ରାଇଘର: କିଛିଦିନର ବ୍ୟବଧାନ ପରେ ପୁଣିଥରେ ନବରଙ୍ଗପୁର ଜିଲ୍ଲାର ଛତିଶଗଡ଼ ସୀମାନ୍ତରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ହାତୀପଲ ଆକ୍ରମଣରେ ଜଣକର ମୃତ୍ୟୁ ଘଟିଛି। ମୃତକ ହେଲେ ଖୁଡ଼ୁକୁ ଗ୍ରାମର ୫୦ ବର୍ଷୀୟା ବୃଦ୍ଧା ସୁବାଇ ଗଣ୍ଡ।
ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ରାଇଘର ବ୍ଳକରେ ଗତ ଦୁଇ ତଳେ ଉଦନ୍ତି ସୀତା ନଦୀ ଅଭୟାରଣ୍ୟରୁ ଛତିଶଗଡ଼ି ହାତୀପଲ ପଶି ଆସିଥିଲେ। କିନ୍ତୁ ଏ ନେଇ ରାଇଘର ବନ ବିଭାଗ ନିକଟରେ କୌଣସି ସୂଚନା ନଥିବା ଫଳରେ ବିଭାଗ ପକ୍ଷରୁ ସେ ଅଂଚଳରେ କୌଣସି ସଚେତନତା କରାଯାଇ ନଥିଲା। ଫଳରେ ସେ ଅଂଚଳର ଲୋକଙ୍କ ମଧ୍ୟରେ ସତର୍କତା ଅବଲମ୍ବନ ହୋଇ ପାରି ନଥିଲା।
ଏହି ଅବସରରେ ଗୁରୁବାର ରାତିରେ ପ୍ରାୟ ୩୦ ଟିକିଆ ହାତୀପଲ କୁନ୍ଦେଇ ବନ ବିଭାଗ କାର୍ଯ୍ୟଳୟରୁ ମାତ୍ର ପାଞ୍ଚ କିଲୋମିଟର ଦୂର ଖୁଡୁକ ଗ୍ରାମ ଭିତରକୁ ପଶିଆସି ଦୁଇଟି ଘର ଭାଙ୍ଗି ଧାନ ମକା ଖାଇବା ସହ ଫସଲ ନଷ୍ଟ କହିଛନ୍ତି। ଏଥିସହିତ ଉକ୍ତ ହାତୀପଲ ମଧ୍ୟରୁ ଏକ ହାତୀ ସେହି ଗ୍ରାମର ସୁବାଇ ଗଣ୍ଡକୁ ନିଜଚାଷ ଜମିରେ ଥିବା ଘରେ ଶୋଇଥିବା ଅବସ୍ଥାରେ ଶୁଣ୍ଢରୁ ଟେକିଆଣି ଦଳି ମାରି ଦେଇଛନ୍ତି। ହାତୀପଲ ଆକ୍ରମଣରେ ସୁବାଇର ଶରୀର ଖଣ୍ଡବିଖଣ୍ଡିତ ହୋଇ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ପାଇଁ ସେ ଅଂଚଳରେ ବନ ବିଭାଗକୁ ସିଧାସଳଖ ଦାୟୀ କରିଛନ୍ତି।
ପ୍ରକାଶ ଥାଉକି ଗତ ଦୁଇ ତିନି ବର୍ଷ ଧରି ଓଡ଼ିଶା ସୀମାନ୍ତରେ ଛତିଶଗଡ ହାତୀପଲର ପ୍ରବେଶ ଲାଗି ରହିଥିବା ବେଳେ ୨୦୨୨ ମସିହା ଡିସେମ୍ବର ୧୨ ତାରିଖ ଦିନ ସିଉନାପାଲି ଗ୍ରାମର ଜଣେ ବୃଦ୍ଧ କେଜୁରାମ ଗଣ୍ଡକୁ ଏକ ହାତୀପଲ ଦଳି ଦଳି ମାରି ଦେଇଥିଲେ। ଏହି ଘଟଣା ପରେ ବି ବନ ବିଭାଗ ହାତୀପଲ ପ୍ରବେଶକୁ ନେଇ ସେତେଟା ଗୁରୁତ୍ବ ଦେଉନଥିବା ବିଷୟ ଗୁରୁବାର ରାତିର ଘଟଣାରୁ ସ୍ପଷ୍ଟ ଅନୁମାନ ହୋଇ ପାରିଛି। ଖୁଡ଼ୁକୁ ସରପଞ୍ଚ ଦୟାରାମ ଗଣ୍ଡ ଓ କଂଗ୍ରେସ ନେତା ସନରାଜ ଗଣ୍ଡ ଏହି ଘଟଣା ପାଇଁ ସିଧାସଳଖ ବନ ବିଭାଗକୁ ଦାୟୀ କରିଛନ୍ତି। ବନ ବିଭାଗର ଅବହେଳା ଯୋଗୁଁ ହାତୀପଲ ଆକ୍ରମଣରେ ପୁଣି ଏକ ଜୀବନ ଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଘଟଣା ଘଟିବା ପରେ ଜିଲ୍ଲା ବନ ବିଭାଗ ପକ୍ଷରୁ ତପ୍ତରତା ପ୍ରକାଶ ପାଇଛି।