ରାଜ୍ୟର ସର୍ବ ପୁରାତନ ରେଳ ଷ୍ଟେସନ: ତିନୋଟି ରେଳ ଡିଭିଜନ ଅଧୀନରେ ଝାରସୁଗୁଡ଼ା ଜିଲ୍ଲା

ରେଳସେବା ପ୍ରଦାନରେ କୁଣ୍ଠିତ କାହିଁକି ?

ଝାରସୁଗୁଡା: ରେଳ ବା ରେଳଷ୍ଟେସନକୁ ଛାଡ଼ି ଝାରସୁଗୁଡ଼ାର ଇତିହାସ କହିବା ସମ୍ଭବ ନୁହେଁ। ରେଳ ଓ ଝାରସୁଗୁଡ଼ା ପରସ୍ପର ପରିପୂରକ ଅଟେ। ରେଳଷ୍ଟେସନକୁ ନେଇ ହିଁ ଝାରସୁଗୁଡ଼ାର ସୃଷ୍ଟି କହିଲେ ଅତ୍ୟୁକ୍ତି ହେବନାହିଁ। ଝାରସୁଗୁଡ଼ା ଠାରେ ଥିବା ରେଳଷ୍ଟେସନ ରାଜ୍ୟର ସର୍ବପୂରାତନ ରେଳଷ୍ଟେସନ ଭାବରେ ପରିଚିତ। ୧୩୦ ବର୍ଷ ପୂର୍ବେ ଏଠାରେ ରେଳଷ୍ଟେସନ ସ୍ଥାପନ ହୋଇଥିଲା। ସେତେବେଳେ ବେଙ୍ଗଲ-ନାଗପୁର ରେଳବାଇ ଦ୍ବାରା ନାଗପୁର ଅସାନସୋଲ ମୁଖ୍ୟ ରେଳପଥ ନିର୍ମାଣ ହେଲାପରେ ଝାରସୁଗୁଡ଼ାରେ ୧୮୯୧ରେ ରେଳଷ୍ଟେସନ ଆରମ୍ଭ ହୋଇଥିଲା।

ହାୱାଡ଼ା-ନାଗପୁର-ମୁମ୍ବାଇ ରେଳପଥ ନିର୍ମାଣ ପରେ ୧୯୦୦ ମସିହାରେ ଏହି ଷ୍ଟେସନ ଜଙ୍କସନ୍ ମାନ୍ୟତା ପାଇଥିଲା। ରେଳ ଯୋଗାଯୋଗରେ ଝାରସୁଗୁଡ଼ା ରାଜ୍ୟର ଏକ ପ୍ରମୁଖ ସହର ହୋଇଥିବା ବେଳେ ସାରା ପଶ୍ଚିମ ଓଡ଼ିଶାର ଯାତ୍ରୀ ଏହି ଷ୍ଟେସନ ଉପରେ ନିର୍ଭର କରୁଥିବା ବେଳେ ଏଠାରୁ ଦେଶର ସମସ୍ତ ପ୍ରମୁଖ ସହରକୁ ସଂଯୋଗ ଥିବାରୁ ଝାରସୁଗୁଡ଼ାକୁ ପଶ୍ଚିମ ଓଡ଼ିଶାର ଦ୍ବାର ବୋଲି ମଧ୍ୟ କୁହାଯାଇ ଥାଏ। ଏହା ବ୍ୟତୀତ କୋଇଲା ଖଣି ଓ କଳ କାରଖାନା ଯୋଗୁଁ ମଧ୍ୟ ରେଳପଥର ବିଶେଷ ଗୁରୁତ୍ବ ବୃଦ୍ଧି ପାଇଥିଲା। ଦୈନିକ ଶତାଧିକ ଯାତ୍ରୀବାହୀ ଓ ମାଲବାହୀ ଟ୍ରେନ୍ ଏହି ରେଳପଥ ଦେଇ ଯାତାୟତ କରିଥାଏ।

ଜିଲ୍ଲାରେ ରହିଛି ବ୍ରଜରାଜନଗର, ବେଲପାହାଡ଼ ଭଳି ଗୁରୁତ୍ବପୂର୍ଣ୍ଣ ରେଳଷ୍ଟେସନ ରହିଥିବା ବେଳେ ଏବେ ଝାରସୁଗୁଡ଼ା ରୋଡ଼୍ ଷ୍ଟେସନର ମଧ୍ୟ ଗୁରୁତ୍ବ ବୃଦ୍ଧି ପାଇଛି। ଅନେକ ଏକ୍ସପ୍ରେସ୍ ଟ୍ରେନ୍ ଅତ୍ୟାଧିକ ଟ୍ରାଫିକ୍ରୁ ରକ୍ଷା ପାଇବା ଓ ସମୟ ବଞ୍ଚାଇବା ପାଇ ଝାରସୁଗୁଡ଼ା ରୋଡ଼୍ରୁ ମୁମ୍ବାଇ ରେଳପଥ ଆଡ଼େ ଯାତାୟତ କରୁଛି। ଏଠାରେ ଥିବା ଇବ୍ ରେଳଷ୍ଟେସନ ଦେଶର ସବୁଠାରୁ ଛୋଟ୍ ନାମ ଥିବା ଷ୍ଟେସନ ଅଟେ। ଯାତ୍ରୀ ସଂଖ୍ୟା ଅଧିକ ସହିତ କୋଇଲା ଓ ଶିଳ୍ପ ସାମଗ୍ରୀର ପରିବହନ ଯୋଗୁଁ ସେହି ଅନୁପାତରେ ଝାରସୁଗୁଡ଼ା ଜିଲ୍ଲାରୁ ଅଧିକ ରାଜସ୍ବ ମଧ୍ୟ ରେଳବିଭାଗକୁ ଯାଇଥାଏ। ତେବେ ଜିଲ୍ଲାବାସୀ ଯେପରି ଭାବରେ ରେଳସେବା ଆଶା କରୁଛନ୍ତି ସେପରି ସେବା ରେଳବିଭାଗ ଦେବାରେ ଅସଫଳ ହୋଇଛି।

ସମ୍ବଲପୁର ପଶ୍ଚିମ ଓଡ଼ିଶାର ଏକ ମୁଖ୍ୟ ସହର ହୋଇଥିବା ବେଳେ ଝାରସୁଗୁଡ଼ା-ସମ୍ବଲପୁର ମଧ୍ୟରେ ନିବିଡ଼ ସଂପର୍କ ରହିଛି। ମାତ୍ର ଝାରସୁଗୁଡ଼ା ଠାରୁ ସମ୍ବଲପୁର ମଧ୍ୟରେ ଟ୍ରେନ୍ ସୁବିଧା ନାହିଁ କହିଲେ ଚଳେ। ଦିନ ବେଳା ଝାରସୁଗୁଡ଼ାରୁ ସମ୍ବଲପୁର ଯିବା ପାଇଁ କୌଣସି ଟ୍ରେନ୍ ନାହିଁ। ଭୋର ୪.୪୦ରେ ଛାଡ଼ୁଥିବା ଝାରସୁଗୁଡ଼ା-ସମ୍ବଲପୁର ଡିଏମ୍ୟୁ ଟ୍ରେନ୍ ଦେଢ଼ବର୍ଷ ହେଲା ବନ୍ଦ ରହିଛି। ଜିଲ୍ଲାର ବ୍ରଜରାଜନଗର ଓ ବେଲପାହାଡ଼ ରେଳଷ୍ଟେସନରେ ଅନେକ ଗୁରୁତ୍ବପୂର୍ଣ୍ଣ ଟ୍ରେନ୍ ରହଣୀ ବାତିଲ କରି ଦିଆଯାଇଛି। ଫଳରେ ଏହି ଦୁଇ ଷ୍ଟେସନ ଏବେ ଶ୍ରୀହିନ ହୋଇ ପଡ଼ିଛି।

କରୋନା ମହାମାରୀ ଯୋଗୁଁ ଗତ ବର୍ଷ ଠାରୁ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇ ପାରିନଥିବା ବେଳେ ଷ୍ଟେସନ ମାନଙ୍କରେ ଯାତ୍ରୀ ମାନଙ୍କ ପାଇଁ କୌଣସି ପ୍ରକାର ସୁବିଧା ନାହିଁ। ଝାରସୁଗୁଡ଼ା ରୋଡ଼୍ ରୁ ସହର ମଧ୍ୟକୁ ଥିବା ରାସ୍ତା ଅତି ବିପଦ ସଂକୁଳ ହୋଇଛି। ରାସ୍ତାଟି ନିଛାଟିଆ ହୋଇଥିବା ବେଳେ ଆଲୁଅ ବ୍ୟବସ୍ଥା ଓପରିବହନ ବ୍ୟବସ୍ଥା ନଥିବାରୁ ଅଧାରାତିରେ ଟ୍ରେନ୍ରେ ଆସୁଥିବା ଯାତ୍ରୀ ଅନେକ ସମୟରେ ଅସାମାଜିକ ବ୍ୟକ୍ତିଙ୍କ ଶିକାର ହୋଇଥାନ୍ତି। ପରିଚାଳନାଗତ ଅନେକ ସମସ୍ୟା ଯୋଗୁଁ ଏଠାକାର ରେଳ ଉପଭୋକ୍ତା ସବୁବେଳେ ହଇରାଣ ହୋଇଥାନ୍ତି। ଜିଳ୍ଲାର ବିଭିନ୍ନ ଷ୍ଟେସନ ବିଭିନ୍ନ ରେଳ ଡିଭିଜନ ଅଧିନରେ ରହିଥିବାରୁ ସମସ୍ୟା ସୃଷ୍ଟି ହୋଇଥାଏ।

ଝାରସୁଗୁଡ଼ା ରେଳ ଜଙ୍କସନ୍ ଚକ୍ରଧରପୁର ରେଳ ଡିଭିଜନ ଅଧୀନରେ ରହିଥିବା ବେଳେ ଝାରସୁଗୁଡ଼ା ରୋଡ଼୍ ଷ୍ଟେସନ ସମ୍ବଲପୁର ରେଳ ଡିଭିଜନ୍ରେ ଓ ବ୍ରଜରାଜନଗର, ବେଲପାହାଡ଼ ବିଲାସପୁର ରେଳ ଡିଭଜନ ଅଧୀନରେ ରହିଛି। ଝାରସୁଗୁଡ଼ା ଜିଲ୍ଲାରୁ ରେଳ ବିଭାଗ ଅଧିକ ରାଜସ୍ବ ଆଦାୟ କରୁଥିବା ବେଳେ ରାଜ୍ୟର ସର୍ବ ପୁରାତନ ଷ୍ଟେସନ ହୋଇଥିବାରୁ ରେଳ ବିଭାଗ ଏହି ଜିଲ୍ଲା ପ୍ରତି ସ୍ବତନ୍ତ୍ର ଦଅଷ୍ଟି ଦେବା କଥା। ଝାରସୁଗୁଡ଼ା କୁ ଏକ ସ୍ବତନ୍ତ୍ର ଡିଭିଜନର ମାନ୍ୟତା ଦେବାକୁ ମଧ୍ୟ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି।

ସମ୍ବନ୍ଧିତ ଖବର