ନାବାଳିକା ଝିଆରୀ, ଭାଇବୋହୂଙ୍କୁ ଦୁଷ୍କର୍ମ ଅଭିଯୋଗ : ଲୋକଲଜ୍ଜା, ଗିରଫ ଭୟରେ ବୃଦ୍ଧଙ୍କ ଆତ୍ମହତ୍ୟା

ଜଙ୍ଗଲରୁ ମିଳିଲା ଝୁଲନ୍ତା ଶବ

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ଇଲାକାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୬୨ ବର୍ଷୀୟ ବୃଦ୍ଧ ତାଙ୍କ ନାବାଳିକା ଝିଆରୀ ଓ ଭାଇବୋହୂଙ୍କୁ ଦୁଷ୍କର୍ମ କରିବା ଏବଂ ଲୋକଲଜ୍ଜା ଭୟରେ ଶେଷରେ ନିଜେ ଆତ୍ମହତ୍ୟା କରିବା ଭଳି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାର ୬ ଦିନ ପରେ ଜଙ୍ଗଲରୁ ତାଙ୍କର ଝୁଲନ୍ତା ଶବ ମିଳିଛି। ଏନେଇ ଘୁ.ଉଦୟଗିରି ଥାନାରେ କେସ୍ ନମ୍ବର ୨ ଅନୁସାରେ ଏପ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସୂଚନା ଅନୁସାରେ, ବନ୍ଧୁରାଜ ପ୍ରଧାନ(୬୨)ଙ୍କ ସାନଭାଇଙ୍କ ମୃତ୍ୟୁ ହୋଇସାରିଛି। ତାଙ୍କ ବିଧବା ଭାଇବୋହୂ ଓ ନାବାଳିକା ଝିଆରୀ ଘରେ ରହୁଥିଲେ। ଗତ ୧ ତାରିଖରେ ବନ୍ଧୁରାଜ ଭାଇବୋହୂଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ହେଲେ, ଲୋକଲଜ୍ଜା ଭୟରେ ସେ ଏହି କଥା ବାହାରେ ପ୍ରକାଶ କରି ନ ଥିଲେ। ପୁଣି ଗତ ୨ ତାରିଖରେ ୧୪ବର୍ଷୀୟ ନାବାଳିକା ଝିଆରୀ ଗାଁ ପାଖ ଜଙ୍ଗଲକୁ ଯାଇଥିବାବେଳେ ସେଠାରେ ବନ୍ଧୁରାଜ ତାକୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲେ। ଘଟଣା ବିଷୟରେ ନାବାଳିକାଜଣକ ଘରକୁ ଆସି ମା’ଙ୍କୁ କହିଥିଲା। ନାବାଳିକାଙ୍କ ମା’ ଏନେଇ ଗ୍ରାମର କିଛି ଭଦ୍ରଲୋକଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ପରେ ଗାଁ କମିଟି ଏକ ବୈଠକ କରି ବନ୍ଧୁରାଜଙ୍କୁ ଡାକିଥିଲେ। ହେଲେ ବନ୍ଧୁରାଜ ନଆସି ଗ୍ରାମରୁ ଫେରାର୍ ହୋଇଯାଇଥିଲେ।

ଶେଷରେ ଭାଇବୋହୂ ଏନେଇ ଘୁ.ଉଦୟଗିରି ଥାନାରେ ଏତଲା ଦେବା ପରେ କେସ୍ ନମ୍ବର ୬୨, ଆଇପିସି ୩୭୬(୨), ୩୫୪, ୫୦୬ ଓ ପୋକ୍‌ସୋ ଆଇନର ଧାରା ୮ ଅନୁସାରେ ମାମଲା ରୁଜୁ ହୋଇଥିଲା। ମହିଳା ଏସ୍‌ଆଇ କୌଶଲ୍ୟା ବେହେରା ମାମଲାର ତଦନ୍ତ କରୁଥିଲେ। କିନ୍ତୁ ବନ୍ଧୁରାଜଙ୍କୁ ଠାବ କରାଯାଇ ପାରି ନ ଥିଲା। ଗତ ୭ ତାରିଖ ଦିନ ମାଲାନସୁଗା ନିକଟରେ ଥିବ‌ା ଜଙ୍ଗଲର ସାହାଡ଼ା ଗଛରୁ ବନ୍ଧୁରାଜଙ୍କ ଝୁଲନ୍ତା ଶବ ମିଳିଥିଲା। ପୁଲିସ ଶବକୁ ଜବତ କରିଥିବା ବେଳ‌େ ଲୋକଲଜ୍ଜା ଓ ଗିରଫ ଭୟରେ ବନ୍ଧୁରାଜ ଆତ୍ମହତ୍ୟା ଭଳି ଏକ ପଦକ୍ଷେପ ନେଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ଏଏସ୍‌ଆଇ ସୁବାସ ଚନ୍ଦ୍ର ପ୍ରଧାନଙ୍କୁ ତଦନ୍ତ ଭାର ଅର୍ପଣ କରାଯାଇଥିବା ଥାନାଧିକାରୀ ନରେଶ କୁମାର କୁମାର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର