ବର୍ଷା ଭାଙ୍ଗିଲା ମାଟି ଘର; ପର ଘରେ ଆଶ୍ରୟ ନେଉଛନ୍ତି ବୃଦ୍ଧା, ୪ ମାସ ହେଲା ମିଳୁନି ବାର୍ଦ୍ଧକ୍ୟ ଭତ୍ତା

ପୂର୍ବରୁ ସ୍ବାମୀ-ପୁଅ-ଦୁଇ ଝିଅଙ୍କୁ ହରାଇଛନ୍ତି ବୃଦ୍ଧା

ରାଉରକେଲା: ବୃଦ୍ଧାଙ୍କ ବୟସ ୭୫ରୁ ଅଧିକ ହେବ। ପ୍ରାୟ ୫ ବର୍ଷ ପୂର୍ବେ ଭେଣ୍ଡିଆ ପୁଅ ବ୍ରେନ୍‌ ଟ୍ୟୁମରରେ ଆର ପାରିକି ଚାଲିଗଲେ। ଏହା ପୁର୍ବରୁ ଦୁଇ ଝିଅ ଓ ସ୍ବାମୀଙ୍କ ବି ମୃତ୍ୟୁ ହୋଇସାରିଛି। ଢ଼େର୍‌ ପୁରୁଣା ହୋଇଯାଇଥିବା ମାଟି ଘରେ ଏକାକି ରହୁଥିଲେ। ତେବେ ଗତକାଲିର ବର୍ଷାରେ ଏହା ଭାଙ୍ଗିଯାଇଛି। ଯେଉଁ କାନ୍ଥ ଟିକିଏ ଅଛି, ତାହା ‌ଯେ କୌଣସି ସମୟରେ ଭାଙ୍ଗିବାର ଆଶଙ୍କା ରହିଛି। ଫଳରେ ଭାଗ୍ୟକୁ ଆଦରି ଜଣେ ଦୂର ସମ୍ପର୍କୀୟଙ୍କ ଘରେ ଏବେ ମୁଣ୍ଡ ଗେଞ୍ଜିଛନ୍ତି। ଏହା ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର କୌଣସି ଉପାନ୍ତ ଗାଁର ଦୃଶ୍ୟ ନୁହେଁ, ବରଂ ଇସ୍ପାତସହରରେ ରହୁଥିବା ୭୫ ବର୍ଷୀୟ ବାସନ୍ତୀ ବଡ଼ାଇକଙ୍କ ଦୁଃଖଦ କାହାଣୀ।

ସେକ୍ଟର-୬ ଜି’ ବ୍ଳକ ପାଖ ବୀର୍ସା ନଗରରେ ରହନ୍ତି ବାସନ୍ତୀ(୭୫)। ପ୍ରାୟ ୧୦ ବର୍ଷ ପୂର୍ବେ ସ୍ବାମୀ, ଦୁଇ ସାବାଳିକା ଝିଅଙ୍କ ମୃତ୍ୟୁ ହୋଇଥିଲା। ପରେ ପୁଅ ବୀରେନ ବଡ଼ାଇକ ସହ ସେ ରହୁଥିଲେ। କିନ୍ତୁ ବ୍ରେନ୍‌ ଟ୍ୟୁମର ଯୋଗୁଁ ପୁଅର ଅକାଳ ବିୟୋଗ ପରେ ବାସନ୍ତୀ ଏକୁଟିଆ ହୋଇଯାଇଥିଲେ। ବାର୍ଦ୍ଧକ୍ୟ ଭତ୍ତା, ରାସନ ସାମଗ୍ରୀ ଯାହା ମିଳୁଥିଲା; ସେଥିରେ କଷ୍ଟେମଷ୍ଟେ ଚଳୁଥିଲେ। ତେବେ ଗତ ୩/୪ମାସ ହେଲା ତାଙ୍କୁ ଆଉ ଭତ୍ତା ବି ମିଳୁନି। ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି)କର୍ତ୍ତୃପକ୍ଷ ସିଧାସଳଖ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ପଠାଯିବବୋଲି କହୁଛନ୍ତି। କିନ୍ତୁ ବ୍ୟାଙ୍କ୍‌କୁ ଗଲେ ଟଙ୍କା ଜମା ହୋଇନଥିବା ଜାଣି ନିରାଶ ହୋଇ ଫେରୁଛନ୍ତି। ପରିଣତ ବୟସରେ ବ୍ୟାଙ୍କ୍‌, ଆର୍‌ଏମ୍‌ସି କାର୍ଯ୍ୟାଳୟକୁ ଧାଇଁ ନୟାନ୍ତ ହେଲେଣି। ଏସବୁ ଭିତରେ କଷ୍ଟେମଷ୍ଟେ କାଳାତିପାତ କରୁଥିବାବେଳେ ଗତକାଲିଠାରୁ ତାଙ୍କର ଦୁର୍ଦ୍ଧଶା ଦ୍ବିଗୁଣିତ ହୋଇଯାଇଛି।

ଗତକାଲିର ବର୍ଷାରେ ମାଟି ଘରଟି ଭାଙ୍ଗିଯାଇଛି। ବର୍ତ୍ତମାନ ପାଇଁ ସେ ଜଣେ ଦୂର ସମ୍ପର୍କୀୟଙ୍କ ଘରେ ଏକ ଆଶ୍ରୟ ନେଇଛନ୍ତି। ତେବେ ଭବି‌ଷ୍ୟତକୁ ନେଇ ସେ ଏବେ ସନ୍ଦିହାନ ହୋଇପଡ଼ିଥିବା କହିଛନ୍ତି। କେମିତି ଘର ତିଆରି କରିବେ? କେବେ ତିଆରି ହେବ? ବାର୍ଦ୍ଧକ୍ୟ ଭତ୍ତା ମିଳିବ ନା ନାହିଁ? ଏଭଳି ଅନେକ ଚିନ୍ତା ବାସନ୍ତୀଙ୍କ ନିଦ ହଜାଇ ଦେଇଥିବା କହିଛନ୍ତି। ସୂଚନା ପାଇ ରଘୁନାଥପାଲି ବିଧାୟକଙ୍କ ପ୍ରତିନିଧି ସନ୍ତୋଷ ତନ୍ତୀ ତାଙ୍କର କିଛି ସହଯୋଗୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏନେଇ ତହସିଲ କର୍ତ୍ତୃପକ୍ଷଙ୍କ ସାକ୍ଷାତ ଆଲୋଚନାକରି ଯଥାଶୀଘ୍ର ରହିବା ବ୍ୟବସ୍ଥା କରିବାକୁ ଦୃଷ୍ଟି ଆକର୍ଷଣ କରିଛନ୍ତି।

କେବଳ ବାସନ୍ତୀଙ୍କ ଘର ନୁହେଁ, ବରଂ ସ୍ଥାନୀୟ ବସ୍ତିର ୪ଟି ଘର ଓ ହମିରପୁର କୁମ୍ଭାର ବସ୍ତିର ୫ଟି ଘର ଭାଙ୍ଗିଥିବା ଜଣାପଡ଼ିଛି। ପ୍ରକାଶଥାଉକି, ସପ୍ତାହ ପୂର୍ବେ ରାଜ୍ୟସାରା ଲଘୁଚାପ ଜନିତ ବର୍ଷା ହୋଇଥିଲା। ଏହି କ୍ରମରେ ଇସ୍ପାତ ସହରରେ ମଧ୍ୟ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା। ଉକ୍ତ ବର୍ଷାରେ ଏସବୁ ମାଟି ଘରଗୁଡ଼ିକ ଅତି ଦୁର୍ବଳ ହୋଇପଡ଼ିଥିଲା। ଗତକାଲିର ବର୍ଷାରେ କିନ୍ତୁ ଏସବୁ ଘର ଭାଙ୍ଗିଯାଇଛି।

ସମ୍ବନ୍ଧିତ ଖବର