ନବରଙ୍ଗପୁର: ପ୍ରଶାସନକୁ ଆଲୋକ ଦେଖାଇ ଅସ୍ତ ହୋଇଗଲେ ଅନ୍ଧାରୀ ମୁଲକର ସୂର୍ଯ୍ୟ। ଜୀବନ ଯୁଦ୍ଧରେ ହାରିଗଲେ ନବରଙ୍ଗପୁର ଜିଲ୍ଲାର ସୂର୍ଯ୍ୟ ହରିଜନ, ଦୀର୍ଘ ବର୍ଷର ସଂଘର୍ଷ ପରେ ଗତକାଲି ସେ ଚିରନିଦ୍ରାରେ ଶୋଇପଡିଛନ୍ତି।

Advertisment

ଫିଙ୍ଗର ପ୍ରିଣ୍ଟ ମିଶୁ ନ ଥିବାରୁ ଦୀର୍ଘ ତିନି ମାସ ଧରି ପେନସନରୁ ବଞ୍ଚିତ ହୋଇଥିବା ବେଳେ ଅନ୍ୟପଟେ ଗୋଡ଼ ଭାଙ୍ଗି ଯାଇଥିବାରୁ ହାତରେ ପ୍ଲାଷ୍ଟିକ ଚୌକି ଧରି ବୁଲୁଥିବା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡା ପଂଚାୟତ ସଦର ମହକୁମାର ୭୦ ବର୍ଷୀୟା ବୃଦ୍ଧା ଥିଲେ ସୂର୍ଯ୍ୟ ହରିଜନ। ସାମାଜିକ ଗଣମାଧ୍ୟମରେ ସୂର୍ଯ୍ୟଙ୍କ ଭିଡିଓ ଭାଇରାଲ୍ ପରେ ଚାଞ୍ଚଲ୍ୟପାଲଟି ଯାଇଥିଲା।ସରକାରୀ ବ୍ୟବସ୍ଥାକୁ ବିଦ୍ରୁପ କରୁଥିବାର ଏହି ଭିଡିଓ କେନ୍ଦ୍ର ଅର୍ଥ ମନ୍ତ୍ରୀ ସୀତା ରମଣଙ୍କ ନଜରକୁ ଆସିବା ପରେ ସେ ଟ୍ୱିଟ୍‌ କରି ତାଗିଦ କରିବା ପରେ ପ୍ରଶାସନ ସୂର୍ଯ୍ୟଙ୍କ ଘରେ ପହଂଚି ଏକ ହ୍ଵିଲ ଚେୟାର ଓ ଛଅ ମାସର ପେନସନ ପ୍ରଦାନ କରିବା ସହ ତାଙ୍କର ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହାସହ ନବରଙ୍ଗପୁର ଜିଲ୍ଲା ପ୍ରଶାସନ କିଭଳି ଏଭଳି ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଘରେ ପେନସନ ଦେବା ପାଇଁ ତତ୍ପରତା ଦେଖାଇଥିଲେ।

ସରକାରୀ ବ୍ୟବସ୍ଥାର ତ୍ରୁଟି ବିଚ୍ୟୁତିକୁ ସଠିକ ମାର୍ଗ ଦେଖାଇ ଜୀବନରେ ଅନେକ ଯନ୍ତ୍ରଣା ସହିବା ପରେ ଯେତେବେଳେ ସୁଖ ଭୋଗିବାର ସମୟ ଆସିଲା, ସେ ସୁଖ ଭୋଗ କରିବାକୁ ସୂର୍ଯ୍ୟ ଆଉ ନାହାନ୍ତି। ଗତକାଲି ସେ ଶାନ୍ତିରେ ଚିରନିଦ୍ରାରେ ଶୋଇପଡିଛନ୍ତି।| ସୂର୍ଯ୍ୟଙ୍କ ମୃତ୍ୟୁରେ ଆତ୍ମୀୟ ସ୍ୱଜନ ସମସ୍ତେ ଭାଙ୍ଗିପଡ଼ିଥିବା ବେଳେ ଗ୍ରାମରେ ଏକ ପ୍ରକାର ଶୋକାତୁର ବାତାବରଣ ଦେଖାଦେଇଛି।