ବ୍ରହ୍ମପୁରରେ ଚାଞ୍ଚଲ୍ୟ: ବୃଦ୍ଧାଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ

ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ଅଳକାପୁରୀ ସପ୍ତମ ଲାଇନ୍‌ରେ ରହୁଥିବା ଜନୈକା ବୃଦ୍ଧାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ବୃଦ୍ଧାଙ୍କ ନାମ ସୁରଜା ବେହେରା(୬୦) ବୋଲି ପୁଲିସ କହିଛି। ଏହି ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବ୍ରହ୍ମପୁର ଏସ୍.ପି. ପିନାକ ମିଶ୍ର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ପୁଲିସ ଏ ଦିଗରେ ତଦନ୍ତ ଜାରି ରଖିଛି।
ଅଳକାପୁରୀ ସପ୍ତମ ଲାଇନ୍‌ରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବିଜୟ ବେହେରା ଓ ପତ୍ନୀ ସୁରଜା ରହୁଥିଲେ। ତାଙ୍କର ପୁଅ ରଶ୍ମିରଂଜନ ବେହେରାଙ୍କ ଗତ ପ୍ରାୟ ୧ମାସ ତଳେ ବାହାଘର ହୋଇଛି। ପୁଅ ଭୁବନେଶ୍ବରରେ ଚାକିରି କରୁଥିବାରୁ ସେ ସେଠାରେ ପତ୍ନୀଙ୍କ ସହିତ ରହୁଛନ୍ତି। ଗତକାଲି ସଂଧ୍ୟାରେ ବିଜୟ କୌଣସି କାମରେ ବାହାରକୁ ଯାଇଥିଲେ। କିଛି ସମୟ ପରେ ସେ ତାଙ୍କ ପତ୍ନୀ ସୁରଜାଙ୍କୁ ଫୋନ୍ କରିଥିଲେ। ହେଲେ ସୁରଜା ଫୋନ୍ ଉଠାଇ ନଥିଲେ। ଏଥିରେ ବ୍ୟସ୍ତ ହୋଇ ବିଜୟ ପୁଅକୁ ଫୋନ୍ କରିଥିଲେ। ରାତି ପ୍ରାୟ ୮ଟା ବେଳେ ବିଜୟ ଘରକୁ ଫେରିଥିଲେ। ଘରକୁ ଫେରି ଦେଖିବା ବେଳେ ଘରର ମୁଖ୍ୟ ଫାଟକରେ ତାଲା ପଡ଼ିଛି। ଏଣୁ ସେ ପଡ଼ୋଶୀଙ୍କୁ ଡାକି ତାଲା ଭାଙ୍ଗି ଭିତରକୁ ପଶିଥିଲେ। ଭିତରକୁ ଯିବା ପରେ ଖଟ ଉପରେ ସୁରଜାଙ୍କ ରକ୍ତାକ୍ତ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ। ସୁରଜାଙ୍କ ବାମ ହାତର ଚିର କଟା ଯାଇଥିବା ବେଳେ ବେକ ମଧ୍ୟ କଟା ଯାଇଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେ ତୁରନ୍ତ ପୁଲିସକୁ ଖବର କରିଥିଲେ। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଯାଞ୍ଚ ପରେ ଘରୁ କୌଣସି ସାମଗ୍ରୀ ଚୋରି ହୋଇ ନଥିବା ପୁଲିସ କହିଛି। ଏଣୁ ଲୁଟ୍ ଉଦ୍ଦେଶ୍ୟରେ ହତ୍ୟା ହୋଇ ନଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। କେବଳ ସୁରଜାଙ୍କ ମୋବାଇଲ୍ ଫୋନ୍ ଗାଏବ ରହିଛି। କିଏ ଓ କାହିଁକି ସୁରଜାଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କଲା ସେ ଦିଗରେ ପୁଲିସ ତଦନ୍ତ ଜାରି ରଖିଛି। ଘଟଣାସ୍ଥଳରୁ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୁଲିସ ବିଭିନ୍ନ ନମୂନା ସଂଗ୍ରହ କରିଛି।

 

ସମ୍ବନ୍ଧିତ ଖବର