ବଜାର ଖୋଲିରେ ଅସହାୟ ବୃଦ୍ଧଙ୍କ ପେଟ ପୁରେ, ସରକାରୀ ସ୍ତରରେ ଥଇଥାନ କରାଯିବାକୁ ଦାବି

ଚାନ୍ଦବାଲି (ଅରୁଣ ସାହୁ ): ରାସ୍ତାକଡ଼ରେ ଏକ ପାଚେରୀ କାନ୍ଥକୁ ଲାଗି ପଲା ମାରି ନିଜ ଜୀବନ ନେଇ ଜୀଇଁଛନ୍ତି ଜଣେ ଅସହାୟ ବୃଦ୍ଧ। ନାମ ତାଙ୍କର ମନୁ ମାଝୀ । ବୟସ ପାଖାପାଖି ୮୦ ଛୁଇଁଲାଣି ଆଖିକୁ ଭଲ ଭାବରେ ଦିଶୁ ନାହିଁ । ମନୁ ମାଝୀଙ୍କର କେହି ଆତ୍ମୀୟ ସ୍ୱଜନ ନ ଥିବା ବେଳେ ପରିଣତ ବୟସରେ ପାଦକାଢ଼ି ବାଟ ଚାଲିବାକୁ ତାଙ୍କର ମଧ୍ୟ ବଳ ପାଉନାହିଁ । ଆଖି ଯେମିତି ଠାରି ଡ଼ାକୁଛି ତାଙ୍କୁ କେହି ଉଦ୍ଧାର କରିବା ପାଇଁ । ହେଲେ ବୃଦ୍ଧଙ୍କ କଷ୍ଟ ଜୀବନର ଦୃଶ୍ୟ ସମସ୍ତଙ୍କ ନଜର ପଡ଼ୁଛି ହେଲେ କେହି ସହାୟତାର ହାତ ବଢ଼ାଉ ନାହିାଁନ୍ତି ।

ପାଚେରୀ କାନ୍ଥକୁ ଲାଗି ଖରାବର୍ଷା ଅନ୍ଧାର ରାତି ପୋକ ଯୋକ ମଶା ଡ଼ାଆଁଶ ଗହଣରେ ଏମିତି ବର୍ଷ ବର୍ଷ ଧରି ଜୀବନ କାଟୁଛନ୍ତି । ଏ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ମଧୁବାବୁ ଛକ ନିକଟରେ ଥିବା ଡ଼୍ରେନେଜ କାର୍ଯ୍ୟାଳୟ ପାଚେରୀ କାନ୍ଥ ନିକଟର ଦୃଶ୍ୟ । ଏହି କାର୍ଯ୍ୟାଳୟ ବାଉଣ୍ଡରି ୱାଲ ନିକଟରେ ଆଉଜି ରହି ଛଳଛଳ ଆଖିରେ ଲୋକଙ୍କୁ ଚାହିଁ ସାହାରା ଖୋଜୁଛନ୍ତି ଅସହାୟ ବୃଦ୍ଧ ମନୁ ମାଝୀ । ମନୁ ମାଝୀଙ୍କ କେହି ଆତ୍ମୀୟ ମଧ୍ୟ ନାହାଁନ୍ତି ।

ଯୁବାବସ୍ଥାରେ କଲିକତାରୁ ଚାନ୍ଦବାଲି ବନ୍ଦରାଞ୍ଚଳକୁ ଚାଲିଆସିଥିବା ବେଳେ ବୈତରଣୀ ନଦୀରେ ମାଛ ମାରୀ ଜୀବିକା ନିର୍ବାହ କରୁଥିଲେ । ହେଲେ ଯୁବ ବୟସ ମନୁ ମାଝୀଙ୍କୁ ବାର୍ଦ୍ଧକ୍ୟରେ ପହଁଚିଥିବା ବେଳେ ନା ସରକାରୀ ସ୍ତରରେ ମିଳୁଛି ଖାଦ୍ୟ ନା ତାଙ୍କ ପାଇଁ ଅଛି ଭତ୍ତା । ଚାନ୍ଦବାଲି ବ୍ଲକ ମୁଖ୍ୟ କାର୍ଯ୍ୟାଳୟକୁ ଯିବା ବାଟରେ ଭୋକିଲା ହୋଇ ରହିଛନ୍ତି ମନୁ ମାଝୀ । ହେଲେ ଏହି ବାଟେ ଦେଇ ବଡ଼ବଡ଼ ସରକାରୀ ବାବୁମାନେ ଯିବା ଆସିବା କରୁଥିବା ବେଳେ କେହି ଆଡ଼ ଆଖିରେ ମଧ୍ୟ ଚାହାଁନ୍ତି ନାର୍ହି । ଏପରି ଦୁର୍ଦ୍ଦିନରେ ମନୁଙ୍କ ସାହାରା ପାଲଟିଛନ୍ତି ସ୍ଥାନୀୟ ମଧୁବାକୁ ଛକରେ ଥିବା ଦୋକାନୀମାନେ ।

ଚାନ୍ଦବାଲି ମଧୁବାବୁ ବଜାର ଖୋଲିଲେ ମନୁମାଝୀ ଭୋକିଲା ପେଟରେ ଦାନା ଯାଏ । ନହେଲେ ରାସ୍ତା କଡ଼ରେ ପାଣି ଟ୍ୟାପରୁ ପାଣି ପିଇ ପେଟ ଭରନ୍ତି । କରୋନା ମହାମାରୀ ଲକ ଡ଼ାଉନ ସମୟରେ କିଛି ଓଡ଼ିଶାର ମାନବିକତା ନାମକ ସଂଗଠନର କିଛି ଯୁବ ଗୋଷ୍ଠୀ ଏବଂ ସ୍ଥାନୀୟ ଯୁବକ ବୃଦ୍ଧଙ୍କୁ ଶୁଖିଲା ଖାଦ୍ୟ ବିସ୍କୁଟ ଆଦି ଯୋଗାଇ ଦେଇଥାନ୍ତି ନ ହେଲେ ଦିନେ ଦିନେ ଖାଡ଼ା ଉପବାସ ରହି ଜୀବନ କାଟନ୍ତି । । ଚାନ୍ଦବାଲିରେ ଜରାନିବାସ ନଥିବାରୁ ମନୁ ମାଝୀଙ୍କ ପରି ବହୁ ବୃଦ୍ଧ ବୃଦ୍ଧା ପରିଣତ ବୟସରେ ଫୁଟପାଥରେ ଜୀବନ କାଟୁଛନ୍ତି । ମନୁ ମାଝୀଙ୍କୁ ଯଦି ସରକାରୀ ସ୍ତରରେ ଥଇଥାନ କରାଯାଆନ୍ତା, ବାକିତକ ଜୀବନ ଶାନ୍ତିରେ କଟନ୍ତା ବୋଲି ମଧୁବାବୁ ଛକରେ ଥିବା ଦୋକାନୀମାନେ କରିଛନ୍ତି ।

ସମ୍ବନ୍ଧିତ ଖବର