ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ପରେ ଶବ ବ୍ୟବଛେଦ ପାଇଁ ପରିବାର ଲୋକଙ୍କ ଦାବି

ଚନ୍ଦାହାଣ୍ଡି:  ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ଥାନା ଅଧୀନସ୍ଥ କୋଇଲିମୁଣ୍ଡା ଗ୍ରାମର ଦିୟାଳୁ ଟାକ୍ରି (୬୫)ଙ୍କର ଆଜି ସକାଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବହୁ ଦିନ ହେବ କୋଇଲିମୁଣ୍ଡା ଗ୍ରାମର ଅଳ୍ପ ଦୂରରେ ୩୩ କେଭି ବିଦ୍ୟୁତ ତାର ଛିଣ୍ଡି ଜମି ଉପରେ ପଡ଼ିଥିଲା।

ଗ୍ରାମ ବାସୀଙ୍କ ସମେତ ମୃତକ ବାରମ୍ବାର ବିଦ୍ୟୁତ ବିଭାଗକୁ ଏନେଇ ଅବଗତ କରିଥିଲେ ମଧ୍ୟ ବିଭାଗ ତରଫରୁ ବିଦ୍ୟୁତ ସରବରାହ ବିଛିନ୍ନ କରାଯାଇନଥିଲା । ମୃତକ ନିଜେ ନିଜର ବାର୍ଦ୍ଧକ୍ୟ ଭତ୍ତା ଟଙ୍କାରୁ ଜନୈକ ଲାଇନ ମ୍ୟାନଙ୍କୁ ବିଦ୍ୟୁତ ସରବରାହ ବିଛିନ୍ନ କରିବା ପାଇଁ ଦୁଇ ଶହ ଟଙ୍କା ଦେଇଥିବା ତାଙ୍କ ପୁଅ ପ୍ରକାଶ କରିଛନ୍ତି । ଦୀର୍ଘ ସମୟ ବିତିଯାଇଥିଲେ ବି ବିଦ୍ୟୁତ ବିଭାଗ ଅଧିକାରୀ ପହଞ୍ଚି ନ ଥିବାରୁ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ନ ଦେବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ପାଇଁ ଛାଡ଼ିବୁ ନାହିଁ ବୋଲି ପରିବାରବର୍ଗ ଜିଦରେ ଅଡ଼ି ବସିଛନ୍ତି।

ସମ୍ବନ୍ଧିତ ଖବର