ଓଡ଼ାପଡ଼ା : ଓଡ଼ାପଡ଼ା ବ୍ଲକ୍ରେ ହାତୀ ଉପଦ୍ରବ ଆତଙ୍କ ଖେଳାଇଛି। ମାତ୍ର ତିନିଦିନ ବ୍ୟବଧାନରେ ହାତୀ ଆଜି ଆଉ ଜଣେ ବୃଦ୍ଧଙ୍କୁ ଦଳି ମାରିଦେଇଛି। ଏ ଘଟଣା ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଓଡ଼ାପଡ଼ା ବ୍ଲକ୍ ତଥା ସଦର ଥାନା ଅନ୍ତର୍ଗତ ବଳରାମପୁର ଗାଁର ସୁରେନ୍ଦ୍ର ପରିଡ଼ା(୬୫) ଆଜି ସକାଳେ ଗାଁ ବଡ଼ତୋଟା ନାମକ ଆମ୍ବତୋଟାକୁ ଆମ୍ବ ସଂଗ୍ରହ ପାଇଁ ଯାଇଥିବାବେଳେ ଏକ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ତାଙ୍କୁ ଦଳି ଦେବାରୁ ଅନ୍ତବୁଜୁଳା ବାହାରି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ପରିବାର ସଦସ୍ୟ ଘଟଣା ସ୍ଥଳରେ ପହଞ୍ଚି ବନ ବିଭାଗକୁ ଖବର ଦେଇଥିଲେ। ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରେ ପୁଲିସ ଓ ବନ ବିଭାଗ କର୍ମଚାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ମୃତକଙ୍କ ପରିବାରକୁ ବନ ବିଭାଗ ପକ୍ଷରୁ ୪୦ ହଜାର ଟଙ୍କା ସହାୟତା ଦିଆଯାଇଥିଲା। ଆବଶ୍ୟକ କାଗଜପତ୍ର ଦାଖଲ ପରେ ଅବଶିଷ୍ଟ ସହାୟତା ରାଶି ମିଳିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଯୋଗ୍ୟ, ଗତ ୨୦ ତାରିଖରେ ଏହି ବ୍ଲକ୍ ଗୁଣଦେଇ ଗାଁର ମଙ୍ଗରାଜ ପାତ୍ର (୬୫) ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଅଞ୍ଚଳରେ ହାତୀ ବାରମ୍ବାର ଧନ ଜୀବନ ହାନି କରୁଥିବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଅଞ୍ଚଳରୁ ତୁରନ୍ତ ହାତୀପଲ ଘଉଡ଼ିବା ପାଇଁ ବନ ବିଭାଗ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp