନକୁ ଯାଉଥିବା ବେଳେ ପାଇଲଟିଂ ଗାଡ଼ି ତାଙ୍କୁ ଆଗରୁ ଧକ୍କା ଦେବାରୁ ସେ ଗାଡ଼ି ସହ ତଳେ ପଡ଼ି ଯାଇଥିଲେ। ମୁଣ୍ଡ ଫାଟିଯିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଶରୀରର ଅନ୍ୟ ସ୍ଥାନରେ ବି ଗଭୀର ଆଘାତ ଲାଗିଛି। କୁମ୍ଭାରପଡ଼ା ଥାନା ପୁଲିସ ଓ ଟ୍ରାଫିକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଟ୍ରାଫିକ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।
ଧର୍ମେନ୍ଦ୍ରଙ୍କ ପାଇଲଟିଂ ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର
ମହାପ୍ରଭୁଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର
/sambad/media/post_attachments/wp-content/uploads/2020/07/dharmendra-pradhan-00.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)