ଗଳା କାଟି ବୃଦ୍ଧଙ୍କୁ ହତ୍ୟା

ଡାବୁଗାଁ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ପରସବେଡା ଗ୍ରାମରେ ଜଣେ ବୃଦ୍ଧଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ଆଜି ସକାଳେ ଉଦ୍ଧାର କରାଯାଇଛି। ପ୍ରାଥମିକ ତଦନ୍ତରୁ ଧାରୁଆ ଅସ୍ତ୍ରରେ ବେକ କାଟି ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବୋରିଗାଁ ପଞ୍ଚାୟତ ଅନ୍ତର୍ଗତ ପରସବେଡ଼ା ଗ୍ରାମର ସନୁ ଭତରା (୬୦) ଗାଁର କିଛି ଜଣଙ୍କ ସହ ଗତକାଲି ମୋତିଗାଁକୁ ଯାଇଥିଲେ। ଭୋଜି ଖାଇସାରିବା ପରେ ରାତି ପ୍ରାୟ ୭ଟାରେ ଗାଁକୁ ଫେରିଥିଲେ। ପ୍ରବଳ ଗରମ ହେଉଥିବାରୁ ଘର ଅଗଣାରେ ଖଟିଆ ପକାଇ ଶୋଇ ପଡ଼ିଥିଲେ। ଆଜି ସକାଳୁ ବୋହୂ ଅଗଣାକୁ ଆସି ଦେଖିବା ବେଳକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସନୁ ପଡ଼ିଥିଲେ। ପରିବାର ଲୋକଙ୍କୁ ଏନେଇ ସୂଚନା ଦେଇଥିବା ବେଳେ ଖବର ପାଇ ଗ୍ରାମବାସୀ ବି ପହଞ୍ଚି ଯାଇଥିଲେ। ସନୁଙ୍କ ବେକକୁ ଧାରୁଆ ଅସ୍ତ୍ରରେ କଟା ଯାଇଥିବା ବେଳେ ଶୋଇଥିବା ଖଟ ଓ କାନ୍ଥରେ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। ଏନେଇ ଡାବୁଗାଁ ଥାନାରେ କେଶ ନମ୍ବର ୫୪/୧୯ରେ ମାମଲା ରୁଜୁ ହୋଇ ଏସଆଇ ରଙ୍କନିଧି ସାହୁ ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର