ଯୋକଡ଼ିଆ : କୁଆଖିଆ ଥାନା ପ୍ରଥମାଖଣ୍ତି ପଞ୍ଚାୟତ ଅନ୍ତର୍ଗତ ଗୋପାଳପୁର ଗ୍ରାମର କହ୍ନେଇ ବେହେରା (୬୦)ଙ୍କର ଡିନାମାଇଟ୍‌ ଫୁଟି ଜୀବନ ଯାଇଛି। ତେବେ ଏହା ଦୁର୍ଘଟଣା ନା ହତ୍ୟାକାଣ୍ଡ ସେ ନେଇ ସନ୍ଦେହ ପ୍ରକାଶ ପାଇଛି। ଡିନାମାଇଟ୍‌ ବିସ୍ଫୋରଣରେ କହ୍ନେଇଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ୧୨/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ୍‌ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ସଦର ମହକୁମା ଡାକ୍ତରଖାନାକୁ ପଠାଇ ଦେଇଛି।

Advertisment

ପୁଲିସରେ ହୋଇଥିବା ଅଭିଯୋଗ ଅନୁଯାୟୀ, କହ୍ନେଇ ମାଛ ବେପାର କରି ପରିବାର ପ୍ରତିପୋଷଣ କରନ୍ତି। ଗତ କିଛି ଦିନ ହେବ ସେ ବେପାର ନ କରୁ ନଥିଲେ। ଏହାକୁ ନେଇ ପରିବାରରେ ଅଶାନ୍ତି ଲାଗି ରହିଥିଲା। ପତ୍ନୀ, ପୁଅ ଓ ଅନ୍ୟମାନେ ଗତକାଲି ରାତିରେ ଘରେ ଶୋଇଥିବା ବେଳେ କହ୍ନେଇ ଏକ ଡିନାମାଇଟ ପକାଇଥିଲେ। ମାତ୍ର ତାହା ନ ଫୁଟି ଘର ବାହାରେ ପଡ଼ିଥିଲା। ପରେ‌ ସେ ଅନ୍ୟ ଏକ ଘରେ ଶୋଇବାକୁ ଚାଲି ଯାଇଥିଲା। ବିଳମ୍ବିତ ରାତିରେ ଘରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରକୁ ଥରାଇ ଦେଇଥିଲା। ଅନ୍ୟମାନଙ୍କ ନିଦ ଭାଙ୍ଗି ଯାଇଥିଲା। ସେମାନେ ଯାଇ ଦେଖନ୍ତି ତ କହ୍ନେଇର ଅନ୍ତବୁଜୁଳା ବାହାରି ପଡ଼ିଛି, ଶରୀର ଖଣ୍ଡ ବିଖଣ୍ଡ ହୋଇଯାଇଛି। ପରେ କହ୍ନେଇଙ୍କ ପତ୍ନୀ ଓ ପୁଅ ଅଫୁଟା ଡିନାମାଇଟ ଧରି ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି।

ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାସ୍ଥଳରୁ ଶବ ଜବତ କରି ଯାଜପୁର ପଠାଇବା ସହିତ ଅଧିକ ତଦନ୍ତ ଜାରି ରଖିଛି। କୁଆଖିଆ ଥାନାର ଏସ୍ଆଇ ଦିଲୀପ କୁମାର କାଣ୍ଡି ଘଟଣାର ତଦନ୍ତ କରୁଛନ୍ତି। ତେବେ ଏହା ହତ୍ୟାକାଣ୍ଡ ବୋଲି ଗାଁରେ ଆଲୋଚନା ହେଉଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସବୁ ଜଣାପଡ଼ିବ ବୋଲି ଶ୍ରୀ କାଣ୍ଡି କହିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଏବଂ ତଦନ୍ତ ପରେ ଯଦି ଏହା ହତ୍ୟାକାଣ୍ଡ ହୋଇଥାଏ ପୁଲିସ ହତ୍ୟା ମାମଲା ରୁଜୁ କରିବ ବୋଲି ସେ କହିଛନ୍ତି।

ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ମାଛ ମାରିବା ପାଇଁ ବ୍ୟାପକ ଭାବେ ଡିନାମାଇଟ ବ୍ୟବହାର କରାଯାଉଛି। ବେଆଇନ ଭାବେ ଡିନାମାଇଟ ଆଣି ଘରେ ରଖୁଛନ୍ତି। ଏହା ପଛରେ ଏକ ବଡ଼ ରୢାକେଟ କାମ କରୁଛି । ଏନେଇ ତଦନ୍ତ କରାଯିବ ବୋଲି ମଧ୍ୟ ପୁଲିସ କହିଛି।