ନୀଳଗିରି: ଭୋଟ ଦେବାକୁ ଆସି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନୀଳଗିରି: ଭୋଟ ଦେବାକୁ ଆସି ଚାଲିଗଲା ବୃଦ୍ଧାଙ୍କ ଜୀବନ। ବାଲେଶ୍ବର ଜିଲ୍ଲାର ନୀଳଗିରି ବ୍ଲକ ବରହମପୁର ଗାଁ ର ୭୦ ବର୍ଷୀୟା ସତ୍ୟଭାମା ବାରିକ ଆଜି ସକାଳେ ୭ ନଂ ବୁଥରେ ଭୋଟ ଦେବା ଲାଇନ ଛିଡ଼ା ହୋଇଥିବା ସମୟରେ ଟଳି ପଡ଼ିଥିଲେ। ତାଙ୍କୁ ବରହମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।

ରାଜ୍ୟରେ  ଜାରି ରହିଛି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ । ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ୧୨୫୪ଟି ପଞ୍ଚାୟତରେ ଭୋଟ ଗ୍ରହଣ ଚାଲିଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ । ୪ର୍ଥ ପର୍ଯ୍ୟାୟରେ ମୋଟ ୧୭,୦୮୯ଟି ବୁଥରେ ପ୍ରାୟ ୫୧.୩୧ ଲକ୍ଷ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ ।

ପୂର୍ବରୁ ଶେଷ ହୋଇଥିବା ୩ଟି ପର୍ଯ୍ୟାୟ ନିର୍ବାଚନରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିବାରୁ ୪ର୍ଥ ପର୍ଯ୍ୟାୟ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦବୋସ୍ତ କରାଯାଇଛି । ନିର୍ବାଚନକୁ ମୁକ୍ତ ଓ ଅବାଧ କରିବାକୁ ୨୫୭ ପ୍ଲାଟୁନ ଫୋର୍ସ ଓ ୧୪୭୩ଟି ମୋବାଇଲ ପାଟ୍ରୋଲିଂ ପାର୍ଟିକୁ ନିୟୋଜିତ କରାଯାଇଛି । ତିନିଟି ଯାକ ପର୍ଯ୍ୟା‌ୟରେ ୨୪୦ ପ୍ଲାଟୁନ୍ ଲେଖାଏଁ ପୁଲିସ ଫୋର୍ସ ମୁତୟନ ହେଉଥିବା ବେଳେ ଚତୁର୍ଥ ପର୍ଯ୍ୟାୟରେ ୨୫୭ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ନିର୍ବାଚନ ହେବାକୁ ଥିବା ଅଞ୍ଚଳରେ କଡ଼ା ଚେକିଂ କରାଯିବା ସହ ଯେପରି କୌଣସି ପ୍ରକାର ବିଶୃଙ୍ଖଳା ହେବନି ତାହା ଉପରେ ନଜର ରଖାଯାଇଛି। ସମ୍ବେଦନଶୀଳ ବୁଥ୍‌ଗୁଡ଼ିକରେ ସଶସ୍ତ୍ର ପୁଲିସ ମୁତୟନ କରାଯାଇଛି। ଅଧିକ ଉତ୍ତେଜନାପ୍ରବଣ ବୁଥ୍‌ଗୁଡ଼ିକରେ ଅଧିକ ପୁଲିସ ମୁତୟନ କରାଯିବା ସହ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର