ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା, ୪ ଘଣ୍ଟା ପଡ଼ିରହିଲା ମୃତଦେହ, କୁକୁଡ଼ାଯୋଡ଼ି ଗ୍ରାମରେ ତୀବ୍ର ଅସନ୍ତୋଷ

ବାରିପଦା/ଚିତ୍ରଡ଼ା : ମୟୂରଭଞ୍ଜ ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ। ଆଜି ପୁଣି ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ମୃତକ ହେଲେ ବାରିପଦା ସଦର ଥାନା କୁକୁଡ଼ାଯୋଡ଼ି ଗ୍ରାମର ଚତୁର୍ଭୁଜ ନାୟକ (୬୦)। ହାତୀ ସ୍ଥାନ ଛାଡ଼ିନଯିବାରୁ ୪ ଘଣ୍ଟା ଧରି ଶବ ପଡ଼ି ରହିଥିଲା।

ସୂଚନା ଅନୁଯାୟୀ, ରାସଗୋବିନ୍ଦପୁର ରେଞ୍ଜ ଶଙ୍ଖାଭଙ୍ଗା ବିଟ୍‌ ଅଞ୍ଚଳରେ ୫ରୁ ୬ଟି ହାତୀ ଗତ କିଛିଦିନ ହେଲା ସ୍ଥାନୀୟ ଅଞ୍ଚଳରେ ଉତ୍ପାତ ଜାରି ରଖିଛନ୍ତି। ଏ ନେଇ ଲୋକେ ବାରମ୍ବାର ଅଭିଯୋଗ କରୁଥିଲେ ବି ହାତୀ ଘଉଡ଼ାଇବାରେ ବିଫଳ ହୋଇଥିଲା ବନ ବିଭାଗ। ଆଜି ସକାଳେ ଚତୁର୍ଭୁଜ କୁକୁଡ଼ାଯୋଡ଼ି ଗାଁ ନିକଟ ଜଙ୍ଗଲକୁ ଶୌଚ ହେବାକୁ ଯାଇଥିବାବେଳେ ଏକ ଦନ୍ତା ଚତୁର୍ଭୁଜଙ୍କୁ ଶୁଣ୍ଢରେ ଟେ‌କିନେଇ କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ସଂପର୍କରେ ଗ୍ରାମବାସୀଙ୍କଠାରୁ ଖବର ପାଇ ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚିଥିଲେ। ତେବେ ହାତୀପଲ ସେହି ସ୍ଥାନ ନଛାଡ଼ିବାରୁ ପ୍ରାୟ ୪ ଘଣ୍ଟା ଧରି ଜଙ୍ଗଲରେ ଚତୁର୍ଭୁଜଙ୍କ ମୃତଦେହ ପଡ଼ିରହିଥିଲା। ପରେ ରାସଗୋବିନ୍ଦପୁର ରେଞ୍ଜ ବନ କର୍ମଚାରୀ ଓ ବାରିପଦା ସଦର ଥାନା ପୁଲିସ ହାତୀ ଘଉଡ଼ାଇ ମୃତଦେହ ଉଦ୍ଧାର କରିଥିଲେ। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇଛି।

ଏହି ଘଟଣାକୁ ନେଇ କୁକୁଡ଼ାଯୋଡ଼ି ଗ୍ରାମରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ହାତୀପଲ ବର୍ଷତମାମ ସେମାନଙ୍କ ଘର ଭାଙ୍ଗିବା ସହ ଫସଲ ଉଜାଡ଼ୁଛନ୍ତି ଓ ଧନଜୀବନ କ୍ଷୟକ୍ଷତି କରୁଛନ୍ତି। ହେଲେ ବନବିଭାଗ ହାତୀ ଘଉଡ଼ାଇବାର ବିଫଳ ହେବା ସହ କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବାରେ ଅହେତୁକ ବିଳମ୍ବ କରୁଛି। ଏହାକୁ ଆଉ ବରଦାସ୍ତ କରାଯିବନି ଓ ତୁରନ୍ତ କ୍ଷତିପୂରଣ ନମିଳିଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇ‌ବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର