ନିଶାଡିଙ୍କ ଠେଙ୍ଗାମାଡ଼ରେ ବୃଦ୍ଧା ମୃତ

ଧମା : ସମ୍ବଲପୁରରେ ନିଶା ଖାଇ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ନିଶାଶକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି ଗାଳିଗୁଲଜ କରିବା ସହ ଜଣେ ବୃଦ୍ଧାଙ୍କୁ ଠେଙ୍ଗାରେ ମାଡ଼ମାରି ହତ୍ୟା କରିଥିଲେ। ଏ ନେଇ ମୃତ ବୃଦ୍ଧାଙ୍କ ପୁଅ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କର ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି।

ସୂଚନାନୁସାରେ, ମାଳତୀଗୁଣ୍ଡେରପୁର ବେତ୍ରା(ତୁରୀ)ପଡ଼ା ଅଞ୍ଚଳର ସୁଶୀଲ ବାଗ ଗୁରୁବାର ନିଶାଶକ୍ତ ଅବସ୍ଥାରେ ଗୁଣ୍ଡେରପୁର ଫାଣ୍ଡି, ମାନେଶ୍ବର ବ୍ଲକ କାର୍ଯ୍ୟାଳୟ ଓ ତହସିଲ୍‌ କାର୍ଯ୍ୟାଳୟରେ ପାଟିତୁଣ୍ଡ କରିଥିଲା। ସେଠାରେ ଉପସ୍ଥିତ ଲୋକଙ୍କୁ ଗାଳିଗୁଲଜ ଦେଇଥିଲା। ଏହାପରେ ନିଜ ପଡ଼ାକୁ ଫେରି ସେଠାରେ ମଧ୍ୟ ଅସଭ୍ୟ ଭାଷାରେ ପାଟିତୁଣ୍ଡ କରିଥିଲା। ଏହାପରେ ସୁଶୀଲ ଓ ତାର କିଛି ସାଙ୍ଗ ମିଶି କୌଣସି କାରଣକୁ ନେଇ ଚିକୁ ବାଗକୁ ଗାଳି କରିବା ସହ ମାରପିଟ୍‌ କରିଥିଲେ। ଏତିକି ବେଳେ ଚିକୁକୁ ମାରପିଟ୍‌ ନକରିବା ପାଇଁ ମାଖନୀ ବାଗ(୬୫) କହିଥିଲେ। ଏତିକି ବେଳେ ସେମାନେ ଠେଙ୍ଗାରେ ମାଖନୀଙ୍କୁ ମାଡ଼ମାରି ଥିଲେ। ଏହି ମାଡ଼ରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ମାଖନୀଙ୍କ ପୁଅ ରାଜେନ୍ଦ୍ର ବାଗ ଗୁଣଣ୍ଡେରପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ।

ଶବ ରଖି ରାସ୍ତାରୋକ
ସମ୍ବଲପୁର ସୋନପୁର ୧୫ ନମ୍ବର ରାଜ୍ୟ ରାଜପଥ ମାଳତୀଗୁଣ୍ଡେରପୁର ଛକ ନିକଟରେ ବୃଦ୍ଧାଙ୍କୁ ନ୍ୟାୟ ଦିଅ ବୋଲି ଦାବି କରି ତାଙ୍କ ପରିବାର ଓ ସ୍ଥାନୀୟ ଲୋକେ ସନ୍ଧ୍ୟା ୭ଟା ୩୦ରୁ ରାତି ୯ଟା ଯାଏ ରାସ୍ତା ରୋକ କରିଥିଲେ। ଯେହେତୁ ଉକ୍ତ ହତ୍ୟାକାରୀ ପରିବାର ଲୋକଙ୍କ ସମେତ ପଡ଼ାବାସୀ ବୃଦ୍ଧାଙ୍କ ଶବ ରଖି ଗୁଣ୍ଡେରପୁର ରାସ୍ତା ଅବରୋଧ କରିଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା।

ସମ୍ବନ୍ଧିତ ଖବର