ଦଶପଲ୍ଲା : ଅଣ୍ଟାସଳଖି ଛିଡା ହେବାକୁ ଆଉ ବଳ ନାହିଁ କି ଆଖିକୁ ଠିକ୍ ଭାବେ ଦିଶୁନି। ପଖାଳ ବେଲା ସାଙ୍ଗକୁ କଂଚା ଲଙ୍କା ଖଣ୍ତିକରେ ମେଣ୍ତୁଛି ତୃଷ୍ଣା। ମୁଣ୍ତଗୁଂଜି ରହିବାକୁ ନିଜସ୍ବ ବାସଗୃହ ଖଣ୍ଡେ ନାହିଁ କି ସାହା ବୋଲି କେହି ନାହାନ୍ତି। ସ୍ବାମୀଙ୍କ ମୃତ୍ୟୁକୁ ଏହା ମଧ୍ୟରେ ୨୦ ବର୍ଷ ବିତିଯାଇଥିବା ବେଳେ ରାସ୍ତାକଡ ଜରିପାଲ ଘେରା ଭଙ୍ଗା ଦଦରା କୁଡିଆରେ ବିତୁଛି ବୃଦ୍ଧାଙ୍କ ଜୀବନ। ଦିନେ ଖାଇଲେ ଦିନେ ଉପବାସ ରହିବାକୁ ପଡୁଛି। ଏହା କୈାଣସି ଉପାନ୍ତ ଅଂଚଳର ଘଟଣା ନୁହେଁ। ଖୋଦ୍ ଦଶପଲ୍ଲା ବିଜ୍ଞାପିତ ଅଂଚଳ ପରିଷଦ ଅଧୀନସ୍ଥ ୮ ନମ୍ବର ୱାର୍ଡ ଟାଙ୍ଗିଆପଲ୍ଲୀଠାରେ ଥିବା ପୂର୍ତ୍ତ ଡାକ ବଙ୍ଗଳା ପାର୍ଶ୍ବସ୍ଥ ଘୁଗୁଡିପଡା ରାସ୍ତାରେ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ମାହେଲି ବେୱା(୭୦)ଙ୍କ ସ୍ବାମୀ ଗଣପତି ବେହେରାଙ୍କ ଦୀର୍ଘ ବର୍ଷ ହେଲା ମୃତ୍ୟୁ ଘଟିଛି। ଏହାରି ମଧ୍ୟରେ ନିଜର ପୁଅ, ଝିଅ କେହି ନଥିବା ବେଳେ ସାବତ ପୁଅ ଠିକ୍ ଭାବେ ପଚରାଉଚରା କରୁନଥିବା କହିଛନ୍ତି। ଡାକ ବଙ୍ଗଳା ପାଚେରିକୁ ଲାଗି ଏକ କୁଡିଆଟିଏ କରି ସେଠାରେ ବସବାସ କରି ଆସୁଛନ୍ତି। ମାତ୍ର ଘରଟି ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି। ଅସରାଏ ବର୍ଷା ହେଲେ ଘରସାରା କାଦୁଅ ପଚପଚ ହେଉଛି। ଏହା ମଧ୍ୟରେ ଖାଇପିଇ ବସବାସ କରିବାକୁ ପଡୁଛି। କେତେବେଳେ ଯେ ଏହା ଭୁଶୁଡ଼ି ପଡିବ ତାହା କହିବା ମୁସ୍କିଲ୍ ହୋଇପଡିଛି। ବିଭିନ୍ନ ସମୟରେ ବହୁ ନେତାଙ୍କୁ ଅଭିଯୋଗ କରିଥିବା କଥା କହିଛନ୍ତି। ହେଲେ ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ସରକାରୀ ସହାୟତା କହିଲେ ୫ କିଲୋ ଚାଉଳ ସାଙ୍ଗକୁ ୫ ଶହ ଭତ୍ତା ଟଙ୍କା ସାହାରା ସାଜିଛି। ଦାଣ୍ତଘାଟରୁ ଫୁରିଡାଙ୍ଗି ଗୋଟାଇ ସେଥିରେ ଭାତମୁଠେ ରାନ୍ଧୁଥିବା ବେଳେ ଅସରାଏ ବର୍ଷା ହେଲେ ତାହା ବନ୍ଦ ରହୁଛି। ସାହିପଡୋଶୀ ଯଦି ହାତଟେକା ମୁଠେ ଖାଇବାକୁ ଦିଅନ୍ତି ସେଥିରେ ସେ ଚଳି ଯଆନ୍ତି। ନଚେତ୍ ସେହିଦିନ ସେ ଉପବାସରେ ରାତି କାଟନ୍ତି।
ଏଭଳି ଅର୍ଦ୍ଧାହାରରେ ଦୀର୍ଘ ବର୍ଷ ଧରି କାଳାତିପାତ କରୁଥିବା ବେଳେ ଦୀପତଳ ଅନ୍ଧାର ଭଳି ସେ ଅଣଦେଖା ହୋଇ ପଡିରହିଛନ୍ତି। ଗୋଟିଏ ପାର୍ଶ୍ବରେ ସହରାଂଚଳରେ ଜାଗା ମିସନ ଯୋଜନାରେ ବସ୍ତିବାସିନ୍ଧାଙ୍କ ପାଇଁ ଭୂମି ପ୍ରମାଣପତ୍ର ଓ ଆଦର୍ଶ ବସତି ସ୍ଥାପନ ପାଇଁ ନିୟମ ରହିଥିବା ବେଳେ ଏସବୁ ଯୋଜନା କାହା ପାଇଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ଦିଗରେ ତୁରନ୍ତ ଏନ୍ଏସି କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ହୋଇପଡିଛି।