ଖଜୁରିଆକଟା : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ହାତୀ ଉପଦ୍ରବ ଲାଗି ରହିଛି। ଆଜି ହାତୀ ଆକ୍ରମଣରେ ଦୁଦୁରକୋଟ ପଞ୍ଚାୟତ ଅନ୍ତର୍ଗତ ଗୁରିଲୋ ଗ୍ରାମର ଜଣେ ବୃଦ୍ଧ ପ୍ରାଣ ହରାଇଛନ୍ତି। ମୃତକ ହେଲେ, ଗୁରିଲୋ ଗ୍ରାମର ସୁରେଶ ସାମଲ (୬୮)।

Advertisment

ସୂଚନା ଅନୁସାରେ, ସୁରେଶ ଶୁକ୍ରବାର ସକାଳ ପ୍ରାୟ ୭ଟାରେ ତାଙ୍କ ବଗିଚାକୁ କାଜୁ ତୋଳିବାକୁ ଯାଇଥିଲେ। ସେଠାରେ କାଜୁ ତୋଳୁଥିବା ସମୟରେ ପଛ ପାଖରୁ ହଠାତ୍ ଏକ ହାତୀ ଆସି ତାଙ୍କୁ ଆକ୍ରମଣ କରିଥିଲା। ହାତୀ ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲା ବେଳେ ତାଙ୍କୁ ଉଦ୍ଧାର କରି ପ୍ରଥମେ ହିନ୍ଦୋଳ ଡାକ୍ତରଖାନା ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପରେ ଅନୁଗୁଳ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁରେଶଙ୍କ ମୃତ୍ୟୁ ହୋଇଯାଇଛି।

ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଗୁରିଲୋ ଗ୍ରାମବାସୀ ପୁରୁଣା କଟକ - ସମ୍ବଲପୁର ରାସ୍ତାର ସତମାଇଲ ଛକଠାରେ ଟାୟାର ଜାଳି ଅବରୋଧ କରିଥିଲେ। ପରେ ହିନ୍ଦୋଳ ବନାଞ୍ଚଳ ଅଧିକାରୀ ଲୋହିତ କୁମାର ରଥ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଉପଯୁକ୍ତ କ୍ଷତିପୂରଣ ଦେବାର ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା।