ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବଡ଼ସାହିଷ: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଗୁଡ଼ିଆଲବନ୍ଧ ପଞ୍ଚାୟତ ନୟାବ୍ରଜନନ୍ଦନପୁର ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ; ରୂପଚାନ୍ଦ ମହାନ୍ତି (୮୨)।

ସୂଚନା ଅନୁଯାୟୀ; ଗତ ୨୩ ତାରିଖ ମଙ୍ଗଳବାର ସନ୍ଧ୍ୟାରେ ଗ୍ରାମର ରବୀନ୍ଦ୍ର ମହାନ୍ତ (୨୬) ହାଟରୁ ଫେରୁଥିବା ବେଳେ ରୂପଚାନ୍ଦଙ୍କ ସହିତ ପୂର୍ବ ଶତ୍ରୁତାକୁ ନେଇ ଯୁକ୍ତିତର୍କ ହୋଇଥିଲା। ରୂପଚାନ୍ଦ କୁଆଡ଼େ ଗୁଣିଗାରେଡ଼ି କରି ତାଙ୍କ ଦୁଇ ସନ୍ତାନଙ୍କ ଦେହ ଖରାପ କରାଉଥିବା ଆକ୍ଷେପ କରିଥିଲେ ରବୀନ୍ଦ୍ର। ନିଶାସକ୍ତ ଅବସ୍ଥାରେ ଥିବା ରବୀନ୍ଦ୍ର ଏହି ଭୁଲ୍‌ ଧାରଣାର ବଶବର୍ତ୍ତୀ ହୋଇ ହାତରେ ଧରିଥିବା ଏକ ବାଉଁଶ ଠେଙ୍ଗାରେ ରୂପଚାନ୍ଦଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ। ଫଳରେ ରୂପଚାନ୍ଦଙ୍କ ମୁଣ୍ଡ ଫାଟିଯିବା ସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାରିପଦା ମୁଖ୍ୟ ଡାକ୍ତରଖାନା ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ଏନେଇ ବଡ଼ସାହି ଥାନାରେ ୨୪୦/୨୨ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ପୁଲିସ ଆଜି ହତ୍ୟାକାରୀ ରବୀନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗାକୁ ଜବତ କରିଛି।

ସମ୍ବନ୍ଧିତ ଖବର