ରାସ୍ତାରେ ପଡ଼ି ବୃଦ୍ଧ ମୃତ : ୩ ଘଣ୍ଟା ପରେ ଭତ୍ତା ଟଙ୍କା ଉଠାଣ

ବରୀ : ଭତ୍ତା ପାଇଁ ଯାଉଥିଲାବେଳେ ବାଟରେ ପ୍ରାଣ ହରାଇଛନ୍ତି ବୃଦ୍ଧ। କିନ୍ତୁ, ମୃତ୍ୟୁର ୩ ଘଣ୍ଟା ପରେ କେହି ତାଙ୍କ ନାଁରେ ଜାଲ୍‌ ଟିପ ଚିହ୍ନ ଦେଇ ଭତ୍ତା ଟଙ୍କା ଉଠାଇ ନେଇଛି। ବୃଦ୍ଧଙ୍କ ମୃତ୍ୟୁ ଘଟଣା ସମ୍ପୃକ୍ତ ଅଞ୍ଚଳରେ ଯେତିକି ଶୋକାକୁଳ ପରିବେଶ ସୃଷ୍ଟି କରିଛି, ଏହିଭଳି ଚଞ୍ଚକତାକୁ ନେଇ ବି ସେତିକି ଚର୍ଚ୍ଚା ଶୁଣିବାକୁ ମିଳିଛି। କିଏ ଭତ୍ତା ଟଙ୍କା ନେଇଗଲା ଏବଂ ଦାୟିତ୍ବରେ ଥିବା ସରକାରୀ ଅଧିକାରୀ କିଭଳି ଜାଣିପାରିଲେନି, ଏହାକୁ ନେଇ ବି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯାଜପୁର ଜିଲ୍ଲା ବରୀ ବ୍ଲକ ଅଟିରା ପଞ୍ଚାୟତ ଗହପାଳ ଗ୍ରାମରେ ଆଜି ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି। ଅଟିରା ପଞ୍ଚାୟତ ଗହପାଳ ଗ୍ରାମର ନବକିଶୋର ଦାସ। ବୟସ ୮୧ ଟପିଲାଣି। ଚମ ଧୁଡ଼ୁଧୁଡୁ ହୋଇଗଲାଣି। ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଭତ୍ତା ପାଇଁ ପଞ୍ଚାୟତ ଅଫିସକୁ ଯାଉଥିଲେ। ଘର ପାଖରୁ କିଛି ଦୂର ଗଲା ପରେ ସେ ରାସ୍ତାରେ ପଡ଼ିଯାଇଥିଲେ। ଖବର ପାଇ ପରିବାର ଲୋକେ ପହଞ୍ଚି ତାଙ୍କୁ ବରୀ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସମୟ ସକାଳ ପାଖାପାଖି ୯ଟା ୪୦ ମିନିଟ ହେବ ବୋଲି ତାଙ୍କର ନାତି ବିଶ୍ବଜିତ୍ ଦାସ ସୂଚନା ରଖିଛନ୍ତି। ଗୁରୁତ୍ବପୂର୍ଣ୍ଣ ହେଉଛି ତାଙ୍କ ମୃତ୍ୟୁକୁ ନେଇ ଯେତିକି ଚର୍ଚ୍ଚା ହେଉଛି, ତାଠୁଁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି ମୃତ୍ୟୁର ୩ ଘଣ୍ଟା ପରେ ଶବ ସରକାର ଖାତାରେ ଟିପ ଚିହ୍ନ ଦେଇ ଟଙ୍କା ନେବା ଘଟଣା।

ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ମନୋରଂଜନ ସେଠୀ ବ୍ୟାଙ୍କରୁ ଟଙ୍କା ଉଠାଣ କରି ଦିନ ପାଖାପାଖି ୧୧ଟା ବେଳେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଭତ୍ତା ବଣ୍ଟନ ଆରମ୍ଭ କରିଥିଲେ। ଲୋକମାନ ଭିଡ଼ ଭିତରେ କୁଆଡେ ନବ କିଶୋର ଦାସ ନିଜର ଦେହ ଭଲ ନାହିଁ କହି ତାଙ୍କ ଖାତାରେ ଦସ୍ତଖତ କରିବା ବଦଳରେ ଟିପଚିହ୍ନ ଦେଇ ୫୦୦ ଟଙ୍କା ଭତ୍ତା ନେଇଛନ୍ତି ବୋଲି ଶ୍ରୀ ସେଠୀ କହୁଛନ୍ତି।

ସକାଳ ୯ଟା ୪୦ରେ ରାସ୍ତାରେ ପଡ଼ିଯାଇ ମୃତ୍ୟୁ ଶଯ୍ୟାରେ ଶୋଇଥିବା ସ୍ବର୍ଗତ ଦାସ କିପରି ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଲେ ଏବଂ ପୂର୍ବରୁ ପ୍ରତିଥର ଦସ୍ତଖତ କରି ଭତ୍ତା ‌ନେଉଥିବା ବ୍ୟକ୍ତି ଆଜି ଟିପଚିହ୍ନ ଦେଇ ଟଙ୍କା ନେଲେ, ତାହା ସନ୍ଦେହ ସୃଷ୍ଟି କରିଛି। ସେପଟେ ବୃଦ୍ଧଙ୍କ ଟିପଚିହ୍ନ ଓ ସରକାରୀ ଖାତାରେ ଆଜି ଦିଆଯାଇଥିବା ଟିପଚିହ୍ନ ଭିତରେ ମେଳ ନାହିଁ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର