ଜଙ୍ଗଲରେ ବୃଦ୍ଧ ହଜିବା ଘଟଣା: ଅଜଗରର ସ୍କାନିଂ କରିବାକୁ ବନ ବିଭାଗ ଅରାଜି

କଟକ : କଟକ ଜିଲ୍ଲା ମୁଣ୍ଡଳୀ ପଞ୍ଚାୟତ ସ୍ଥିତ ଥୋରିଆପାଟଣା ସାହିର ବାସିନ୍ଦା ନନ୍ଦକିଶୋର ବେହେରା ନିଖୋଜ ଘଟଣା ଧୀରେ ଧୀରେ ବିବାଦୀୟ ହେବାରେ ଲାଗିଛି। ନନ୍ଦକିଶୋରଙ୍କ ଗାଡ଼ି, ଚପଲ ଓ ଲୁଗାପଟା ଜଙ୍ଗଲ ଭିତରେ ଏକ ବିରାଟ ଅଜଗର ଶୋଇଥିବା ସ୍ଥାନରୁ ଉଦ୍ଧାର କରାଯାଇଛି। ଅଜଗର ପେଟ ଫୁଲି ରହିଥିବାରୁ ତାଙ୍କୁ ଗିଳି ଦେଇଥିବା ନେଇ ବି ସନ୍ଦେହ କରାଯାଉଛି। କିନ୍ତୁ ସାପର ସ୍କାନ୍ କରିବାକୁ ମନା କରିଦେଇଛି ବନବିଭାଗ। କଟକଣା ଥିବା ଅଞ୍ଚଳ ହୋଇଥିବାରୁ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯିବ ନାହିଁ ବୋଲି ବନ ଅଧିକାରୀମାନେ କହୁଛନ୍ତି।

ଗତ ଅଗଷ୍ଟ ୨୮ ତାରିଖରେ ୭୭ ବର୍ଷ ବୟସ୍କ ଫେରି ‌ବ୍ୟବସାୟୀ ନନ୍ଦକିଶୋର ଘରୁ ବାହାରି ଥିଲେ। ଏହାପରେ ସେ ନିଖୋଜ ହୋଇଯାଇଥିଲେ। ତାଙ୍କର ନିଖୋଜ ଘଟଣାରେ ପରିବାରବର୍ଗ ବନବିଭାଗକୁ ଦାୟୀ କରି ବାଙ୍କୀ ଥାନ‌ାରେ ଏତଲା ଦେଇଛନ୍ତି। ଘଟଣାକୁ ଚପାଇ ଦେବାକୁ ବନବିଭାଗ ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଛନ୍ତି। ନନ୍ଦକିଶୋରଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ବନବିଭାଗ ଏହି ଘଟଣାରେ କୌଣସି ତତ୍ପରତା ଦେଖାଉ ନାହିଁ। ଜଙ୍ଗଲ ଭିତରୁ ଗାଡ଼ି ଓ ଲୁଗାପଟା ମିଳିଥିବା ବେଳେ ସେ ଗଲେ କୁଆଡ଼େ ବୋଲି ପ୍ରଶ୍ନ କରିଛନ୍ତି। ଆହୁରି ମଧ୍ୟ, ବନ କର୍ମଚାରୀମାନେ ନନ୍ଦକିଶୋରଙ୍କୁ ମାରି ଜଙ୍ଗଲ ଭିତରେ କେଉଁଠି ପୋତି ଦେଇଥାଇପାରନ୍ତି କିମ୍ବା ସାପ ମୁହଁରେ ଫିଙ୍ଗି ଦେଇଥାଇ ପାରନ୍ତି ବା ଅନ୍ୟ କିଛି ଘଟାଇ ଘଟଣାକୁ ଚପାଇ ଦେଇଥିବା ସନ୍ଦେହ କରିଛନ୍ତି ତାଙ୍କ ପରିବାର ଲୋକ।

କିନ୍ତୁ ଡମପଡା ବନବିଭାଗ ରେଞ୍ଜର ବିରାଜ ଦାସ କହିବା ଅନୁଯାୟୀ ଉକ୍ତ ବ୍ୟକ୍ତି ଜଣକ କାହାରିକୁ କିଛି ନଜଣାଇ ବିନା ଟିକେଟରେ ଜଙ୍ଗଲ ଭିତରେ ପ୍ରବେଶ କରିଥିଲେ। ଜଙ୍ଗଲ ବିଭାଗ ପକ୍ଷରୁ ବହୁ ଖୋଜାଖୋଜି କରାଯାଇଛି। କିନ୍ତୁ ତାଙ୍କ ପତ୍ତା ମିଳୁ ନାହିଁ।

ବାଙ୍କୀ ପୁଲିସ ବି ଖୋଜାଖୋଜି କରୁଛି ବୋଲି କହୁଥିବା ବେଳେ ଇତିମଧ୍ୟରେ ୯ ଦିନ ବିତି ଗଲାଣି। ତାହାହେ‌େଲ ନନ୍ଦକି‌େଶାର ଗଲେ କୁଆଡ଼େ? ସାପ ଗିଳିଛି ନା କେହି ହତ୍ୟା କରିଛି? ଏହାର କ୍ରାଇମ ବ୍ରାଞ୍ଚ ଯାଞ୍ଚ କରୁ ବୋଲି ଦାବି କରିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ।

ସମ୍ବନ୍ଧିତ ଖବର