ମାତ୍ର ୩୭୦୦ ଟଙ୍କା ପାଇଁ ୭ ବର୍ଷରେ ୬୦ ଥର ଧାଇଁଲେଣି କୋର୍ଟ

କଳାବାଡ଼ିଆ : ଧାନ ବିକ୍ରି ବାବଦରେ କୋର୍ଟ ଜିମାରେ ଥିବା ୩୭୦୦ ଟଙ୍କା ଫେରିପାଇବା ଲାଗି ୭ ବର୍ଷରେ ୬୦ ଥର ଧାଇଁଲେଣି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ପଥୁରୀ ପଞ୍ଚାୟତ ବୁଡାମରା ଉଦାଳି ଗ୍ରାମର ଯୋଗେଶ୍ବର ବେହେରା। ଏ ସଂକ୍ରାନ୍ତରେ ବାରିପଦା ଏସ୍‌ଡିଜେଏମ୍‌ କୋର୍ଟରେ ୨୦୧୩ ମସିହାରୁ ଚାଲିଛି ମାମଲା। ଏଯାଏ ଏହି କେସ୍‌ ତୁଟି ନଥିବା ବେଳେ ନ୍ୟାୟିକ ପ୍ରକ୍ରିୟାର ଗୋଲକ ଧନ୍ଦାରେ ଅଣନିଶ୍ବାସୀ ହୋଇଗଲେଣି ଯୋଗେଶ୍ବର। ମାମଲାର ଓକିଲ ଖର୍ଚ୍ଚ ଓ ଯାତାୟାତ ବାବଦକୁ ତାଙ୍କର ହଜାର ହଜାର ଟଙ୍କା ଖର୍ଚ୍ଚ ହେଲାଣି। ତଥାପି ସେ ଟଙ୍କା ପାଇବା ଆଶା ଛାଡ଼ିନାହାନ୍ତି।

ଘଟଣାଟି ଏମିତି। ୧୯୬୪ ମସିହାରେ ଯୋଗେଶ୍ବରଙ୍କ ପିତା ସେହି ଗ୍ରାମର ରାଧାକାନ୍ତ ଦାସଠାରୁ ଏକ ଜମି କିଣିଥିଲେ। ଯାହାର ପ୍ଲଟ୍‌ ନଂ. ୬୭୪/୬୭୬, ଖାତା ନଂ ୧୩୮ ରକବା ଏ୦.୮୧ ଡେସିମିଲ। ୧୧ ନଭେମ୍ବର ୨୦୧୩ ମସିହାରେ ଯୋଗେଶ୍ବର ସେହି ଜମିରେ ଚାଷ କରିଥିବା ଧାନକୁ ଲୋକ ଲଗାଇ ରାଧାକାନ୍ତ ଦାସ ଓ ତାଙ୍କ ପୁଅ କୃଷ୍ଣଚନ୍ଦ୍ର ଦାସ କାଟି ନେଇଥିବା ସଂପର୍କରେ ବାଙ୍ଗିରିପୋଷି ଥାନାରେ ଅଭିଯୋଗ ହୋଇଥିଲା। ବାଙ୍ଗିରିପୋଷି ଥାନା କେସ୍‌ ନଂବର ୧୨୭/୨୦୧୩ରେ ମାମଲା ରୁଜୁ କରି ବଳକା ଧାନକୁ ସର୍ବସମ୍ମୁଖରେ ୩୭୦୦ ଟଙ୍କାରେ ବିକ୍ରି କରି କୋର୍ଟ ଜିମା ଦେଇଥିଲା। ସେବେଠୁ ଏହି ମାମଲାର ବିଚାର ବାରିପଦା ଏସ୍‌ଡିଜେଏମ୍‌ କୋର୍ଟରେ (କେସ୍‌ ନଂ ୧୭୫୪/୧୩) ଚାଲିଛି। ଏହା ମଧ୍ୟରେ ୭ ବର୍ଷ ବିତିଗଲାଣି। ୩୭ ଶହ ଟଙ୍କା ପାଇଁ ୭ ଜଣ ସାକ୍ଷୀଙ୍କ ସହିତ ୬୦ ଥର କୋର୍ଟ ବାରଣ୍ଡା ମାଡ଼ିଲେଣି ବୋଲି ଯୋଗେଶ୍ବର କହିଛନ୍ତି। ଏହି ମାମଲାରେ ହାଇକୋର୍ଟରୁ ରାଧାକାନ୍ତ ଦାସ ଓ କୃଷ୍ଣଚନ୍ଦ୍ର ଦାସ ଜାମିନ୍‌ ପାଇ ଆସିଛନ୍ତି। ଏହା ମଧ୍ୟରେ ଯୋଗେଶ୍ବରଙ୍କ ବାପା ପୂର୍ଣ୍ଣଚନ୍ଦ୍ର ବେହେରାଙ୍କର ମୃତ୍ୟୁ ହୋଇ ସାରିଲାଣି। ତଥାପି ନିଜ ଟଙ୍କା ଓ ନ୍ୟାୟ ପାଇବାର ଆଶା ଛାଡ଼ି ନାହାନ୍ତି ଯୋଗେଶ୍ବର।

ସମ୍ବନ୍ଧିତ ଖବର