ସରକାରୀ ଜମି ବିବାଦ: ଗାଁ ଦାଣ୍ତରେ ବୃଦ୍ଧଙ୍କୁ ପିଟି ହତ୍ୟା

ରାଜନଗର : ରାଜନଗର ଅଞ୍ଚଳରେ ସରକାରୀ ଜମିକୁ ନେଇ ଲାଗି ରହିଥିବା ବିବାଦ ଆଜି ଉଗ୍ରରୂପ ନେଇଛି। ଗାଁ ଦାଣ୍ତରେ ଜଣେ ବୃଦ୍ଧଙ୍କୁ କାଠ ଫାଳିଆରେ ପିଟି ମାରି ଦିଆଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାରେ ସଂପୃକ୍ତ ମହିଳାଙ୍କୁ ଥାନାକୁ ଆଣିଥିବା ବେଳେ ତାଙ୍କ ପୁଅକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

ସୂଚନା ଅନୁସାରେ, ରାଜନଗର–ଧନେଶ୍ବରପୁର ରାସ୍ତାକଡ଼ରେ ରାଜନଗର ଗାଁର ଧରଣୀଧର ଦାସ (୬୨) ଦୀର୍ଘ ବର୍ଷ ହେଲା ଘର କରି ରହି ଆସୁଛନ୍ତି। ଗୁପ୍ତି ପଂଚାୟତ ରାଜରାଜେଶ୍ବରପୁର ଗାଁର ବିଧବା ତୁଳସୀ ମଣ୍ତଳ (୪୦) ଓ ତାଙ୍କ ପୁଅ ସୁରଂଜନ ମଣ୍ତଳ (୨୨) ପ୍ରଥମେ ଧରଣୀଙ୍କ ଘରେ ଭଡ଼ା ନେଇ ରହୁଥିଲେ। ପରବର୍ତ୍ତୀ ଅବସ୍ଥାରେ ତୁଳସୀ ତାଙ୍କ ଘର ନିକଟରେ ଥିବା ସରକାରୀ ଜାଗାରେ ଘର କରିଥିଲେ। ଏହାକୁ ନେଇ ଦୁଇ ପରିବାରଙ୍କ ଭିତରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଥିଲା। ଆଜି ଅପରାହ୍ନରେ ଜହ୍ନି ଗଛ ଛିଣ୍ତାଇବାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ତ ହୋଇଥିଲା। ମହିଳା ଓ ତାଙ୍କ ପୁଅ ଧରଣୀଙ୍କୁ ଆକ୍ରମଣ କରିଥିଲେ। କାଠଫାଳିଆ ପାହାର ଖାଇ ଧରଣୀ ପଡି ଯାଇଥିଲେ। ସ୍ଥାନୀୟ ଲୋକେ ଧରଣୀଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁଳସୀଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର