ରାୟଗଡ଼ା: ରାୟଗଡ଼ା ସଦର ମହକୁମାରେ ଜଣେ ୭୦ ବର୍ଷିଆ ବୃଦ୍ଧା ମୁଣ୍ଡରେ ପରିବା ନେଇ ଲୋକଙ୍କୁ ପରିବା କିଣିବା ନେଇଡାକ ଛାଡ଼ିଥାଏ। ବୃଦ୍ଧା ଜଣକ ହେଉଛନ୍ତି ଆନ୍ଧ୍ରପ୍ରଦେଶର କମରେଡ ଗ୍ରାମର ଗୌରମା। ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ନିଜ ସ୍ବାମୀକୁ ହରାଇ ନିଜର ପିଲାଙ୍କୁ ପରିବା ବିକି ଆଜି ସେମାନଙ୍କୁ ନିଜ ଗୋଡରେ ଛିଡ଼ା କରାଇପାରିଛନ୍ତି। ତେବେ ଦୁଇ ପୁଅ ଏବେ ନିଜ ପରିବାରକୁ ନେଇ ଅନ୍ୟତ୍ର ରହୁଥିବା ବେଳେ ଗୌରମା ଏବେ ଏକାକୀ।
ତେବେ ବୟସର ସାୟାହ୍ନରେ ପହଞ୍ଚିଥିଲେ ମଧ୍ୟ କାମ କରି ହିଁ ନିଜର ପ୍ରତିପୋଷଣ କରିବା ଜିଦରେ ସେ ଆନ୍ଧ୍ରର କମରେଡ ଗ୍ରାମରୁ ପ୍ରତିଦିନ ବସରେ ରାୟଗଡାକୁ ଆସି ପରିବା ବିକ୍ରି କରନ୍ତି। ନିଜ ଅଂଚଳର ବିଭିନ୍ନ ରକମର ପରିବା ଟୋକେଇରେ ନେଇ ତାକୁ ମୁଣ୍ଡରେ ବୋହି ଗୋଟିଏ ସାହିରୁ ଅନ୍ୟ ସାହିକୁ ବୁଲନ୍ତି। ପରିବା ଟୋକେଇ ବହୁତ ଓଜନ ଥିଲେ ମଧ୍ୟ ସ୍ଥାନୀୟ ଯୁବକମାନେ ତାଂକୁ ଟୋକେଇ ମୁଣ୍ଡରେ ଲଦିବାରେ ସହଯୋଗ କରନ୍ତି। ତାଂକର ଏଭଳି ବୃଦ୍ଧା ଅବସ୍ଥାରେ କାମ କରୁଥିବା ଦେଖି ଲୋକେ ତାଂକ ଠାରୁ ହିଁ ପରିବା କିଣିବାକୁ ପସନ୍ଦ କରନ୍ତି। ସ୍ଥାନୀୟ ସଂତୋଷ ଦଳେଇ ଏବଂ ପ୍ରଶାନ୍ତ ସାହୁଙ୍କ କହିବା ଅନୁଯାୟୀ ପ୍ରତିଦିନ ସକାଳ ସାଢେ ଛଅଟା ବେଳେ ସେ ରାୟଗଡା ପହଞ୍ଚିଯାନ୍ତି। ଭୋର ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ସେ ବସକୁ ଅପେକ୍ଷା କରି ରାୟଗଡା ପହଞ୍ଚନ୍ତି। ଏହି ବୟସରେ ସେ ବସି ଖାଇବା ସହ ନିଜ ନାତି ନାତୁଣିଙ୍କ ସହ ସମୟ କାଟିବାର ବେଳ।କିନ୍ତୁ ସ୍ବାଭିମାନୀ ଗୌରମା କାହା ଉପରେ ବୋଝ ନହୋଇ ନିଜର ଗୋଡ ହାତ ଚାଲିବା ପର୍ଯ୍ୟନ୍ତ ଏଭଳି କାମ କରି ନିଜର ପ୍ରତିପୋଷଣ କରିବେ ବୋଲି କହିଥିଲେ। ତେବେ ସେ ତେଲୁଗୁ ଭାଷାରେ କଥା ହେଉଥିଲେ ମଧ୍ୟ ଲୋକେ ତାଂକର କଥା ବୁଝିପାରି ପରିବା କିଣନ୍ତି।ଗୌରମାଙ୍କ ଏହି ବୟସରେ ମଧ୍ୟ ହାରିନଥିବାରୁ ତାଂକୁ ସମସ୍ତେ ପ୍ରଶଂସା କରନ୍ତି।