ଠାକୁରମୁଣ୍ଡା: ଘର ବାଡ଼ିରେ କାମ କରୁଥିବାବେଳେ ପଛପଟୁ ଦନ୍ତା ଆସି ଅତର୍କିତ ଆକ୍ରମଣ କଲା। ଭାଗ୍ୟ ଜୋର୍ରୁ ଅଳ୍ପକେ ମରଣମୁହଁରୁ ବର୍ତ୍ତି ଯାଇଛନ୍ତି ୬୫ ବର୍ଷୀୟ ବୃଦ୍ଧ ରେଣା ବଦରା। ରବିବାର ଠାକୁରମୁଣ୍ଡା ବ୍ଲକ୍ ଚମ୍ପାଝର ପଞ୍ଚାୟତ ଡଙ୍ଗାଡ଼ିହା ବଙ୍ଗାଳିସାହି ଗାଁରେ ଘଟିଛି ଏହି ଘଟଣା। ଗାଁ’ଟି ଶିମିଳିପାଳକୁ ଲାଗି ରହିଥିବାରୁ ଦନ୍ତା ଉତ୍ପାତକୁ ନେଇ ଆଖପାଖ ଅଞ୍ଚଳରେ ଛନକା ଖେଳିଯାଇଛି।
ସୂଚନା ମୁତାବକ, ରବିବାର ଦିନ ୧୧ଟା ବେଳେ ରେଣା ନିଜ ଘର ବାଡ଼ିରେ କାମ କରୁଥିଲେ। ଏହି ସମୟରେ ଜଙ୍ଗଲରୁ ଏକ ଦନ୍ତାହାତୀ ଆସି ରେଣାଙ୍କ ଗୋଡ଼କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ଜୀବନବିକଳରେ ରେଣା ବଡ଼ପାଟିରେ ଡାକ ପକାଇଥିଲେ। ପାଟି ଶୁଣି ଗାଁ ଲୋକେ ଧାଇଁ ଆସି ହାତୀକୁ ଘଉଡ଼ାଇଥିବାବେଳେ ସ୍ଥାନୀୟ ସରପଞ୍ଚ ବିକ୍ରମ ପିଙ୍ଗୁଆ ଗୁରୁତର ଅବସ୍ଥାରେ ରେଣାଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଡାକ୍ତରଖାନା ଆଣିଥିଲେ। ମୁଣ୍ଡରେ ଗଭୀର କ୍ଷତ ସାଙ୍ଗକୁ ଛାତିରେ ଯନ୍ତ୍ରଣା ହେଉଥିବାରୁ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ବନରକ୍ଷୀ କିଶୋର କୁମାର ମହାନ୍ତ ଓ ଚିତ୍ତରଞ୍ଜନ ଗିରି ଡାକ୍ତରଖାନାରେ ପହଞ୍ଚି ରେଣାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିବା ଜଣାପଡ଼ିଛି।