ବୃଦ୍ଧାଙ୍କୁ ଦଳି ଦେଲା ହାତୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ହଣ୍ଡପା ବନାଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ହଣ୍ଡପା ବନାଞ୍ଚଳର କମରେଇ ଗାଁରେ ଘର ଭାଙ୍ଗି ଜଣେ ବୃଦ୍ଧାଙ୍କୁ ହାତୀ ଦଳି ଦେଇଥିବାର ଖବର ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, କମରେଇ ଗାଁର ଦେବକୀ ବେହେରା ନାମ୍ନୀ ବିଧବା ବୃଦ୍ଧା ନିଜର କୁଡ଼ିଆ ଘରେ ଏକୁଟିଆ ଥିଲେ। ତାଙ୍କ ସହ ଝିଅ ଓ ଜ୍ବାଇଁ ବି ରହିଥାନ୍ତି। ହେଲେ ଗତ କାଲି ରାତିରେ ଝିଅ ଓ ଜ୍ବାଇଁ ଘରେ ନ ଥିଲେ। ଦେବକୀ ବେହେରା ଘରେ ଏକାକିନୀ ଶୋଇଥିବା ବେଳେ ବିଳମ୍ବିତ ରାତିରେ ହାତୀ ଘର ଭାଙ୍ଗି ପଶି ତାଙ୍କୁ ଦଳି ଚକଟି ଦେଇଥିଲା। ଏହି ଘଟଣା ରାତି ୨ଟା ବେଳେ ଘଟିଥିବା କୁହାଯାଉଛି। ଫଳରେ ଘଟଣାସ୍ଥଳରେ ଦେଵକୀଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ବୟସ ୬୫ ବର୍ଷ ବୋଲି ଜଣାଯାଇଛି।
ଆଜି ସକାଳେ ଖବର ପାଇ ହଣ୍ଡପା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦେଵକୀଙ୍କ ମୃତ ଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ପଠାଇଛି। ଏହା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧିତ ଖବର