ବୃଦ୍ଧାଙ୍କୁ ହତ୍ୟା, ଦୁର୍ବୃତ୍ତ ଫେରାର୍‌

ଠାକୁରମୁଣ୍ଡା: ଠାକୁରମୁଣ୍ଡା ବ୍ଲକ ମହୁଲଡ଼ିହା ଥାନା ଭାଲିଆଡାଳ ପଞ୍ଚାୟତ ବଉଳା ଗ୍ରାମର ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି। ଘଟଣାର ଦିନକ ପରେ ଖବର ପାଇ ପୁଲିସ ଘଣାର ତଦନ୍ତ ଚଳାଇଥିବାବେଳେ ହତ୍ୟାକାରୀ ଫେରାର ହୋଇଯାଇଛି। ସୂଚନାଯୋଗ୍ୟ, ବଉଳା ଗ୍ରାମର ନିସନ୍ତାନ ବୃଦ୍ଧ ଦମ୍ପତ୍ତି ଜୟରାମ ପୂର୍ତ୍ତି (୬୫) ଏବଂ ସ୍ତ୍ରୀ ସୁନେଇ ପୂର୍ତ୍ତି (୬୨) ଘରେ ଛେଳି ରଖି, ମୂଲ ଲାଗି ରଖି ଜୀବନ ବିତାଉଥିଲେ। ମଙ୍ଗଳବାର ଅପରାହ୍‌ଣରେ ଜୟରାମ ଯାତ୍ରା ଦେଖିବାକୁ ଭାଲିଆଡିହାକୁ ଯାଇ ରାତିରେ ଘରକୁ ଫେରି ନଥିଲେ। ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ବୃଦ୍ଧା ସୁନେଇଙ୍କୁ ମୁଣ୍ଡରେ ପିଟି ହତ୍ୟା କରିଛି।

ପରଦିନ ସନ୍ଧ୍ୟାରେ ଜୟରାମ ଘରକୁ ଫେରି ମୃତ ଏବଂ ରକ୍ତାକ୍ତ ଅବସ୍ଥାରେ ରୋଷେଇ ଘରେ ସ୍ତ୍ରୀ ପଡ଼ିଥିବା ଦେଖି ମର୍ମାହତ ହୋଇପଡ଼ିଥିଲେ। ବଣପାହାଡ ପରିବେଷ୍ଟିତ ଏବଂ ବିଦ୍ୟୁତ୍‌ ଓ ରାସ୍ତା ନଥିବାରୁ ବୃଦ୍ଧ ଜଣକ ନିରୁପାୟ ହୋଇ ଚୁପ୍‌ଚାପ୍‌ ରାତିରେ ଘରେ ବସି ରହିଥିଲେ। ଆଜିି ସକାଳେ ଗାଁଲୋକଙ୍କ ଜରିଆରେ ସରପଞ୍ଚଙ୍କୁ ଜଣାଇବା ପରେ ମହୁଲଡିହା ଥାନାକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ତେବେ ବୃଦ୍ଧାଙ୍କୁ କେହି ଦୁର୍ବୃତ୍ତ ତାଙ୍କ ମୁଣ୍ଡରେ ଶକ୍ତ ପ୍ରହାର କରିବାରୁ ତଳେ ପଡ଼ି ପ୍ରବଳ ରକ୍ତସ୍ରାବ ଜନିତ ପ୍ରାଣହାନୀ ଘଟିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି। ନିଛାଟିଆ ସ୍ଥାନରେ ଘର ଥିବାରୁ ଗ୍ରାମବାସୀ ହତ୍ୟାକାଣ୍ଡ ସଂପର୍କରେ ଜାଣି ପାରିନଥିଲେ। ମହୁଲଡ଼ିହା ଥାନା ଆଇଆଇସି ରଞ୍ଜୁ ହାସିନା କୁଲୁ, ଏସ୍‌ଡିପିଓ ସୁଦର୍ଶନ ଗାଙ୍ଗୋଇ ଘଟଣାର ତଦନ୍ତ ଚଳାଇଥିବାବେଳେ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ପହଞ୍ଚି ଆସାମୀକୁ ଧରିବାକୁ ପ୍ରୟାସ ଚଳାଇଛି।

ସମ୍ବନ୍ଧିତ ଖବର