ପୁଲିସ ରାମାୟାଙ୍କୁ ମାରିଦେଲା!

ଚୋରି ମାମଲାରେ ଥାନାରେ ୮ ଘଣ୍ଟା ଅଟକ ରଖିଥିଲା, ପରିବାର ଲୋକଙ୍କୁ ଥାନାରେ ଭେଟିବାକୁ ଅନୁମତି ମିଳିନଥିଲା, ରାତି ୯ଟାରେ ମନ୍ଦିର ପାଖରେ ଛାଡ଼ିଲା, ସକାଳୁ ଶବ ମିଳିଲା

ପାତ୍ରପୁର : ନିଜର ଅପାରଗତାକୁ ଲୁଚାଇବାକୁ ପୁଲିସ୍‌ ସମସ୍ତ ଆଇନ ଓ ମାନବିକତାକୁ ଦଳି ଦେଇପାରେ। ଏପରିକି ଜଣେ ଅସହାୟ ବୃଦ୍ଧକୁ ମିଥ୍ୟା ମାମଲାରେ ଫସାଇବାକୁ ଚେଷ୍ଟା କରିବା ଏବଂ ମାମଲା ତଳିପାକୁ ଖସିଗଲା ପରେ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ପ୍ରୟାସ କରିବା ଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜରଡ଼ା ଥାନାରେ। ୮ ଘଣ୍ଟା ଅଟକ ରଖି ଜଣେ ବୃଦ୍ଧଙ୍କୁ କାହାକୁ ନଜଣାଇ ରାତି ଅନ୍ଧାରରେ ମନ୍ଦିର ପାଖରେ ଛାଡ଼ିଦେବା ଏବଂ ସକାଳୁ ତାଙ୍କର ଶବ ମିଳିବା ପରେ ପୁଲିସର କାର୍‌ନାମା ନେଇ ସ୍ବତଃ ପ୍ରଶ୍ନ ଉଠିଛି। ଆଜି ଜରଡ଼ା ଥାନା ଖରଣିପଡ଼ା ପଞ୍ଚାୟତ ଚୈତନ୍ୟଚନ୍ଦ୍ରପୁର ଶାସନ ଠାକୁରାଣୀ ମନ୍ଦିର ବାରଣ୍ତାରେ ଜଣେ ବୃଦ୍ଧଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହେବା ପରେ ପୁଲିସର ଏହି ଜଘନ୍ୟ କାଣ୍ତ ପଦାରେ ପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଏକ ଗାଡ଼ି ଚୋରି ମାମଲାରେ ପଚରାଉଚୁରା କରିବାକୁ ଗତକାଲି ଅପରାହ୍‌ଣରେ ଗାଁର ଏମ୍‌ ରାମେୟା (୭୫)ଙ୍କୁ ପୁଲିସ ଥାନାକୁ ଉଠାଇ ଆଣିଥିଲା। ପରେ ରାତି ପ୍ରାୟ ୯ଟାରେ ରାମାୟାଙ୍କୁ ଆଣି ଗାଁର ନବ ନିର୍ମିତ ଠାକୁରାଣୀ ମନ୍ଦିର ଠାରେ ଛାଡ଼ି ଦେଇ ଚାଲିଯାଇଥିଲା। ସକାଳୁ ରାମାୟାଙ୍କ ମୃତ ଦେହ ମନ୍ଦିର ବାରଣ୍ତାରୁ ଉଦ୍ଧାର କରା ଯାଇଥିଲା।

ବୃଦ୍ଧଙ୍କ ପରିବାର ଲୋକ ଓ ଗାଁ ଲୋକଙ୍କ କହିବାନୁସାରେ, ଚଳିତ ବର୍ଷ ମନ୍ଦିର ପ୍ରତିଷ୍ଠା ହେବା ପରେ ରାମାୟା ମନ୍ଦିରରେ ହିଁ ଅଧିକା˚ଶ ସମୟ ରହୁଥିଲେ। ସ୍ବେଚ୍ଛାକୃତ ଭାବେ ମନ୍ଦିର ଓ ମନ୍ଦିର ପରିସର ସଫାସୁତୁରା ରଖିବା କାମ କରୁଥିଲେ। ସେହି ଗାଁର ରମେଶ ପାଢ଼ୀ ମଧ୍ୟ ମନ୍ଦିରକୁ ନିୟମିତ ଯିବାଆସିବା କରୁଥିଲେ। ରମେଶ ଏବ˚ ରାମାୟାଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା। ତିନି ଦିନ ପୂର୍ବେ ଜଣେ ଅଚିହ୍ନା ବ୍ୟକ୍ତି ମନ୍ଦିରକୁ ଆସି ସେହି ଦୁଇଜଣଙ୍କ ସହ ବନ୍ଧୁତା ବାନ୍ଧିଥିଲା। ଦୁଇଦିନ ତଳେ ସେହି ଅଜଣା ବ୍ୟକ୍ତି ଓ ରମେଶ ପାଢ଼ୀ ଉଭୟ ଏକ ସ୍କୁଟିରେ ଚିକିଟି ଯାଇଥିଲେ। ତେବେ ସେହି ବ୍ୟକ୍ତିଜଣକ କରବାଲୁଆ କେନାଲ ରାସ୍ତାରେ ସ୍କୁଟିଟିକୁ କୌଶଳ କ୍ରମେ ଛଡ଼ାଇ ନେଇଥିବା ନେଇ ରମେଶ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ପୁଲିସ ଗତକାଲି ରମେଶ, ସେହି ଗାଁର ଛୋଟା ରଣା ନାମକ ଜଣେ ବ୍ୟକ୍ତି ଓ ରାମାୟାଙ୍କୁ ଥାନାକୁ ଆଣିଥିଲା। ଦୁଇ ଜଣଙ୍କୁ ପୂର୍ବରୁ ଛାଡ଼ି ଦେଇଥିଲେ ମଧ୍ୟ ରାମାୟାଙ୍କୁ ବିଳମ୍ବିତ ରାତି ଯାଏଁ ଥାନାରେ ରଖିଥିଲେ। ସେହି ସମୟରେ ରାମାୟାଙ୍କୁ ଭେଟିବା ପାଇଁ ତାଙ୍କ ପରିବାର ବର୍ଗଙ୍କୁ ମଧ୍ୟ ସୁଯୋଗ ଦିଆଯାଇନଥିଲା ବୋଲି ଅଭିଯୋଗ ହୋଇଛି।

ରାତି ୯ଟାରେ ରାମାୟାଙ୍କୁ ପୁଲିସ ଜିପରେ ଆଣି ମନ୍ଦିର ପାଖରେ ଛାଡ଼ି ଦେଇଥିଲା। ସକାଳୁ ରାମାୟାଙ୍କ ମୃତ ଦେହ ଉଦ୍ଧାର ହେବା ପରେ ଗାଁ ଲୋକ ଓ ପରିବାରବର୍ଗ ଆସି ପହଞ୍ଚିଥିଲେ। ରାମାୟାଙ୍କ ଦେହରେ ମାଡ଼ ଚିହ୍ନ ଥିବା ଦେଖିଥିଲେ। ପରିବାର ବର୍ଗ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ପୁଲିସ ମାମଲାରେ ଫସାଇବାକୁ ଚାପ ପକାଇ ମାଡ଼ ମାରିଥିଲା। ଏଥିରେ ହିଁ ରାମାୟାଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର