ମୋହନା/ପାରଳାଖେମୁଣ୍ଡି : ଅନ୍ଧବିଶ୍ବାସର ଅନ୍ଧଗଳିରେ ମଣିଷ। ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କ ମୁଣ୍ଡ କାଟି ନିର୍ମମ ହତ୍ୟା। ଗଜପତି ଜିଲ୍ଲା ମୋହନା ଥାନା ମେରାପଲ୍ଲି ପଞ୍ଚାୟତର ଭାଲିଆସାହିରେ ଏଭଳି ଏକ ଅଭାବନୀୟ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକ ଜଣକ ହେଲେ ଦାସୁ ମଳିକ (୭୦)। ରାସ୍ତାକଡ଼ରୁ ଦାସୁଙ୍କ ମୁଣ୍ଡବିହୀନ ଶବ ମିଳିଛି। ଘଟଣାସ୍ଥଳରେ ମୋହନା ପୁଲିସ ସାଇଣ୍ଟିଫିକ୍ ଟିମ ଓ ସନ୍ଧାନୀ କୁକୁର ସହ ପହଞ୍ଚି ତଦନ୍ତ କରିଛନ୍ତି। ଶବକୁ ଜବତ କରାଯାଇଥିବା ସହ କେସ ନମ୍ବର ୨୦୨ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ପୁଲିସ ବେଣୀପଦର ଗ୍ରାମର ସନୁଜ ମଳିକ ଏବ˚ ସୁନଜ ମଳିକଙ୍କୁ ଅଟକ ରଖି ପଚରାଉଚରା କରୁଛି। କାରଣ ସେମାନେ ପୂର୍ବରୁ ଦାସୁଙ୍କୁ ହତ୍ୟା ଧମକ ଦେଇଥିଲେ। ତେବେ ଏଥିରେ କେଉଁମାନଙ୍କ ସଂପୃକ୍ତି ରହିଛି ତାହା ଏ ଯାଏ ସ୍ପଷ୍ଟ ହୋଇ ନ ଥିବାବେଳେ ପୁଲିସ ମୃତକଙ୍କ ମୁଣ୍ଡକୁ ଖୋଜୁଥିବା ଜଣାପଡ଼ିଛି।
ମୃତକ ଦାସୁ ଲୋକଙ୍କୁ ଚେରମୂଳି ଔଷଧ ଦେଇ ରୋଗ ଭଲ କରୁଥିବାରୁ ବୈଦ୍ୟ ଭାବେ ସଭିଙ୍କ ମହଲରେ ବେଶ୍ ପରିଚିତ ଥିଲେ। ସ୍ଥାନୀୟ ଅଞ୍ଚଳ ସମେତ ଆଖପାଖ ଗ୍ରାମର ବହୁ ଲୋକ ତାଙ୍କ ପାଖକୁ ଆସୁଥିଲେ। ତେବେ ନିକଟ ବେଣୀପଦର ଗ୍ରାମର କିଛି ଲୋକ ତାଙ୍କୁ ଗୁଣିଆ ବୋଲି ସନ୍ଦେହ କରି ଅନେକ ସମୟରେ ଧମକଚମକ ଦେଉଥିଲେ। ଗତବର୍ଷ ନଭେମ୍ବର ୨୩ ତାରିଖରେ ସେହି ଗ୍ରାମର କିଛି ଯୁବକ ଦାସୁଙ୍କୁ ଧମକଚମକ ଦେବାରୁ ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଉଭୟ ପକ୍ଷକୁ ଡାକି ବୁଝାସୁଝା କରାଯାଇଥିଲା। ତଥାପି ଦାସୁଙ୍କ ଜୀବନ ପ୍ରତି ବିପଦ ଥିଲା।
ଗତକାଲି ବେଣୀପଦର ଗ୍ରାମର କିଛି ଯୁବକ ପୁଣି ଭାଲିଆସାହି ଗ୍ରାମକୁ ଆସି ମକା କ୍ଷେତରେ ଦାସୁଙ୍କୁ ଖୋଜିଥିଲେ। ଆଉ ପୁଅ ପରମାନନ୍ଦଙ୍କୁ ବାପା କେଉଁଠି ଅଛନ୍ତି ବୋଲି ପଚାରିଥିଲେ। ଏହି ଯୁବକମାନେ ଔଷଧ ନେବାକୁ ଆସିଥିବା ଭାବି ପରମାନନ୍ଦ ବାପାଙ୍କ ଠିକଣା କହିଥିଲେ। ଅପରାହ୍ନ ପ୍ରାୟ ୫ଟା ସମୟରେ ଭାଲିଆସାହି ଗ୍ରାମକୁ ଲାଗି ରହିଥିବା ମେରାମା ସଉରାସାହି ନିକଟ ମକା କ୍ଷେତ ପାଖରେ ଦାସୁଙ୍କ ମୁଣ୍ଡବିହୀନ ରକ୍ତଜୁଡ଼ୁବୁଡ଼ୁ ଶବ ଠାବ କରାଯାଇଥିଲା। ତେଣୁ ଦାସୁଙ୍କୁ ଖୋଜୁଥିବା ଉକ୍ତ ଯୁବକମାନେ ହିଁ ସଂଘବଦ୍ଧ ଭାବେ ତାଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/Murder_Graphic_2-750x430.jpg)