ବ୍ରହ୍ମପୁର: ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା ପଛପାଖରେ ଥିବା ରାଜୀବ ଆବାସ ଯୋଜନା (ରେ) ଘରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହକୁ ନେଇ ସାନଭାଇକୁ ଡମ୍ବଲରେ ମୁଣ୍ଡ ଓ ଛାତିକୁ ଛେଚି ମଝିଆ ଭାଇ ହତ୍ୟା କରିଛି। ହତ୍ୟା ପରେ ଥାନାରେ ଯାଇ ଆତ୍ମସମର୍ପଣ କରିବା ଭଳି ଚାଞ୍ଚଲ୍ୟକର ଘଟଣା ସହରବାସୀଙ୍କୁ ସକାଳୁ ସକାଳୁ ସ୍ତବ୍ଧ କରିଦେଇଛି। ମୃତକ ହେଲେ ନେହରୁନଗର ୧୦ମ ଗଳି ସ୍ଥିତ ‘ରେ’ ବ୍ଲକ୍-ବି ର ୧୦୬ନଂ ଘରେ ରହୁଥିବା ସୀମା ବେହେରାଙ୍କ ସାନ ପୁଅ ସୁରେନ୍ଦ୍ର ବେହେରା ଓରଫ୍ ବୁଡ଼ୁ (୩୧)। ହତ୍ୟା ପରେ ଦେହ ଓ ମୁହଁ ସାରା ରକ୍ତଛିଟା ପଡ଼ିଥିବା ଅବସ୍ଥାରେ ଥାନାରେ ଯାଇ ଆତ୍ମସମର୍ପଣ କରିଥିଲା ହତ୍ୟାକାରୀ ମଝିଆ ଭାଇ ପୂର୍ଣ୍ଣ ବେହେରା(୩୫)। ନିଜ ସାନ ଭାଇକୁ ହତ୍ୟା କରିଥିବା ଥାନାରେ ହାଜର ହୋଇ ପୁଲିସକୁ ସୂଚନା ଦେଇଥିଲା। ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା, ଥାନା ଆଇଆଇସି ସ୍ମୃତିପ୍ରଭା ପ୍ରଧାନଙ୍କ ନେତୃତ୍ବରେ ପୁଲିସ ଘଟଣାସ୍ଥଳରେ ପହଁଚି ମୃତ ଦେହ ଜବତ କରିଥିଲେ। ସାଇଣ୍ଟିଫିକ୍ ଟିମ୍ ଯାଂଚ କରି ଆବଶ୍ୟକ ନମୁନା ସଂଗ୍ରହ କରିବା ପରେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ବଡ଼ ଡାକ୍ତରଖାନା ପଠାଇଥିଲା। ମୃତକଙ୍କ ମା’ ଥାନାରେ କରିଥିବା ଅଭିଯୋଗ ଅନୁସାରେ ଏକ ମାମଲା (କେସ୍ ନଂ-୯୪/୨୩) ରୁଜୁ ହୋଇଥିବା ବେଳେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା।
ସୂଚନା ମୁତାବକ, ସୀମାଙ୍କୁ ରାଜୀବ ଆବାସ ଯୋଜନାରେ ମିଳିଥିବା ଘରେ ତିନି ପୁଅ ଏକାଠି ରହୁଥିଲେ। ଆଜି ଭୋର୍ରୁ ଉଠି ସୀମା ନିଜ କାମରେ ବାହାରକୁ ଚାଲି ଯାଇଥିଲେ। ବଡ଼ପୁଅ ଜଣେ ଭିନ୍ନକ୍ଷମ ହୋଇଥିବା ବେଳେ ସେ ମଧ୍ୟ କୌଣସି କାମରେ ଚାଲି ଯାଇଥିଲେ। ସୀମା ସକାଳ ପ୍ରାୟ ୯ଟା ବେଳକୁ ଘରକୁ ଫେରି ଦେଖିଲା ବେଳକୁ ବୁଡ଼ୁଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିଲା। ସେ ଉପାୟଶୂନ୍ୟ ହୋଇ ତୁରନ୍ତ ଗୋସାଇଁ ନୂଆଗାଁ ଥାନାକୁ ଯାଇ ଏ ସମ୍ପର୍କରେ ପୁଲିସକୁ ଜଣାଇଥିଲେ। ସେତେବେଳେ ମଝିଆ ପୁଅ ପୂର୍ଣ୍ଣ ଥାନାରେ ବସିଥିବା ଏବଂ ସେ ଏକ ଡମ୍ବଲରେ ସାନଭାଇର ମୁଣ୍ଡକୁ ଛେଚି ହତ୍ୟା କରିଥିବା କହି ଥାନାରେ ଆତ୍ମସମର୍ପଣ କରିଥିବା ଜାଣିବାକୁ ପାଇଥିଲେ। ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ତେବେ ‘ରେ’ ଘରଟି ମା’ ସୀମାଙ୍କ ନାମରେ ଥିବା ବେଳେ ଏହାର ନୋମିନି ଭାବେ ସାନ ଭାଇ ବୁଡ଼ୁଙ୍କୁ ରଖିଥିଲେ। ଏଥିପାଇଁ ଅଭିଯୁକ୍ତ ପୂର୍ଣ୍ଣ ପୂର୍ବରୁ ମଧ୍ୟ ନିଶାସକ୍ତ ହୋଇ ସାନଭାଇ ସହ ଝଗଡ଼ା କରୁଥିଲା। ଏହି କାରଣରୁ ସାନଭାଇକୁ ହତ୍ୟା କରିଥିବା ନେଇ ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ପୁଲିସ ଅଧିକ ତଦନ୍ତ ଜାରି ରଖିଛି।