ନୟାଗଡ଼ : ଗତ ନଭେମ୍ବର ୧୫ ତାରିଖରେ ରଣପୁର ବ୍ଲକ୍ ଅଧୀନ ପଟିଆ ପଞ୍ଚାୟତ କାର୍ଯ୍ୟାଳୟରେ ବାର୍ଦ୍ଧକ୍ୟ ଭତ୍ତା ନେବାକୁ ଆସିଥିବା ବେଳେ ହିତାଧିକାରୀ ପ୍ରେମଲତା ଲେଙ୍କାଙ୍କ ମୃତ୍ୟୁ ଘଟଣାକୁ ଆଜି ଏକ ମାସ ହେଉଛି। ଏହି ଘଟଣା ‘ସମ୍ବାଦ’ର ପ୍ରଥମ ପୃଷ୍ଠାରେ ପ୍ରକାଶିତ ହେବା ପରେ ବିଧାନସଭାରେ ଝଡ଼ ସୃଷ୍ଟି ହୋଇଥିଲା। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ ନେଇ ସରକାରଙ୍କଠାରୁ ଉତ୍ତର ମାଗିଥିଲେ। ରାଜ୍ୟ ସରକାରଙ୍କ ନିର୍ଦେଶ ପରେ ଇତି ମଧ୍ୟରେ ନୟାଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (ଡିଏସ୍ଏସ୍ଓ) ନୟାଗଡ଼ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଏସ୍ଏସ୍ଇପିଡି ବିଭାଗକୁ ତଦନ୍ତ ରିପୋର୍ଟ ପଠାଇଛନ୍ତି, ଯାହା ସମ୍ବାଦର ହସ୍ତଗତ ହୋଇଛି। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଯାଇଥିବା ଏହି ରିପୋର୍ଟରେ ଡାହା ମିଛ କଥା ଲେଖାଥିବା ଖୋଦ୍ ତଦନ୍ତ ରିପୋର୍ଟ ହିଁ ବୟାନ କରୁଛି। ସମସ୍ତଙ୍କ ଆଖି ଆଗରେ ପ୍ରେମଲତାଙ୍କର ପଟିଆ ପଞ୍ଚାୟତ କାର୍ଯ୍ୟାଳୟରେ ମୃତ୍ୟୁ ଘଟିଥିଲା। ଭତ୍ତା ପାଇଁ ଖରାରେ ଦୀର୍ଘ ସମୟ ଅପେକ୍ଷା କରି ଅସୁସ୍ଥ ହୋଇପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିବା ସେତେବେଳେ ପ୍ରତ୍ୟକ୍ଷଦର୍ଶୀ ବୟାନ ଦେଇଥିଲେ। ହେଲେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସାମାଜିକ ସୁରକ୍ଷା ବିଭାଗରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିବା ରିପୋର୍ଟରେ ପ୍ରେମଲତା ସେହି ଦିନ ନିଜ ସାବତ ପୁଅ ସହିତ ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ନେବା ପାଇଁ ଆସିଥିଲେ। ହେଲେ ଭତ୍ତା ଟଙ୍କା ପଞ୍ଚାୟତ କାର୍ଯ୍ୟାଳୟକୁ ଆସିନଥିବାରୁ ପ୍ରେମଲତା ନିଜ ପୁଅର ବାଇକ୍ରେ କୁଆଡ଼େ ଘରକୁ ଫେରୁଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟଠାରୁ ୧୫ ମିଟର୍ ଦୂରରେ ବାଇକ୍ରୁ ଖସି ପଡ଼ି ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ବାଇକରୁ ଖସି ପଡ଼ି ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଘଟଣାକୁ ଆଇଆଇସି ପ୍ରତ୍ୟାଖାନ କରିଛନ୍ତି।
ଭତ୍ତା ପାଇଁ ବୃଦ୍ଧା ମୃତ୍ୟୁ ଘଟଣା : ଥାନା ଅଧିକାରୀ କହିଲେ ବାଇକ୍ରୁ ପଡ଼ି ମୃତ୍ୟୁ ହୋଇନି
/sambad/media/post_attachments/wp-content/uploads/2018/12/dead-2.jpg)