ଅରକ୍ଷିତଙ୍କୁ ଦଇବ ବି ସାହା ହେଉନି : ସରକାରୀ ଆବାସଟିଏ ପାଇଁ ଦୌଡ଼ି ଦୌଡି ୨୦ ବର୍ଷ ବିତିଲା, ମିଳୁନି ସୁଫଳ

ମୁଖ୍ୟମନ୍ତ୍ରୀଙ୍କୁ ଦୁଇ ଥର ଚିଠି ଲେଖିଲେଣି

ବୁଗୁଡ଼ା : ନିଆଁର ଆଁରେ ବାସଖଣ୍ଡିକ ପୋଡ଼ି ପାଉଁଶ ହୋଇଗଲା। ହେଲେ ଏହା ଭିତରେ ୨୦ ବର୍ଷ ବିତିସାରିଛି। ମୁଣ୍ଡ ଗୁଞ୍ଜିବାକୁ ସରକାରୀ ଆବାସଟିଏ ଯୋଗାଇଦେବାକୁ  ଅରକ୍ଷିତ ବିଡିଓ ଓ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ବାରସ୍ଥ ହୋଇସାରିଲେଣି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଦୁଇ ଥର ଚିଠି ଲେଖିଛନ୍ତି। କିନ୍ତୁ ସବୁଆଡ଼ୁ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଆଉ ବୟସର ସାୟାହ୍ନ‌ରେ ପତ୍ନୀ କମକଳା ଓ ଝିଅ ସହ ଏକ ନୂଆଁଣିଆ ଚାଳଛପରରେ ଅରକ୍ଷିତ ଦୁର୍ଦ୍ଦିନ ଜୀବନ କାଟୁଛନ୍ତି। ଆଉ ଦଇବ ତାଙ୍କୁ କେବେ ସାହା ହେବ ଓ ସରକାରଙ୍କ କୃପାଦୃଷ୍ଟି ତାଙ୍କ ଉପରେ କେବେ ପଡ଼ିବ, ଏହାକୁ ଅପେକ୍ଷା କରିଛନ୍ତି।

ଗଞ୍ଜାମ ଜିଲ୍ଲା  ବୁଗୁଡ଼ା ବ୍ଲକ୍ ଅନ୍ତରପଡ଼ା ପଞ୍ଚାୟତ ଅଧୀନ ବକ୍ସିପଲ୍ଲୀ ଗ୍ରାମର ଅରକ୍ଷିତ ନାଇକ (୭୫) ଓ ପତ୍ନୀ କାମକଳା (୭୦)। ୨୦୦୧ ଜାନୁଆରି ୨୨ ତାରିଖରେ ଅଗ୍ନିକାଣ୍ଡରେ  ଘର ପୋଡ଼ି ପାଉଁଶ ହୋଇଯିବାରୁ ଦମ୍ପତି ବେସାହାରା ପାଲଟିଯାଇଥିଲେ। ପରେ ସରକାରୀ ଆବାସରେ ସାମିଲ ପାଇଁ ଅରକ୍ଷିତ ବିଡିଓ ଓ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଗୁହାରି କଲେ। ଶେଷ‌ରେ ୨୦୦୭-୦୮ ଆର୍ଥିକବର୍ଷରେ ପଞ୍ଚାୟତର ସୁପାରିସ କ୍ରମେ ୨୫ ହଜାର ଟଙ୍କାର ଇନ୍ଦିରା ଆବାସ ପାଇଁ ଅରକ୍ଷିତଙ୍କୁ କାର୍ଯ୍ୟାଦେଶ ମିଳିଲା। ଖୁସିରେ ଧାରଉଧାର କରି ଘର ତୋଳିବା ପାଇଁ ଅରକ୍ଷିତ ପୁନାଦ ଖୋଳିଲେ। ଏଥିପାଇଁ ସେ ୧୪ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ହେଲେ ପ୍ରଥମ କିସ୍ତିରେ ତାଙ୍କୁ ମାତ୍ର ୧୦ ହଜାର ଟଙ୍କା ମିଳିଲା। ଯେଉଁଥିରୁ ଗ୍ରାମସେବକ ହାତଗୁଞ୍ଜା ବାବଦକୁ ୨ ହଜାର ଟଙ୍କା ନେଇଯାଇଥିଲେ। ଫଳରେ ତାଙ୍କୁ ଆହୁରି ୬ ହଜାର ଟଙ୍କା ଋଣ ପରିଶୋଧ କରିବାକୁ ପଡ଼ିଲା। ଫଳରେ ସେ ଘରକାମକୁ ଅଧା ରଖି ଋଣ ପରିଶୋଧ ପାଇଁ ମୂଲ ଲାଗିଲେ। ଏହାମଧ୍ୟରେ ଅରକ୍ଷିତଙ୍କ ବୟସ ବଢ଼ିବାରେ ଲାଗିଥିବାରୁ କାମ କରିବା ତାଙ୍କ ପକ୍ଷେ କାମ କରିବା ଆଉ ସମ୍ଭବପର ନଥିଲା। ଏଭଳି ପରିସ୍ଥିତିରେ ପରିବାରର ପ୍ରତିପୋଷଣ କରିବାକୁ ପଡ଼ିଲା। ଘର ପାଇଁ ଟଙ୍କା ଯେଗାଡ଼ କରିବେ ନା’ ପରିବାର ପାଇଁ ଦୁଇଓଳା ଦାନା ଯୋଗାଡ଼ କରିବେ ଏହି ଚିନ୍ତାରେ ଅରକ୍ଷିତ ପଡ଼ିଯାଇଥିଲେ।  ଆଉ ଅର୍ଥାଭାବରୁ ଘର କାମ ସେମିତି ଅଧାରେ ଅଟକିଗଲା।

ଏହା ମଧ୍ୟରେ ୨୦ ବର୍ଷ ବିତିଗଲାଣି। ଫାଇଲିନ୍, ଫନି, ତିତଲି ଓ ହୁଡ୍‌ହୁଡ଼୍ ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ଅରକ୍ଷିତ ସାମ୍ନା କରିସାରିଲେଣି। କ୍ଷତିଗ୍ରସ୍ତଙ୍କୁ ସରକାର ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇଦେଇଛନ୍ତି। ‌ହେଲେ ଅରକ୍ଷିତଙ୍କ ଦୁଃଖ ସରୁନି କି, ଆଖିରୁ ଲୁହ ଶୁଖୁନି। ଏହାମଧ୍ୟରେ ଘର କାମ ସଂପୂର୍ଣ୍ଣ ହୋଇ ପାରୁ ନଥିବାରୁ ୨୦୧୬ରେ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାଦେଶକୁ ରଦ୍ଦ କରିବା ପାଇଁ ନୋଟିସ୍ ପଠାଇଛନ୍ତି। ଆଉ ଆବାସ ଯେମିତି ଅରକ୍ଷିତଙ୍କ ପାଇଁ ସାତସପନ ପାଲଟିଛି। କିଛି ଅନୁଦାନ ମିଳୁ ବୋଲି ସରକାରୀ ବାବୁଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧିଙ୍କୁ ଗୁହାରି କରି ଥକି ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ।

ଏହାମଧ୍ୟରେ ସହାୟତା ପାଇଁ ଅରକ୍ଷିତ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ୨ଥର ଚିଠି ଲେଖିସାରିଛନ୍ତି। ପଞ୍ଚାୟତରେ ଚାଲିଥିବା ‘ମୋ ନିବେଦନ’ କାର୍ଯ୍ୟକ୍ରମରେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଫେରାଦ୍ ହୋଇଛନ୍ତି। କିନ୍ତୁ ପକ୍କାଘର ପାଇବା ଆ‌ଶା କେବେ ପୂରଣ ହେବ ଏହାକୁ ସେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି।

ବର୍ତ୍ତମାନ ଅରକ୍ଷିତଙ୍କ ଦୁଇ ପୁଅ ବାହା ହୋଇ ଅଲଗା ରହୁଛନ୍ତି। ଏକ ଚାଳଛପରରେ ଅରକ୍ଷିତ, ପତ୍ନୀ କାମକଳା ଓ ଝିଅ ଶୈଳ ରହୁଛନ୍ତି। ମୂଲ ଲାଗିପାରୁ ନଥିବାରୁ ସରକାରୀ ସହାୟତା ଭାବେ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା ହିଁ ଦମ୍ପତିଙ୍କ ଏକ ମାତ୍ର ସାହାରା ପାଲଟଛି। ଅରକ୍ଷିତଙ୍କ ଉପରେ ସରକାରଙ୍କ କୃପାଦୃଷ୍ଟି କେବେ ପଡ଼ୁଛି ଏହା ଦେଖିବାକୁ ବାକି ରହିଛି।

ସମ୍ବନ୍ଧିତ ଖବର