ରାୟଗଡ଼ା: ରାୟଗଡ଼ା ସହର ନିକଟ ଗୁମ୍ଫାରୁ ମିଳିଛି ପ୍ରସ୍ତର ଯୁଗର କୀର୍ତ୍ତିରାଜ। ୪୦ ହଜାର ବର୍ଷ ପୁରୁଣା ଏହି କୀର୍ତ୍ତିରାଜି ମଧ୍ୟରେ ହାତ, ହତିଆର ସହିତ ଅନେକ ସାମଗ୍ରୀ ରହିଛି। ଯାହାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ରାୟଗଡ଼ା ସ୍ବଂୟ ଶାସିତ ମହାବିଦ୍ୟାଳୟ ଇତିହାସ ବିଭାଗର ଗବେଷଣାରତ ଛାତ୍ରଛାତ୍ରୀ। ଆଜି ଗବେଷକ ଛାତ୍ରଛାତ୍ରୀଙ୍କ ସହ ଜିଲ୍ଲାପାଳ ସ୍ବଧାଦେବ ସିଂ ଆଲୋଚନା କରି କୀର୍ତ୍ତିରାଜିର ସୁରକ୍ଷା ଦାୟିତ୍ବ ଏଏସଆଇକୁ ଦେବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥି ସହ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ବୈଷୟିକ ସହାୟତା ଯୋଗାଇ ଦେବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ରାୟଗଡ଼ା ସହର ନିକଟରେ ଥିବା ଧୁମାଗୁଡା, ଚେକାଗୁଡା, ଆଞ୍ଜିପେଟା ଗୁମ୍ଫା ଓ ଝଞ୍ଜାବତୀ ଅବବାହିକାରେ ପ୍ରାଚୀନ ସଭ୍ୟତାର କୀର୍ତ୍ତିରାଜି ରହିଛି। ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ କୀର୍ତ୍ତିରାଜ ଗୁଡ଼ିକ ଅସୁରକ୍ଷିତ ଅବସ୍ଥାରେ ଗୁମ୍ଫା ଭିତରେ ରହିଛି। ଚେକାଗୁଡା ଗ୍ରାମ ନିକଟ ଗୁମ୍ଫାରୁ ହାତ, ହତିଆର ମିଳିବା ପରେ ଏହାକୁ ନେଇ ଗବେଷଣା ଆରମ୍ଭ ହୋଇଛି। ଗୁମ୍ଫା ଭିତରକୁ ଯିବା ସମ୍ଭବ ନଥିବାରୁ ପ୍ରଶାସନ, ପ୍ରତ୍ନତତ୍ତ୍ବ ବିଭାଗ ସହାୟତାରେ କୀର୍ତ୍ତିରାଜି ଗୁଡ଼ିକ ଉଦ୍ଧାର କରିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ପାଇଁ ତତ୍ପରତା ପ୍ରକାଶ କରିଛି।

ଗତ ମାର୍ଚ୍ଚ ମାସରେ ରାୟଗଡ଼ା କଲେଜ ଇତିହାସ ବିଭାଗ ଅଧ୍ୟାପିକା ଡ. ଦମୟନ୍ତୀ ବାଗଙ୍କ ତତ୍ତ୍ବାବଧାନରେ ଇତିହାସ ବିଭାଗର ଛାତ୍ରଛାତ୍ରୀ ଏହି ସମସ୍ତ ଅଞ୍ଚଳ ପରିଦର୍ଶନ କରି ଗୁମ୍ଫା ସମ୍ମୁଖରେ ପଡିଥିବା କୀର୍ତ୍ତିରାଜି ଗୁଡ଼ିକୁ ଉଦ୍ଧାର କରି କଲେଜରେ ରଖିଛନ୍ତି। ମିଳିଥିବା ଉପକରଣ ମଧ୍ୟରେ ଜଙ୍ଗଲରୁ ଶିକାର ପାଇଁ ବ୍ୟବହୃତ ଧାରୁଆ ଟାଙ୍ଗିଆ ଆକୃତିର ପଥରରେ ତିଆରି ଅସ୍ତ୍ର, ସ୍କାରପର (ରାମ୍ପିବା ପାଇଁ ବ୍ୟବହୃତ ଉପକରଣ), ବୁରିନ (କାଠ ଖୋଦିତ ଉପକରଣ) ଏବଂ ଚିସେଲ (କଠିନ ବସ୍ତୁ ଭାଙ୍ଗିବ ଉପକରଣ) ରହିଛି। ସେହିପରି ଧୁମାଗୁଡା, ଆଞ୍ଜିପେଟା ଗାଁ ନିକଟରେ ଥିବା ଗୁମ୍ଫାରେ ମଧ୍ୟ ପ୍ରାଚୀନ କୀର୍ତ୍ତିରାଜି ଗଚ୍ଛିତ ରହିଛି। ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ଏହାକୁ ଉଦ୍ଧାର କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତାବ ଦେବ। କିଛି କୀର୍ତ୍ତିରାଜି ଗୁଡ଼ିକ ବାହାରେ ମଧ୍ୟ ପଡି ରହି ନଷ୍ଟ ହେବାରେ ଲାଗିଥିବା ଗବେଷଣାରତ ଛାତ୍ରଛାତ୍ରୀ କହିଛନ୍ତି।

ନାଗାବଳୀ-ଝଞ୍ଜାବତୀ ନଦୀ ଅବବାହିକାରେ ମଧ୍ୟ ପ୍ରାଚୀନ କୀର୍ତ୍ତିରାଜି ଠାବ ହୋଇଥିବାରୁ ଏହି ଅଞ୍ଚଳରେ ପ୍ରାଚୀନ ସଭ୍ୟତାର ଲୋକେ ବସବାସ କରୁଥିବା ନେଇ ପ୍ରମାଣ ମିଳିଛି। ଗୁମ୍ଫାରେ ଅନେକ ପ୍ରମାଣ ରହିଥିବା ବେଳେ ପ୍ରାଚୀନ କାଳରେ ତିଆରି ହୋଇଥିବା ପାହାଚ ଏବେ ବି ଦୃଶ୍ୟମାନ ହୋଇ ରହିଛି। ୩ଟି ଗୁମ୍ଫା ସମେତ ନଦୀ ଅବବାହିକା ଅଞ୍ଚଳ ଇତିହାସ ଓ ପ୍ରତ୍ନତତ୍ତ୍ବ ବିଭାଗ ଛାତ୍ରଛାତ୍ରୀଙ୍କ ଗବେଷଣା ପାଇଁ ମଧ୍ୟ ପ୍ରକୃଷ୍ଟ ସ୍ଥାନ ହୋଇଥିବାରୁ ଏହାର ବିକାଶ ନେଇ ଆଲୋଚନା କରିଛନ୍ତି ଜିଲ୍ଲାପାଳ। କୀର୍ତ୍ତିରାଜିର ସୁରକ୍ଷା ପାଇଁ କ’ଣ ସବୁ ପଦକ୍ଷେପ ନିଆଯିବ ସେ ନେଇ ଏକ ରିପୋର୍ଟ ଦେବାକୁ ଇତିହାସ ବିଭାଗ ଅଧ୍ୟାପିକା ଦମୟନ୍ତୀ ବାଗକୁ ଜିଲ୍ଲାପାଳ ସ୍ବଧାଦେବ ସିଂ ନିର୍ଦେଶ ଦେଇଛନ୍ତି। ଇତିହାସ ବିଭାଗର ରିପୋର୍ଟ ଅନୁଯାୟୀ ଏକ ପ୍ରସ୍ତାବ ରାଜ୍ୟ ସରକାର ଓ ପ୍ରତ୍ନତତ୍ତ୍ବ ବିଭାଗକୁ ଦିଆଯିବ। ବର୍ତ୍ତମାନ ରାୟଗଡ଼ା କଲେଜ ଇତିହାସ ବିଭାଗର ଛାତ୍ରଛାତ୍ରୀ ଏବଂ ଦିଲ୍ଲୀ ବିଶ୍ବବିଦ୍ୟାଳୟର ପିଏଚଡି ଛାତ୍ରଛାତ୍ରୀ ଗୁମ୍ଫା ପରିଦର୍ଶନ କରି କୀର୍ତ୍ତିରାଜି ସଂପର୍କରେ ଅନୁଧ୍ୟାନ କରିଛନ୍ତି।