ପୁରାତନ ବିଦ୍ୟାର୍ଥୀମାନେ ଫକୀରମୋହନଙ୍କୁ ପ୍ରତିଦ୍ବନ୍ଦ୍ବୀ ଭାବନ୍ତୁ: ସୌମ୍ୟରଞ୍ଜନ

ଏଫ୍‌ଏମ୍‌ୟୁରେ ପ୍ରାକ୍ତନ ବିଦ୍ୟାର୍ଥୀ ସମ୍ମିଳନୀ

ବାଲେଶ୍ୱର: ଗୋଟିଏ ବିଶ୍ବବିଦ୍ୟାଳୟର ଗୁରୁତ୍ବ ବଢ଼ାଇବା ପାଇଁ ପୁରାତନ ଛାତ୍ରଛାତ୍ରୀମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ପୁରାତନ ଛାତ୍ରଛାତ୍ରୀମାନେ ଏକ ବିଶ୍ବବିଦ୍ୟାଳୟ ପାଇଁ ସମ୍ପଦ ସଦୃଶ। ଏହାର ଗୁରୁତ୍ବକୁ ଅନୁଷ୍ଠାନର କର୍ତ୍ତୃପକ୍ଷ ଏବଂ ପୁରାତନ ଛାତ୍ରଛାତ୍ରୀ ବୁଝିବା ଆବଶ୍ୟକ। କେବଳ ବଡ଼କୋଠା ଏବଂ ସବୁଜିମା ଭରା ପରିବେଶ ମଧ୍ୟରେ ବିଶ୍ବବିଦ୍ୟାଳୟ ସୀମିତ ରହିବା ଉଚିତ୍‌ ନୁହେଁ। ପୁରାତନ ଛାତ୍ରଛାତ୍ରୀ ଏବଂ ବିଶ୍ବବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକାମାନେ ବିଶ୍ବବିଦ୍ୟାଳୟ ପରିସରରେ ଯଦି ଏକ ଶୈକ୍ଷିକ ପରିବେଶ ତିଆରି କରି ନପାରିବେ ତାହାହେଲେ ଏହି ଅନୁଷ୍ଠାନ ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଗଢ଼ା ଯାଇଥିଲା ତାହା ସଫଳ ହୋଇପାରିବ ନାହିଁ। ଶନିବାର ଅପରାହ୍‌ଣରେ ଫକୀରମୋହନ ବିଶ୍ବବିଦ୍ୟାଳୟ ପୁରୁଣା କ୍ୟାମ୍ପସ ପରିସରରେ ଅନୁଷ୍ଠିତ ପ୍ରାକ୍ତନ ବିଦ୍ୟାର୍ଥୀ ସମ୍ମିଳନୀ-୨୦୨୨ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଥିଲେ।

ସେ କହିଲେ, କ୍ୟାମ୍ପସ ଭିତରେ ଯେଉଁ ମୌଳିକ ମୂଲ୍ୟବୋଧ ବିଷୟରେ ଆମେ ଅଧ୍ୟୟନ କରୁ ବା ଆଲୋଚନା କରୁ, ସେହି ମୂଲ୍ୟବୋଧର ବାହାରେ ଘଟୁଥିବା ଅବକ୍ଷୟ ବା ବିଲକ୍ଷଣଗୁଡ଼ିକର ପ୍ରତିକାର ପାଇଁ ଏକ ନାଗରିକ ସମାଜର ଉଦ୍ଭବ ହେବା ଆବଶ୍ୟକ। ଯାହାର ମୁଖ୍ୟସୂତ୍ରଧର ଏକ ବିଶ୍ବବିଦ୍ୟାଳୟ ବା ଶିକ୍ଷାନୁଷ୍ଠାନ ହେବା ଦରକାର। କିନ୍ତୁ ଏବେ ବିଶ୍ବବିଦ୍ୟାଳୟ କ୍ୟାମ୍ପସଗୁଡ଼ିକରେ ଅଣଛାତ୍ରମାନଙ୍କର ପ୍ରାଦୁର୍ଭାବ ଅଧିକ ଦେଖିବାକୁ ମିଳୁଥିବା ବେଳେ ପ୍ରକୃତ ଛାତ୍ରମାନଙ୍କର ଭୂମିକା ଖୁବ୍‌ କମ୍‌ ଦେଖିବାକୁ ମିଳେ। ଏଥିସହ ବର୍ତ୍ତମାନ ସମୟରେ ଯିଏ ‌ଯେଉଁ କାମ କରିବା କଥା ସେମାନେ କରୁନାହାନ୍ତି। ଆମ ସାମାଜିକ ଜୀବନରେ ଯେଉଁ ଅନୁଷ୍ଠାନମାନ ଗଢ଼ି ଉଠିଥିଲା, ସେଠାରୁ ଯାହା ସବୁ ଅପେକ୍ଷା ରଖାଯାଇଥିଲା କୌଣସି କାରଣରୁ ତାହା ହେଉନାହିଁ। ସବୁ ଅନୁଷ୍ଠାନଗୁଡ଼ିକ ଏବେ ଅବକ୍ଷୟମୁଖୀ ହୋଇଯାଇଛି। ବ୍ୟାସକବି ଫକୀରମୋହନ ଓ ଗୋଦାବରୀଶ ମିଶ୍ରଙ୍କ ଭଳି ଏ ମାଟିର ଅନେକ ବରପୁତ୍ରଙ୍କ ଜୀବନୀକୁ ଅନୁଧ୍ୟାନ କଲେ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଓଡ଼ିଶାର ଜାତୀୟ ଜୀବନ, ସମ୍ମାନ ଓ ସ୍ବାଭିମାନ ପାଇଁ ସେମାନେ ଯାହା କରିଥିଲେ ତାହା ଆଜିର ଛାତ୍ରଛାତ୍ରୀମାନେ ଜାଣିବା ଜରୁରି।

ତେଣୁ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀ ଭାବେ ଯଦି ନିଜକୁ ଗର୍ବ ଅନୁଭବ କରିବାକୁ ଚାହୁଛେ ତାହେଲେ ଫକୀରମୋହନଙ୍କୁ ନିଜ ପ୍ରତିଦ୍ବନ୍ଦ୍ବୀ ଭାବି ତାଙ୍କର ସମକକ୍ଷ ହେବାକୁ ବା ତାଙ୍କୁ ଅତିକ୍ରମ କରିବାକୁ ସମସ୍ତେ ଅଗ୍ରସର ହେବାକୁ ସେ ଆହ୍ବାନ ଦେଇଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଂଜନ କହିଲେ ବିଶ୍ବବିଦ୍ୟାଳୟକୁ ଲୋକଲୋଚନକୁ ଆଣିବା କ୍ଷେତ୍ରରେ ପୁରାତନ ଛାତ୍ରଛାତ୍ରୀମାନଙ୍କର ଅତୁଳନୀୟ ଭୂମିକା ରହିଛି। ଏଠାରେ ପାଠପଢ଼ି ଅନେକ ଛାତ୍ରଛାତ୍ରୀ ବିଭିନ୍ନ ପଦପଦବିରେ ନିଯୁକ୍ତି ପାଇଛନ୍ତି। ତେଣୁ ସବୁକିଛି ସରକାର କରିବେ, ଆମେ କେବଳ ରାଷ୍ଟକୃପା ଉପରେ ନିର୍ଭର କରି କିଛି କରିବା ନାହିଁ ଏହି ଭାବନା ପୁରାତନ ଛାତ୍ରଛାତ୍ରୀମାନଙ୍କ ମନରେ ଆସିବା ଅନୁଚିତ। ଫକୀରମୋହନଙ୍କ ପାଇଁ ଏ ଭା‌ଷା ଉଦ୍ଧାର ହୋଇଥିଲା ବୋଲି ଆଜି ଆମେ ସମସ୍ତେ ଓଡ଼ିଶା ଭଳି ଭୂମିଟିଏ ପାଇଛୁ। କିନ୍ତୁ ଯେଉଁ ଭାଷା ଏବଂ ଅନୁଷ୍ଠାନ ପାଇଁ ଆମେ ଗର୍ବ କରୁଛୁ, ତାର ସୁରକ୍ଷା ପାଇଁ କେହି ଯତ୍ନବାନ ହେଉନାହୁଁ। ଏବେ ତାର ଋଣ ପରିଶୋଧ କରିବାର ବେଳ ଆସିଛି ବୋଲି ପୁରାତନ ଛାତ୍ରଛାତ୍ରୀଙ୍କୁ ସେ କହିଥିଲେ।

ଫକୀରମୋହନ ବିଶ୍ବବିଦ୍ୟାଳୟ ପ୍ରାକ୍ତନ ଛାତ୍ର ସଂସଦର ସଭାପତି ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ଅଧ୍ୟକ୍ଷତାରେ ଏହି ସଭାରେ ଅନ୍ୟତମ ଅତିଥି ଭ‌ାବେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା‌ ଲାଭ କରି ଭିନ୍ନଭିନ୍ନ କ୍ଷେତ୍ରରେ ନିୟୋଜିତ ରହିଥିବା ହେତୁ କେଉଁକେଉଁ ନୂତନ ଦିଗ ଓ ନୂଆ ବିଷୟରେ ଏଠାରେ କାର୍ଯ୍ୟ କରାଯାଇ ପାରିବ ସେ ସମ୍ପର୍କିତ ଅଭିମତ ଦେବା ପାଇଁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶ୍ବବିଦ୍ୟାଳୟ ସ୍ନାତକତ୍ତୋର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଓ କୁଳସଚିବ କୁକୁମିନା ଦାସ ଉପସ୍ଥିତ ରହି ବିଶ୍ବବିଦ୍ୟାଳୟର ବିକାଶ ପାଇଁ ପୁରାତନ ଛାତ୍ର ସଂସଦର ଭୂମିକା ସମ୍ପର୍କରେ କହିଥିଲେ। ପ୍ରାକ୍ତନ ଛାତ୍ର ସଂସଦର ସମ୍ପାଦକ ଡ. ଦେବଦତ୍ତ ଦାସ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତ ରଖିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ପୁରାତନ ଛାତ୍ର ପ୍ରଦୀପ୍ତ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଶେଷରେ ମିନତୀ ମିଶ୍ର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ରହିତ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ସମ୍ବନ୍ଧିତ ଖବର