ପାରିବାରିକ କଳହରୁ ହତ୍ୟାକାଣ୍ଡ: ବୃଦ୍ଧଙ୍କୁ ପିଟିପିଟି ମାରିଦେଲେ, ୫ ଅଟକ

ମୁରିବାହାଲ : ପାରିବାରିକ କଳହରୁ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି(ଖ) ପଞ୍ଚାୟତ ଲିମପଡ଼ା ଗ୍ରାମରେ ହତ୍ୟାକାଣ୍ଡ ଘଟିଛି। ଗାଁର ଘାସିରାମ ପରାଭୋଇ(୭୨) ନାମକ ଜଣେ ବୃଦ୍ଧଙ୍କୁ ତାଙ୍କର କିଛି ସମ୍ପର୍କୀୟ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଘାସିରାମଙ୍କ ପୁଅ ରୋଶନଲାଲ ଓ ଶ୍ୟାମସୁନ୍ଦର ପରାଭୋଇଙ୍କ ଏତଲା ଆଧାରରେ ମୁରିବାହାଲ ପୁଲିସ ଓ ବଲାଙ୍ଗୀରରୁ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ରବିବାର ରାତି ୧୧ଟା ସମୟରେ ମୃତ ଘାସିରାମଙ୍କ ଘର ପାଖରେ ରହୁଥିବା ସମ୍ପର୍କୀୟ ଭାଇ ଅମୃତ ପରାଭୋଇଙ୍କ ପୁଅ ରାମଚନ୍ଦ୍ର ପରାଭୋଇ, ଭରତ ପରାଭୋଇ, ଲକ୍ଷ୍ମଣ ପରାଭୋଇଙ୍କ ସହ ବାନ୍ଦୁପଲା ପଞ୍ଚାୟତ ଯମୁନାବାହାଲ ଗ୍ରାମର ତାଙ୍କ ଶଳା ବୀର ପରାଭୋଇ ଓ ବଳରାମ ପରାଭୋଇ ନିଶାସକ୍ତ ଅବସ୍ଥାରେ ଘାସିରାମଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଟିଟିଲାଗଡ଼ ହସ୍ପିଟାଲକୁ ନେଉଥିବାବେଳେ ଟିଟିଲାଗଡ଼ ଥାନା ସମ୍ମୁଖରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ପରିବାର ଲୋକେ ତାଙ୍କୁ ଘରକୁ ଫେରାଇ ଆଣି ମୁରିବାହାଲ ପୁଲିସରେ ଏତଲା ଦେଇଥିଲେ। କଣ୍ଟାବାଞ୍ଜି ଏସଡିପିଓ ହୃଷୀକେଶ ମେହେର, ମୁରିବାହାଲ ପୁଲିସ ଓ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ପଠାଇଥିଲା। ପୁଲିସ ଥାନା କେସ୍‌ ନଂ ୧୫୯/୨୧ରୁଜୁ କରି ଉକ୍ତ ୫ ଜଣ ଅଟକ ରଖିଛି ବୋଲି ମୁରିବାହାଲ ଆଇଆଇସି ଜ୍ୟୋତିରାଣୀ ଦାସ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର