ବାଲେଶ୍ୱର : ବୃଦ୍ଧଙ୍କୁ ଦଳି ମାରିଦେଲା ହାତୀ

ଜଳେଶ୍ୱର/ଓଲମରା : ହାତୀପଲଙ୍କ ଉପଦ୍ରବ ଯୋଗୁଁ ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ରାଇବଣିଆ ଅଞ୍ଚଳରେ ‌େକାକୁଆଭୟ ଖେଳିଯାଇଛି। ଗତ ତିନି ଦିନ ମଧ୍ୟରେ ହାତୀପଲ ୧୦ରୁ ଅଧିକ ଘର ଭାଙ୍ଗିିଥିବା ବେଳେ କାଲି ରାତିରେ ଜଣେ ବୃଦ୍ଧଙ୍କୁ ଦଳି ମାରି ଦେଇଛନ୍ତି।

ବନ ବିଭାଗର ସୂଚନା ମୁତାବକ, ଶିମିଳିପାଳ ଜଙ୍ଗଲରୁ ପଳାଇ ଆସିଥିବା ଏହି ୧୮ଟି ହାତୀ ଗତକାଲି ଶ୍ୟାମନଗର ପଞ୍ଚାୟତ ବାଉଁଶବଣି ଗାଁ ନିକଟ ଜଙ୍ଗଲରେ ରହିଥିଲେ। ବିଳମ୍ବିତ ରାତିରେ ହାତୀପଲ ଗାଁରେ ପଶି ବୁଦ୍ଧିଆ ମୁର୍ମୁ, ସାପ ମୁର୍ମୁ, ରାଜିତ ହାଁସଦା, ଗୋବିନ୍ଦ ମୁର୍ମୁ, ରାଉଡ଼େ ହାଁସଦା, ସୋନା ମାରାଣ୍ଡି, ଭାଦ ହାଁସଦା, କିଆ ହାଁସଦା ଓ ସାରିଲା ହାଁସଦାଙ୍କ ଘର ଭାଙ୍ଗି ଦେଇଥିଲେ। ଘର ଭିତରେ ଥିବା ଖାଦ୍ୟ ସାମଗ୍ରୀ ଖାଇବା ସହ ଆସବାବପତ୍ର ମଧ୍ୟ ନଷ୍ଟ କରିଥିଲେ। ରାତିରେ ଆମ୍ବିଶୂଳ-ବାଉଁଶବଣି ରାସ୍ତାରେ ବାହାଦୁର ହାଁସଦା (୬୫) ନାମକ ଜଣେ ବୃଦ୍ଧ ଘରକୁ ଫେରୁଥିବା ବେଳେ ଏକ ଦନ୍ତାହାତୀ ଦଳିଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ଆଜି ସକାଳେ ବାହାଦୁରଙ୍କ ମରଶରୀରକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି।

ରାଇବଣିଆ ପୁଲିସ ଏ ନେଇ ୧୭/୧‌୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପଟେ ମୃତକଙ୍କ ପରିବାରକୁ ବନ ବିଭାଗ ପକ୍ଷରୁ ୬ ହଜାର ଟଙ୍କା ତତ୍କାଳ ସହାୟତା ଦିଆଯାଇଛି। ମୃତକଙ୍କ ପରିବାରକୁ ଦୁଇଟି ପର୍ଯ୍ୟାୟରେ ୩୬ ହଜାର ଟଙ୍କା ଓ ୩.୬ ଲକ୍ଷ ଟଙ୍କା ଦିଆଯିବ ବୋଲି ବନ ବିଭାଗ ସୂଚନା ଦେଇଛି। ରିପୋର୍ଟ ଲେଖାଯିବା ବେଳକୁ ୪ଟି ହାତୀ ଗ୍ରାମ ସନ୍ନିକଟ ସୁଖଯୋଡ଼ି ଜଙ୍ଗଲରେ ଥିବା ବେଳେ ଅନ୍ୟମାନେ ପଶ୍ଚିମବଙ୍ଗର ଭୁଡ଼ୁରବଣି ଜଙ୍ଗଲକୁ ଚାଲି ଯାଇଥିବା ଖବର ମିଳିଛି।

ସମ୍ବନ୍ଧିତ ଖବର