ଏମକେସିଜିରେ ଚିକିତ୍ସିତ ହେଉଥିବା ୭୦ ବର୍ଷୀୟା ରାହାସ ନାୟକଙ୍କ ମୃତ୍ୟୁ

ବ୍ରହ୍ମପୁର: ଆଜି ସକାଳ ୯ଟା ସମୟରେ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ (ଏମକେସିଜି) ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୭୦ ବର୍ଷୀୟା ରାହାସ ନାୟକଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ପାହାନ୍ତାରେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କେ ନୂଆଗାଁ ଅଧିନସ୍ଥ ସିଏଚ ଟିକରପଡ଼ା ଗ୍ରାମ ପଞ୍ଚାୟତ ଅଞ୍ଚଳର ବଜ୍ରଗୁମା ଗାଁରେ ଗୋଟାଏ ମାଟିଘରର କାନ୍ଥ ଭାଙ୍ଗି ପଡ଼ିବାରୁ ଜଣେ ୧୦ ମାସର ପୁଅର ମୃତ୍ୟୁ ଘଟିଥିଲା ଏବଂ ସେ ପରିବାରର ଅନ୍ୟ ୪ ଜଣ ଆହତ ହୋଇଥିଲେ।
ମୃତ ବାଳକ ହେଉଛି ସତ୍ୟ ନାୟକ। ଏହି ଘଟଣାରେ ଆହତ ହୋଇଛନ୍ତି ତା’ର ବାପା ୩୦ ବର୍ଷିୟ ସନ୍ତୋଷ ନାୟକ, ୨୫ ବର୍ଷୀୟ ମାଆ ବନୀତା, ୭୦ ବର୍ଷୀୟ ଜେଜେମା ରାହାସ ଏବଂ ୫ ବର୍ଷୀୟ ଭଉଣୀ ପ୍ରିୟଙ୍କା।
ଲଘୁଚାପ ପ୍ରକୋପରୁ ଅନବରତ ବର୍ଷା ଯୋଗୁଁ ସେମାନେ ଶୋଇଥିବା ମାଟିଘରର କାନ୍ଥ ବତୁରି ଯାଇଥିଲା ଏବଂ ରାତି ପ୍ରାୟ ୪: ୩୦ରେ ତାହା ଭାଙ୍ଗି ସେମାନଙ୍କ ଉପରେ ପଡ଼ିଯାଇଥିଲା। ଘଟଣାସ୍ଥଳରେ ସତ୍ୟର ମୃତ୍ୟୁ ଘଟିଥିଲା।


ଗାଁ ଲୋକେ ଆହତମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସେଠାରେ ଚିକିତ୍ସିତ ହେଉଥିବା ୭୦ ବର୍ଷୀୟା ରାହାସ ନାୟକଙ୍କ ଆଜି ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର