ଗୁଣି ସନ୍ଦେହ: ବୃଦ୍ଧଙ୍କ ମୁଣ୍ଡ କାଟି ହତ୍ୟା

ଗାତ ଖୋଳି ପୋତିଦେଲେ, ୩ ମହିଳାଙ୍କ ସମେତ ୫ ଅଟକ

ଖଲ୍ଲିକୋଟ : ଗୁଣି ସନ୍ଦେହରେ ଦୁର୍ବୃତ୍ତଙ୍କ ବର୍ବରତା କେଉଁ ସ୍ତରରେ ପହଞ୍ଚିପାରେ, ଗଞ୍ଜାମ ଜିଲ୍ଲାରେ ଘଟିଥିବା ଏକ ଘଟଣାରୁ ତାହା ଜଣାପଡ଼ିଛି। ଦୁର୍ବୃତ୍ତମାନେ ଜଣେ ବୃଦ୍ଧଙ୍କ ମୁଣ୍ଡଗଣ୍ଡି କାଟି ନିର୍ମମ ଭାବେ ହତ୍ୟା କରିଛନ୍ତି। ହତ୍ୟା ପରେ ମୃତଦେହକୁ ଜଙ୍ଗଲରେ ପୋତି ଦେଇଛନ୍ତି। ଖବର ଲେଖାଯିବା ସୁଦ୍ଧା ପୁଲିସ ଏହି ସମ୍ବେଦନଶୀଳ ଘଟଣା‌ରେ ୩ଜଣ ମହିଳାଙ୍କ ସମେତ ୫ଜଣଙ୍କୁ ଅଟକ ରଖିଛି।

ମୃତ ବୃଦ୍ଧ ହେଲେ, ଖଲ୍ଲିକୋଟ ଥାନା ଅଧୀନ ବାଣିଆ ପଞ୍ଚାୟତ ବି.ନୂଆପଲ୍ଲୀ ଗ୍ରାମର ଯୁଧିଷ୍ଠିର ପ୍ରଧାନ (୬୦)। ଗତକାଲି ଅପରାହ୍‌ଣରେ ଯୁଧିଷ୍ଠିର ସାଇକେଲ୍‌ରେ ଆଲିପୁର ଗ୍ରାମକୁ ଯାଇ ନୂ୍ଆପଲ୍ଲୀ ଫେରୁଥିବା ସମୟରେ ହଠାତ୍ ନିଖୋଜ ହୋଇଯାଇଥିଲେ। ପରିବାରବର୍ଗ ବହୁ ଖୋଜାଖୋଜି କରି ବି ତାଙ୍କୁ ଠାବ କରିପାରି ନଥିଲେ। ଗୁଣିଗାରେଡ଼ିକୁ ନେଇ ଯୁଧିଷ୍ଠିରଙ୍କ ଉପରେ ଗାଁର କିଛି ଲୋକ ସନ୍ଦେହ କରିଆସୁଥିଲେ। ଫଳରେ କିଛି ଅଘଟଣର ଆଶଙ୍କା କରି ଯୁଧିଷ୍ଠିରଙ୍କ ସାନଭାଇ ଥାନାରେ ଏତଲା ଦେବାପରେ ପୁଲିସ ଛାନଭିନ୍ ଆରମ୍ଭ କରିଥିଲା। ଗାଁର କିଛି ଲୋକଙ୍କୁ ଆଣି ଜେରା କରିଥିଲା। ସେମାନଙ୍କ ବୟାନ ଆଧାରରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଯୁଧିଷ୍ଠିରଙ୍କୁ ଆ‌କ୍ରମଣ କରି ହତ୍ୟା କରିବା ପରେ ଶବକୁ ପୋତି ଦିଆଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଯୁଧିଷ୍ଠିରଙ୍କୁ ହତ୍ୟା କରିବା ପରେ ଗାଁ ଠାରୁ ୨୦୦ ମିଟର ଜଙ୍ଗଲରେ ଗାତ ଖୋଳି ପୋତି ଦିଆଯାଇଥିଲା। ଗାତ ନିକଟରେ ପୁଲିସ ମୁତୟନ ହୋଇଥିବାବେଳେ ଆସନ୍ତାକାଲି ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବକୁ ବାହାର କରାଯିବ ବୋଲି ଖଲ୍ଲିକୋଟ ଥାନାଧିକାରୀ ଜଗନ୍ନାଥ ମଲ୍ଲିକ ଓ ସେକେଣ୍ଡ୍ ଅଫିସର୍ ଅମ୍ବିକା ବେଣିଆ କହିଛନ୍ତି।

ସମ୍ବନ୍ଧିତ ଖବର