ମୁଠାଏ ଚାଉଳ ପାଇଁ ୭୦ ବର୍ଷୀୟା ବୃଦ୍ଧା ୨୫ କିମି ଚାଲିବା ଘଟଣା: ଜିଲ୍ଲା ପ୍ରଶାସନ ପକ୍ଷରୁ ବୃଦ୍ଧାଙ୍କୁ ମିଳିଲା ରାସନ କାର୍ଡ

ନୂଆପଡ଼ା : ଜଣେ ୭୦ ବର୍ଷର ବୃଦ୍ଧା ଚାଉଳ ମୁଠାଏ ପାଇବା ପାଇଁ ୨୫ କିମି ଚାଲିକି ନୂଆପଡ଼ା ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ। ଦୁର୍ଭାଗ୍ୟକୁ ଜିଲ୍ଲାପାଳ କୌଣସି କାମ ପାଇଁ ବାହାରକୁ ଯାଇଥିବାରୁ ବୃଦ୍ଧା ଜଣକ ଭେଟିନପାରି ନିରାଶ ହୋଇଥିଲେ। ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶିତ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଶୁକ୍ରବାର ବୃଦ୍ଧାଙ୍କୁ ରାସନ କାର୍ଡ ପ୍ରଦାନ କରିବା ସହ ପଞ୍ଚାୟତ ଅଧିକାରୀଙ୍କୁ ତୁରନ୍ତ ଚାଉଳ ଦେବାକୁ ନିର୍ଦେଶ ହୋଇଛି। ଶୁକ୍ରବାର ଦିନ ନୂଆପଡ଼ା ଉପଜିଲ୍ଲାପାଳ ତରଣୀସେନ ନାଏକ ବୃଦ୍ଧା ଚମ୍ପାବାଇ ଲୁହାରଙ୍କୁ ଏକ ଅନ୍ତୋଦୟ କାର୍ଡ ପ୍ରଦାନ କରିଛନ୍ତି। ଏହି କାର୍ଡରେ ସେ ୩୫ କେଜି ପାଉଳ ପାଇବେ। ପୂର୍ବରୁ ଯେତେ ମାସର ଚାଉଳ ପାଇନାହନ୍ତି, ତୁରନ୍ତ ପ୍ରଦାନ କରିବାକୁ ଉପଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।

ସୂଚନାନୁସାରେ ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ ମୋଟା ନୂଆପଡ଼ା ପଞ୍ଚାୟତ କୁକୁରୀମୁଣ୍ଡି ଗ୍ରାମର ଚମ୍ପାବାଇ ଲୋହାର (୭୦ ବର୍ଷ)ଙ୍କୁ ମେ, ଜୁନ ମାସରୁ ଚାଉଳ ଦିଆ ଯାଉଥିଲା। ପରେ ଚାଉଳ ପାଇଁ ଗଲେ ଅଧିକାରୀମାନେ ବିଭିନ୍ନ ଆଳ ଦେଖାଇ ମନା କରୁଥିଲେ। ବାରମ୍ବାର ସରପଞ୍ଚ ଓ ପଞ୍ଚାୟତ ପିଇଓଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣିନଥିଲେ। ଶେଷରେ ଭୋକ ଉପାସରେ ଚମ୍ପାବାଇ ରାସନ କାର୍ଡ ଧରି ଗତ ସୋମବାର ଠାରୁ ଜିଲ୍ଲାପାଳଙ୍କୁ ଦେଖା କରିବାକୁ ଆସିଥିଲେ। ୨୫ କିମି ୨ଦିନ ଚାଲିକି ଆସିବା ପରେ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିରାଶ ହୋଇଥିଲେ।

ଉପଜିଲ୍ଲାପାଳ ଶ୍ରୀ ନାୟକ କହିଛନ୍ତି ଏହି ଘଟଣା ପ୍ରକାଶ ହେବା ପରେ ତଦନ୍ତ ହୋଇଥିଲା। ମୋଟା ନୂଆପଡ଼ା ପଞ୍ଚାୟତରେ ଚମ୍ପାବତୀଙ୍କ ପୁଅ ଜେଷ୍ଠୁ ଲୁହାର ପାଖରେ କାର୍ଡ ରହିଥିଲା। ପୁଅ ଏହି କାର୍ଡକୁ କୋମନା ବ୍ଲକ୍‌ ଠିକପାଲିକୁ ସ୍ଥାନାନ୍ତର କରିଥିଲେ। ତେଣୁ ଚମ୍ପାବାଇଙ୍କ ଚାଉଳ ବନ୍ଦ ହୋଇଥିଲା। ଜିଲ୍ଲାପ୍ରଶାସନ ଚମ୍ପାବତୀଙ୍କୁ ଚାଉଳ, କାର୍ଡ ଦେବା ସହ ଏକ ଗାଡ଼ିରେ ନିଜ ଘର କୁକୁରୀମୁଣ୍ଡିରେ ଛାଡ଼ିଛି।

ସମ୍ବନ୍ଧିତ ଖବର