ରାୟଗଡା: ରାୟଗଡ଼ା ବ୍ଲକର ଗାଜିଗାଁ ପଞ୍ଚାୟତର ଶତାଧିକ ବୃଦ୍ଧ ଓ ବୃଦ୍ଧାମାନେ ଗତ ୫ ମାସ ହେଲା ଭତ୍ତା ନପାଇ ହନ୍ତସନ୍ତ ହେଉଥିଲେ ମଧ୍ୟ ଏମାନଙ୍କର ଗୁହାରି କେହି ଶୁଣିନଥିଲେ। ଶେଷରେ ପଞ୍ଚାୟତର ସମସ୍ତ ବୃଦ୍ଧ ଓ ବୃଦ୍ଧାମାନେ ଏକତ୍ରୀତ ହୋଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ।
ସୂଚନା ଅନୁସାରେ ପଞ୍ଚାୟତ କାର୍ଯ୍ୟାଳୟରେ ଏମାନଙ୍କ ଗୁହାରି କେହି ଶୁଣିନଥିଲେ। ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଭତ୍ତା ଟଂକା ପାଇଁ ଦାବି କରୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିଲା। ତେବେ ସୋମବାର ବ୍ଲକ କାର୍ଯ୍ୟାଳୟରେ ଟଂକା ନଦେଲେ ହଟିବୁ ନାହିଁ ବୋଲି ବୃଦ୍ଧ ଓ ବୃଦ୍ଧମାନେ ଜିଦ ଧରିଥିଲେ। ବିଡିଓ ଲକ୍ଷ୍ମୀ ନାରାୟଣ ସାବତ ଏହି ଖବର ପାଇବା ପରେ ତୁରନ୍ତ ଭତ୍ତା ସେକ୍ସନକୁ ଯାଇ ଟଂକା କେଉଁଠି ଜମା ହେଉଛି ତାହାର ତଦନ୍ତ କରିଥିଲେ। ତେବେ ପୂର୍ବରୁ ଏହି ବୃଦ୍ଧ ଓ ବୃଦ୍ଧାମାନେ ପୋଷ୍ଟ ଅଫିସରୁ ଟଂକା ଉଠାଉଥିଲେ।କିନ୍ତୁ ଏବେ ଏହି ଭତ୍ତା ଟଂକାକୁ ସେମାନଙ୍କର ଆଉଏକ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି। ଏହି ବିଷୟ ସେମାନେ ଜାଣିନପାରି ବ୍ଲକ କାର୍ୟ୍ୟାଳୟକୁ ଆସିଥିବା ବିଡିଓ ଲକ୍ଷ୍ମୀ ନାରାୟଣ ସାବତ ଆମକୁ କହିଥିଲେ। ତେବେ ସେମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ଘରକୁ ଫେରିଥିବା ସେ କହିଥିଲେ।