ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

ରାୟଗଡ଼ା : ଗୁଣି ଗାରେଡ଼ି ସନ୍ଦେହରେ ରାୟଗଡ଼ା ସହରରେ ଗଡ଼ିଛି ମୁଣ୍ଡ। ହତ୍ୟାର ଶିକାର ହୋଇଛନ୍ତି କୋଇଲାପଡା ବସ୍ତିର ୫୫ ବର୍ଷୀୟା ଚନ୍ଦ୍ରମା ବିଭାର। ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଛି ପଡ଼ୋଶୀ ଯୁବକ ରାଜେଶ କୁଲେସିକା। ପୁଲିସ ଅଭିଯୁକ୍ତ ରାଜେଶକୁ ଗିରଫ କରିଛି। ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍, ଡଗ୍ ସ୍କ୍ବାଡ୍‌ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍। ମୃତଦେହ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ପୁଲିସ ସୂଚନା ମୁତାବକ, ମୃତ ଚନ୍ଦ୍ରମା ଆଖାପାଖ ଅଞ୍ଚଳର ଲୋକଙ୍କୁ ଗୁଣିଗାରେଡ଼ି କରି କ୍ଷତିଗ୍ରସ୍ତ କରୁଥିବା ସନ୍ଦେହରେ ରାଜେଶ ଏଭଳି ନାରକୀୟ କାଣ୍ଡ ଭିଆଇଛି। ଗତ କିଛିଦିନ ହେଲା ରାଜେଶ ହତ୍ୟାକାଣ୍ଡ ପାଇଁ ଯୋଜନା କରି ସୁଯୋଗକୁ ଅପେକ୍ଷା କରିଥିଲା। ଆଜି ସକାଳେ ଚନ୍ଦ୍ରମାଙ୍କ ପୁଅ ଅବିନାଶ କାମ କରୁଥିବା କସ୍ତୁରୀ ନଗର ଗ୍ୟାରେଜକୁ ଚାଲି ଯାଇଥିଲେ। ଏହାର ସୁଯୋଗରେ ଚନ୍ଦ୍ରମା ମଧ୍ୟାହ୍ନ ସମୟରେ ରାଜେଶଙ୍କ ଘରେ ପଶି ଚନ୍ଦ୍ରମାଙ୍କୁ ହତ୍ୟା କରିଥିଲା। ରାଜେଶ ଗୋଟିଏ ଟାଙ୍ଗିଆରେ ମୁଣ୍ଡ ସହ ଶରୀରର ବିଭିନ୍ନ ସ୍ଥାନକୁ ହାଣିବା ପରେ ଘଟଣାସ୍ଥଳରେ ହିଁ ଚନ୍ଦ୍ରମାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହାପରେ ରକ୍ତଭିଜା ଟାଙ୍ଗିଆକୁ ଧରି ସାହିସାରା ବୁଲିଥିଲା। ଫଳରେ, ଲୋକମାନେ ଭୟଭୀତ ହୋଇପଡ଼ିଥିଲେ।

ଖବର ପାଇ ଏସ୍‌ପି ବିବେକାନନ୍ଦ ଶର୍ମା, ଏସ୍‌ଡିପିଓ ଦିବ୍ୟଜ୍ୟୋତି ଦାଶ, ରାୟଗଡ଼ା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ, ଏସ୍‌ଆଇ ଶିବ ଶଙ୍କର ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଭିଯୁକ୍ତ ରାଜେଶକୁ କାବୁ କରିବା ସହ ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ପୁଲିସ୍ ଜବତ କରିଛି। ଏସ୍‌ପି ଶ୍ରୀ ଶର୍ମା ନିଜେ ମାମଲାର ତଦନ୍ତ ଭାର ନେଇଛନ୍ତି। ମୃତକଙ୍କ ପୁଅ ଅବିନାଶଙ୍କ କହିବାନୁଯାୟୀ, ଅଭିଯୁକ୍ତ ରାଜେଶକୁ ବ୍ୟାଙ୍କ ଋଣ କରାଇ ଦେବା ସହ ବିଭିନ୍ନ କ୍ଷେତ୍ରରେ ମା’ ଚନ୍ଦ୍ରମା ସାହାଯ୍ୟ କରିଥିଲେ। ହେଲେ ସାହାଯ୍ୟ କରିଥିବା ଲୋକଙ୍କୁ ହିଁ ରାଜେଶ ହତ୍ୟା କରିଛି। ଏହି ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର