ଚଳନ୍ତା କାର୍‌ରୁ ଠେଲିଦେଲା ନାତୁଣୀ!

ଗୁରୁତର ଅବସ୍ଥାରେ ବୃଦ୍ଧ ଉଦ୍ଧାର, ଟଙ୍କା, ଏଟିଏମ୍‌ କାର୍ଡ ନେଇଯାଇଥିବା ଅଭିଯୋଗ

ଭଂଜନଗର : ଗଂଜାମ ଜିଲ୍ଳା ଭଂଜନଗର ସହର ନିକଟ କୋଦଣ୍ଡା ଗ୍ରାମ ପାର୍ଶ୍ୱ ରାସ୍ତାରୁ ଆଜି ରାତିରେ କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଥିବା ଜଣେ ବୃଦ୍ଧଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଅଗ୍ନିଶମ ବିଭାଗ ସହାୟତାରେ ତାଙ୍କୁ ଭଂଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରାଯାଇ ଚିିିକିତ୍ସା ଆରମ୍ଭ ହୋଇଛି। ବୃଦ୍ଧଜଣକ ଭଂଜନଗର ଥାନା ବେଣାକୁନ୍ଦା ଗ୍ରାମର ଗଦାଧର ସ୍ୱାଇଁ (୬୦) ବୋଲି ଜଣାପଡ଼ିଛି। ତାଙ୍କର ଏ ଦଶା ବିଷୟରେ ଡାକ୍ତରଖାନାରେ ଗଦାଧର ଯେଉଁ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ତାହା ସବୁ ମହଲକୁ ସ୍ତମ୍ଭୀଭୂତ କରିଛି। ଆଖି ଅସ୍ତ୍ରୋପଚାର କରାଇବା ଆଳରେ ତାଙ୍କ ନାତୁଣୀ ଓ ନାତୁଣୀ ଜ୍ୱାଇଁ ତାଙ୍କୁ ଘରୁ ଡାକି ଆଣି ରାସ୍ତାରେ ଚଳନ୍ତା କାର୍‌ରୁ ଠେଲି ଦେଇଥିବା ଓ ତାଙ୍କ ଟଙ୍କା, ଏଟିଏମ୍‌ କାର୍ଡ ଓ ଜମିବାଡ଼ି କାଗଜ ଥିବା ସୁଟକେସ୍‌ ନେଇ ପଳାଇଥିବା ସେ ଅଭିଯୋଗ କରିଛନ୍ତି।

ଗଦାଧରଙ୍କ କହିବାନୁସାରେ, ତାଙ୍କ ନିଜ ଘର ଗାମୁଣ୍ଡିରେ। କିଛି ବର୍ଷ ହେଲା ବେଣାକୁନ୍ଦା ଗାଁରେ ସେ ଏକୁଟିଆ ରହୁଛନ୍ତି। ପତ୍ନୀଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ପୁଅମାନେ ବି ଅଲଗା ରହୁଛନ୍ତି। ତାଙ୍କ ଆଖିକୁ ଭଲ ଦେଖା ଯାଉ ନଥିବାରୁ ସେ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ନାତୁଣୀ ଓ ନାତୁଣୀ ଜ୍ୱାଇଁ ତାଙ୍କୁ ଦେଖିବାକୁ ବେଣାକୁନ୍ଦା ଆସିଥିଲେ। କିଛି ସମୟ କଥାବାର୍ତା ହେବା ପରେ ସେମାନେ ଭଲ ଡାକ୍ତରଖାନାରେ ଆଖି ଅସ୍ତ୍ରୋପଚାର କରାଇଦେବାର ପ୍ରତିଶ୍ରୁତି ଦେଇ ସାଥିରେ ଯିବାକୁ ଡ଼ାକିଥିଲେ। ଗଦାଧର ନିଜ ପାଖରେ ରଖିଥିବା ୬ହଜାର ଟଙ୍କା, ପାସ୍‌ବୁକ୍‌ ଓ ଏଟିଏମ୍‌ କାର୍ଡ, ଜମିଜମା କାଗଜପତ୍ର ସୁଟ୍‌କେସ୍‌ରେ ରଖି ସେମାନଙ୍କ ସହ ବାହାରିଥିଲେ।

କାର୍‌ରେ ସେ ବସିବା ପରେ ନାତୁଣୀ ତାଙ୍କ ସହ ଭଲରେ କଥାବାର୍ତା ହେବା ସହ ଆଖି ଅସ୍ତ୍ରୋପଚାର ପରେ ପାଖରେ ରଖିବେ ବୋଲି କହିଥିଲେ। ଏହି ସମୟରେ ରାସ୍ତାରେ ଆଉ ଦୁଇଜଣ ଯୁବକ କାର୍‌ରେ ବସିଥିଲେ। ଭଂଜନଗରଠୁ କିଛି ଦୂର କୋଦଣ୍ଡା ଗ୍ରାମ ନିକଟରେ ନାତୁଣୀ ଓ ଉକ୍ତ ଯୁବକ ମାନେ ତାଙ୍କୁ ଚଳନ୍ତା କାର୍‌ରୁ ଠେଲି ଦେଇଥିଲେ ବୋଲି ଗଦାଧର ଅଭିଯୋଗ କରିଛନ୍ତି। ଅଗ୍ନିଶମ ବିଭାଗ ଓ ଅଞ୍ଚଳବାସୀ ତାଙ୍କୁ ଉଦ୍ଧାର କରି ଭଂଜନଗର ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ଏନେଇ ପୁଲିସ ନିକଟରେ ଏ ପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ।

ସମ୍ବନ୍ଧିତ ଖବର