ଭୁବନେଶ୍ୱର: ବ୍ଲକ୍ସ୍ତରରେ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ, ଆକାଂକ୍ଷୀ ପାଠ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ପୃକ୍ତି, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀଙ୍କ ବୈଠକ କରିବାକୁ ମୋ ସ୍କୁଲ୍ ଅଭିଯାନ ପରିଚାଳନା ସଙ୍ଗଠନର ୪୨ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ସ୍ଥିର ହୋଇଛି। ଗଣଶିକ୍ଷା ସଚିବ ଅଶ୍ୱଥୀ ଏସ୍ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବୈଠକରେ ରାଜ୍ୟର ୧୯୮ ବ୍ଲକ୍ରେ ସେପ୍ଟେମ୍ବର ୮ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ବ୍ଲକ୍ର ସମସ୍ତ ପୁରାତନ ଛାତ୍ରଛାତ୍ରୀ କମିଟିର ସଭାପତି ତଥା ପ୍ରତିନିଧିମାନେ ଏକାଠି ହୋଇ ବିଦ୍ୟାଳୟର ଉନ୍ନତି ଦିଗରେ ଆଲୋଚନା କରିବେ। କମିଟି ସଭାପତିମାନେ ‘ମୋ ସ୍କୁଲ୍’ ଅଭିଯାନ କାର୍ଯ୍ୟକ୍ରମରେ କରିଥିବା ଭଲ କାମକୁ ସମସ୍ତଙ୍କ ଆଗରେ ଉପସ୍ଥାପନ କରିବେ। ଏହାଦ୍ବାରା କମିଟି ସଭାପତି ତଥା ପ୍ରତିନିଧିଙ୍କ ମଧ୍ୟରେ ବିଦ୍ୟାଳୟର ଉନ୍ନୟନମୂଳକ କାର୍ଯ୍ୟର ଆଦାନପ୍ରଦାନ ହୋଇପାରିବ।
ସେପ୍ଟେମ୍ବର ୮ରେ ସମସ୍ତ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ହେବ। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି(ଏସ୍ଏମ୍ସି), ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ଓ ଜନପ୍ରତିନିଧିମାନେ ଯୋଗଦେଇ ବିଭିନ୍ନ ସ୍ତରରେ ଦିଆଯିବାକୁ ଥିବା ଏହି ପୁରସ୍କାର ଉପରେ ଆଲୋଚନା କରିବେ। ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପୁରାତନ ଛାତ୍ରଛାତ୍ରୀ କମିଟି ପାଇଁ ରାଜ୍ୟ, ଜିଲ୍ଲା ଓ ବ୍ଲକ୍ସ୍ତରରେ ପୁରସ୍କାର ରହିଛି। ଏହି ପୁରସ୍କାର କେମିତି ମିଳିପାରିବ, ସେନେଇ ସମସ୍ତ କମିଟି ଯୋଜନା ପ୍ରସ୍ତୁତ କରିବେ। ‘ପୋଷ୍ୟ ବିଦ୍ୟାଳୟ’ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ୫ରୁ ୮ ମଧ୍ୟରେ ସ୍କୁଲ୍ର ମାର୍ଗଦର୍ଶକ ଓ ପୁରାତନ ଛାତ୍ରଛାତ୍ରୀଙ୍କ ବୈଠକ ହେବ। ଏଥିରେ ବିଦ୍ୟାଳୟର ଅଗ୍ରଗତି ନେଇ ଆଲୋଚନା କରାଯିବ। ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅଧୀନରେ ଚଳିତ ବର୍ଷ ମାଧ୍ୟମିକ ବିଦ୍ୟାଳୟରେ ଆକାଂକ୍ଷୀ ପାଠ୍ୟକ୍ରମ ପ୍ରଚଳନ ହୋଇଛି। ବିଦ୍ୟାଳୟସ୍ତରରେ ୪ଟି କ୍ଲବ୍(କ୍ରୀଡ଼ାଙ୍ଗନ, କୌଶଳୀ, ସାହିତ୍ୟ ସୃଜନୀ, ଜିଜ୍ଞାସା)ର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ, ବିଦ୍ୟାଳୟ ପରିସର ବାହାରେ ହେବାକୁ ଥିବା ବିଭିନ୍ନ ଶିକ୍ଷା-ଭ୍ରମଣ(ଏଜୁକେସନ ଟୁର୍) ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହଯୋଗ ନେବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ବିଦ୍ୟାଳୟସ୍ତରରେ ନୂତନ ଭାବେ ପ୍ରଚଳନ କରାଯାଇଥିବା ହାଉସ୍ ବ୍ୟବସ୍ଥାରେ ରଙ୍ଗିନ ୟୁନିଫର୍ମ ବଣ୍ଟନ କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବ।
ଆକାଂକ୍ଷୀ ପାଠ୍ୟକ୍ରମର ‘ଜିଜ୍ଞାସା’ କ୍ଲବ୍ ଅଧୀନରେ ଜୈବ ବିବିଧତା ଶିକ୍ଷା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଓ ‘ମୋ ସ୍କୁଲ୍’ର ମିଳିତ ଉଦ୍ୟମରେ ‘ଛାତ୍ରଛାତ୍ରୀ ପ୍ରାଣୀ ଉଦ୍ୟାନ ପ୍ରତିନିଧି’(ଷ୍ଟୁଡେଣ୍ଟ ଜୁ ଆମ୍ବାସଡର) କାର୍ଯ୍ୟକ୍ରମ ଆୟୋଜନ କରାଯିବ। ନନ୍ଦନକାନନ ଆଖପାଖରେ ଥିବା କଟକ ଓ ଖୋର୍ଦ୍ଧା ଜିଲ୍ଲାର ୪୦ଟି ବିଦ୍ୟାଳୟକୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇ ଛାତ୍ରଛାତ୍ରୀଙ୍କୁ ଜୈବବିବିଧତା ଉପରେ ଶିକ୍ଷା ଦିଆଯିବ। ଓଡ଼ିଆ ମାଧ୍ୟମ ଉଚ୍ଚ ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ଶିକ୍ଷାକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଖାନ୍ ଏକାଡେମି ଓ ‘ମୋ ସ୍କୁଲ୍’ ମଧ୍ୟରେ ରାଜିନାମା ସମ୍ପର୍କିତ ପ୍ରସ୍ତାବକୁ କାର୍ଯ୍ୟନିର୍ବାହୀ ପରିଷଦ ମଞ୍ଜୁରି ଦେଇଛି। ଚଳିତ ମାସ ୧୦ହଜାର ୯୯୮ ପୁରାତନ ଛାତ୍ରଛାତ୍ରୀ ଓ ଉଦ୍ୟୋଗୀ ସଂସ୍ଥାମାନେ(ସିଏସ୍ଆର୍ କାର୍ଯ୍ୟକ୍ରମ) ୧୨ କୋଟିରୁ ଅଧିକ ଟଙ୍କା ବିଦ୍ୟାଳୟର ଉନ୍ନତି ପାଇଁ ଦେଇଛନ୍ତି। ‘ମୋ ସ୍କୁଲ୍’ ଅଭିଯାନ ପକ୍ଷରୁ ଦୁଇଗୁଣା ଅନୁଦାନ ମିଶାଇ ୩୬ କୋଟିରୁ ଅଧିକ ଟଙ୍କାର ୫,୮୫୭ଟି ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ସ୍କୁଲ୍ଗୁଡ଼ିକୁ ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ରାଜ୍ୟ ସରକାରକୁ ପ୍ରସ୍ତାବ ଦିଆଯିବ। ସରକାରୀ କୋଠା କିମ୍ବା ସରକାରୀ ଜମିରେ ଚାଲୁଥିବା ୧୨ଟି ଜିଲ୍ଲାର ୨୬ଟି ‘ସ୍ୱତନ୍ତ୍ର ସ୍କୁଲ୍’କୁ ସାମିଲ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।