ରାଇଘର : ଘର ଭାଙ୍ଗିବା ଏବଂ ଫସଲ ନଷ୍ଟ କରିବା ପରେ ଶେଷରେ ମଣିଷ ମାରିଛନ୍ତି ଛତିଶଗଡ଼ ହାତୀ ପଲ। ଶୁକ୍ରବାର ବିଳମ୍ବିତ ରାତିରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଅନ୍ତର୍ଗତ ହାଟଭରାଣ୍ଡି ପଞ୍ଚାୟତର ସିଉନାପାଲି ଗାଁର ବୃଦ୍ଧ କେଜୁରାମ ଗଣ୍ଡ (୬୦ବର୍ଷ)ଙ୍କୁ ଦଳି ଦେଇଛନ୍ତି। ଶନିବାର ସକାଳେ ବନ ବିଭାଗ ଏବଂ କୁନ୍ଦେଇ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ହାତୀ ପଲ ଏଭଳି ମଣିଷ ଉପରେ ଆକ୍ରମଣ କରିଛନ୍ତି। ତେଣୁ ଛତିଶଗଡ଼ ସୀମାନ୍ତ ଗାଁ ଗୁଡ଼ିକରେ ଆତଙ୍କ ଖେଳି ଯାଇଛି।

Advertisment

ସୂଚନା ଅନୁଯାୟୀ, ଦେଢ଼ ବର୍ଷ ହେଲା ଛତିଶଗଡ଼ ଜଙ୍ଗଲରୁ ଚାଲି ଆସିଥିବା ହାତୀ ପଲ ଓଡ଼ିଶାରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇ ସାରିଲେଣି। ବନ ବିଭାଗ ଖବର ପାଇ ପହଞ୍ଚିବା ପରେ ହାତୀଙ୍କୁ ଘଉଡ଼ାଇ ଚାଲି ଆସୁଛି। କିଛି ଦୂର ଯିବା ପରେ ପୁଣି ହାତୀ ପଲ ଏହି ଅଞ୍ଚଳକୁ ଚାଲି ଆସୁଛନ୍ତି। ବର୍ତ୍ତମାନ ଫସଲ ଅମଳ ସମୟ ହୋଇଥିବାରୁ ଖାଦ୍ୟ ସନ୍ଧାନ କରି ଶୁକ୍ରବାର ଦିନ ବୋରେଇ ଓ ମୈନପୁର ଜଙ୍ଗଲ ରାସ୍ତାରେ ମାରିଗାଁ ଜଙ୍ଗଲରେ ପଶିଥିଲେ। ରାତି ପ୍ରାୟ ୨ଟାରେ ସିଉନାପାଲି ଗ୍ରାମ ଭିତରକୁ ଚାଲି ଆସିବା ପରେ ଗର୍ଜନ କରିବା ଆରମ୍ଭ କରିଥିଲେ। ଏପରିକି ଖାଦ୍ୟ ସନ୍ଧାନ କରି କିଛି ଘର କାନ୍ଥ ଭାଙ୍ଗିବା ଆରମ୍ଭ କରିଥିଲେ। ଭୟଭୀତ ଗ୍ରାମବାସୀ ଘର ଭିତରେ ଏକ ପ୍ରକାର ବନ୍ଦୀ ହୋଇ ହାତୀଙ୍କ ଫେରିବା ବାଟକୁ ଅପେକ୍ଷା କରିଥିଲେ।

ଦିବ୍ୟାଙ୍ଗପୁଅ ରାମ ଗଣ୍ଡଙ୍କ ସହ ଘରେ ନିଆଁ ଲଗାଇ ଶୋଇଥିବା କେଜୁରାମଙ୍କ ନିଦ କୋଳାହଳ ଶୁଣି ଭାଙ୍ଗିବା ବେଳକୁ ହାତୀ ତାଙ୍କ ଘରକୁ ଭାଙ୍ଗୁଥିଲେ। ଜୀବନ ବିକଳରେ ପୁଅ ସହ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ କେଜୁରାମ ନିଷ୍ପତ୍ତି ନେଇଥିଲେ। ପୁଅ ପଛ ପଟ କବାଟ ଖୋଲି ଦୌଡ଼ିଥିବା ବେଳେ ସାମ୍‌ନା କବାଟ ଖୋଲି ଦୌଡ଼ିବା ପୂର୍ବରୁ ହାତୀ ପଲର ହାବୁଡ଼ରେ ପଶି ଯାଇଥିଲେ। କେଜୁରାମଙ୍କୁ କବାଟ ସମ୍ମୁଖରୁ ହାତୀ ଶୁଣ୍ଡରେ ଟେକିଆଣି ତଳେ କଚାଡ଼ିଥିଲେ। ଏହାପରେ ଏକାଧିକ ହାତୀ ଦଳି ଚକଟି ମାରି ଦେଇଥିଲେ। ଏତେ ବୀଭତ୍ସ ଭାବେ କେଜୁରାମଙ୍କୁ ମାରିଛନ୍ତି ଯେ, ଘର ଠାରୁ ପ୍ରାୟ ୫୦ମିଟର ଦୂରରେ ଶରୀରର କିଛି ଅଂଶ ପଡ଼ିଛି। ନରହନ୍ତା ସାଜିବା ପରେ ହାତୀ ପଲ କାନାଡ଼ିହି ଓ ଝଟିଆରପାରା ଚାଷ ଜମି ଦେଇ ଖିଲୋଲି-ସମରଡିହି ଜଙ୍ଗଲକୁ ଚାଲି ଯାଇଥିଲେ।