ପାତ୍ରପୁର : ଜରଡ଼ା ଥାନା ଅଧୀନ ମହାଦେଇପୁର ଗ୍ରାମର ମୁକ୍ତା ପ୍ରଧାନ (୬୫)ଙ୍କୁ ହତ୍ୟା ଓ ଲୁଟ୍ ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତଜଣକ ହେଉଛି, ଅଶୋକ ମହାରଣା। ସୁନା ଲୁଟିବା ଉଦ୍ଦେଶ୍ୟରେ ହିଁ ସେ ମୁକ୍ତାଙ୍କୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଛି। କିନ୍ତୁ ଏଯାଏ ଲୁଟ୍ ଅଳଙ୍କାର ଜବତ ହୋଇପାରି ନଥିବା ବେଳେ ମୁକ୍ତାଙ୍କ ଶବ ନିକଟରେ ପଡ଼ିଥିବା ଲାଲ୍ ରଙ୍ଗର ଚୁଡ଼ି କାହାର ତାହା ବିଷୟରେ ବି କିଛି ସୁରାକ୍ ମିଳିନି।
ମହାଦେଇପୁର ଗ୍ରାମର ମୁକ୍ତାଙ୍କ ଦିବଙ୍ଗତ ସ୍ବାମୀ ଓ ଅଭିଯୁକ୍ତ ଅଶୋକର ବାପା ସଂପର୍କରେ ଦୁଇ ସଙ୍ଗାତ। ଅଶୋକ ଗାଁରେ ବଢ଼େଇ କାମ କରୁଥିଲା। ମୁକ୍ତା ତାକୁ ସଙ୍ଗାତ ପୁଅ ବୋଲି ଡାକୁଥିଲେ। ଆଉ ବେଳେ ବେଳେ ଘରକୁ ଡାକି ଖାଇବାକୁ ଦେଉଥିଲେ। ହେଲେ ଅଶୋକ ତାଙ୍କ ବିଶ୍ବାସରେ ବିଷ ଦେବ ବୋଲି କଦାପି ଚିନ୍ତା କରି ନଥିଲେ। ମୁକ୍ତାଙ୍କ ସୁନା ଗହଣା ଉପରେ ଅଶୋକର ନଜର ଥିଲା। ଆଉ ଏହାକୁ ଲୁଟି ନେବାକୁ ସେ ସୁଯୋଗ ଖୋଜୁଥିଲା।
ଅଶୋକ ମୁକ୍ତାଙ୍କ ପଡ଼ୋଶୀ ଘରେ କିଛି ଦିନ କାଠ କାମ କରି ଯୋଜନା ପ୍ରସ୍ତୁତ କରୁଥିଲା। ଗତ ୧୧ ତାରିଖ ମଧ୍ୟାହ୍ନରେ ଅଧା କାମ ସରିବା ପରେ ସେ ବାରିପଟୁ ମୁକ୍ତାଙ୍କ ଘରେ ପଶି ସୁନା ଲୁଟ୍ ପାଇଁ ଚେଷ୍ଟା କରୁଥିଲା। ଏହି ସମୟରେ ତାଙ୍କ ସାନପୁଅ ଓ ସାନବୋହୂ ଘରେ ଉପସ୍ଥିତ ନଥିଲେ। ଅଶୋକକୁ ଦେଖି ମୁକ୍ତା ପାଟି କରିବାରୁ ସେ ତାଙ୍କ ପାଟିରେ କନାବିଣ୍ଡା ଦେଇ ମାଡ଼ି ବସିଥିଲା। ଶ୍ବାସରୁଦ୍ଧରେ ଛଟପଟ ହୋଇ ମୁକ୍ତା ପ୍ରାଣ ହରାଇଥିଲେ।
ହତ୍ୟା କରିବା ପରେ ଅଶୋକ ମହାଦେଇପୁରଗ୍ରାମ ନାଇକସାହିରେ ଦେଶୀ ମଦ ପିଇ ଘରକୁ ପଳାଇଥିଲା। ଆଉ ଅଧା କାମ କରିବାକୁ ଆସି ନଥିଲା। କିନ୍ତୁ ପୁଅ ତାକୁ ବାଧ୍ୟ କରି ପୁଣି ସେଠାକୁ ଆଣିଥିଲା। ଅପରାହ୍ଣ ୩ଟାରେ ଅଶୋକ କିଛି ନଜାଣିବା ଭଳି ପୁଅକୁ ଚା’ ଆଣିବାକୁ ମୁକ୍ତାଙ୍କ ଘରକୁ ପଠାଇଥିଲେ। ପରେ ମୁକ୍ତାଙ୍କ ଶବ ସେଠାରୁ ଉଦ୍ଧାର ହୋଇଥିଲା।
ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରି କେସ୍ ନମ୍ବର ୧୧ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳରୁ କିଛି ଲାଲଚୁଡ଼ି ବି ମିଳିଥିଲା। ଫଳରେ କିଛି ମହିଳା ଏଥିରେ ସଂପୃକ୍ତ ଥିବା ଅନୁମାନ କରାଯାଉଥିଲା। ଏଥିପାଇଁ ଜଣେ ମହିଳାଙ୍କୁ ପଚରାଉଚରା କରି ଛାଡ଼ିଦିଆଯାଇଥିଲା। ତେବେ ଅଶୋକ ହିଁ ପ୍ରଥମେ ପୁଲିସର ସନ୍ଦେହଘେରକୁ ଆସିଥିଲା। ଶେଷରେ ସମସ୍ତ ଦୋଷ ସ୍ବୀକାର କରିଥିଲା। ତେବେ ଲାଲ୍ଚୁଡ଼ି କାହାର ଏନେଇ କୌଣସି ସୁରାକ୍ ମିଳିନି। ଏଥିରେ ଅନ୍ୟ କେହି ସଂପୃକ୍ତ ଅଛି କି ନାହିଁ, ଏବିଷୟରେ ଅଧିକ ତଥ୍ୟ ହାସଲ ପାଇଁ ଅଶୋକକୁ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି ଜରଡ଼ା ଥାନାଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ପ୍ରକାଶ କରିଛନ୍ତି। ଅଶୋକ ପୂର୍ବରୁ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହୋଇ ବରଗଡ଼ ଜେଲରେ ଥିଲା। ସେହିପରି ଘରୋଇ ହିଂସା ମାମଲାରେ ବି ଜେଲ୍ ଯାଇଥିଲା।