ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବିନିକା ଥାନା ଅନ୍ତର୍ଗତ ବାଙ୍କିଘିରିଡ଼ି ଗାଁରେ ଜଣେ ବୃଦ୍ଧାଙ୍କ ଉପରେ ସଜନା ଗଛ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ପ୍ରବଳ ବର୍ଷା ଯୋଗୁଁ ଗଛଟି ଭାଙ୍ଗି ତାଙ୍କ ଉପରେ ପଡ଼ିଥିଲା। ମୃତକଙ୍କ ନାଁ ବାସନ୍ତୀ ମହାନନ୍ଦ । ତାଙ୍କର ବୟସ ୭୩ ବର୍ଷ ବୋଲି କୁହାଯାଉଛି। ତାଙ୍କର ଘର ବାଙ୍କିଘିରିଡ଼ି ଗାଁର ହରିଜନପଡ଼ାରେ ବୋଲି ଜଣାଯାଇଛି।

Advertisment

ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ସକାଳେ ବାସନ୍ତୀ ତାଙ୍କ ଘର ବାରିପଟେ ବାସନକୁସନ ମାଜୁଥିଲେ। ଏହି ସମୟରେ ସେଠାରେ ଥିବା ଏକ ସଜନା ଗଛ ହଠାତ୍ ଭାଙ୍ଗି ତାଙ୍କ ଉପରେ ପଡ଼ିଯାଇଥିଲା। ସେ ଚିତ୍କାର କରିଥିଲେ। ବାସନ୍ତୀଙ୍କ ପାଟି ଶୁଣି ଘରଲୋକେ ତାଙ୍କ ପାଖକୁ ଦୌଡ଼ି ଆସିଥିଲେ। ସେମାନେ ବାସନ୍ତୀଙ୍କ ମୁଣ୍ଡ ଓ ଗୋଡ଼ରେ ଆଘାତ ଲାଗିଥିବାର ଦେଖିବାକୁ ପାଇଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପରିବାର ଓ ସାହି ପଡ଼ିଶା ଲୋକେ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ବାସନ୍ତୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବୁର୍ଲାର ଭିମସାର ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା।

publive-image image source-new indian express

ଗତକାଲି ରାତିରେ ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ବାସନ୍ତୀ ଆଖି ବୁଜିଥିଲେ। ଶବ ବ୍ୟବଚ୍ଛେଦ ପରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ଜଣାଯାଇଛି।