କୋଇଡ଼ାର ସତ: ଭିନ୍ନକ୍ଷମ ବୃଦ୍ଧା ଶନିବାରୀ ମୁଣ୍ଡାଙ୍କ ରାସନ ୬ ବର୍ଷ ଓ ଭତ୍ତା ୩ ବର୍ଷ ହେଲା ବନ୍ଦ

ସୁନ୍ଦରଗଡ଼ : ଖଣିଜ ସଂପଦରେ ଭରପୂର ‌ସୁନ୍ଦରଗଡ଼ର କୋଇଡ଼ା ବ୍ଲକ୍‌ ସରକାରଙ୍କୁ କେବଳ କୋଟି କୋଟିର ରାଜସ୍ବ ଦେଉନାହିଁ, ଖଣି ମାଲିକ ଓ ଶିଳ୍ପପତିମାନେ ମଧ୍ୟ ଏଠାରୁ କୋଟି କୋଟି ଟଙ୍କା ଆୟ କରୁଛନ୍ତି। କିନ୍ତୁ ସ୍ଥାନୀୟ ଅଞ୍ଚଳ ଓ ଲୋକମାନଙ୍କର ସ୍ଥିତି ଅପରିବର୍ତ୍ତିତ ରହିଛି। ହୁଏତ କ୍ରମଶଃ ଆହୁରି ଖରାପ ହୋଇ ଚାଲିଛି। ଜିଲ୍ଲା ଖଣିଜ ପାଣ୍ଠି ବା ଡିଏମ୍‌ଏଫ୍‌ ଦ୍ବାରା ସ୍ଥାନୀୟ ଅଧିବାସୀଙ୍କର ସର୍ବାଙ୍ଗୀନ ବିକାଶ କରା ଯାଉଛି ବୋଲି ପ୍ରଚାର କରା ଯାଉଥିବାବେଳେ କାଶୀରା ପଞ୍ଚାୟତ ସେଗାସାହି ଗ‌ାଁର ଜଣେ ଭିନ୍ନକ୍ଷମ ବୃଦ୍ଧା ରାସନ ଓ ଭତ୍ତା ନପାଇ ଅର୍ଦ୍ଧାହାରରେ ଜୀବନ କାଟୁଥିବାର ଖବର କିଛିଦିନ ତଳେ ପ୍ରକାଶିତ ହୋଇ ‌ପ୍ରବଳ ଚର୍ଚ୍ଚିତ ହୋଇଥଲା। ପ୍ରଶାସନ ପ୍ରଥମେ ତାହାକୁ ସ୍ବୀକାର କରି ନଥିବାବେଳେ ପରେ ତ୍ରୁଟି ସ୍ବୀକାର କରି ତାଙ୍କୁ ସହାୟତା ପ୍ରଦାନ କରିଥିଲା।

କିନ୍ତୁ ଦୁଃଖର ବିଷୟ ହେଉଛି, ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସନ୍ତୁଷ୍ଟ କରିବାଲାଗି ବ୍ଲକ୍‌ ପ୍ରଶାସନ ସିନା ବାଧ୍ୟହୋଇ ସେହି ବୃଦ୍ଧାଙ୍କ ପାଖରେ ପହଞ୍ଚିଥିଲା, କିନ୍ତୁ ତାହା ସେତିକିରେ ହିଁ ସୀମିତ ରହିଗଲା। ଏବେ ମଧ୍ୟ ବ୍ଲକ୍‌ର ବିଭିନ୍ନ ପ୍ରାନ୍ତରେ ଆଧାର ଲିଙ୍କ୍‌ ଓ ସେହିଭଳି କିଛି କାରଣ ପାଇଁ ଶହ ଶହ ଗରିବ ଓ ନିରକ୍ଷର ବୁଢ଼ା ବୁଢ଼ୀ ରାସନ ବା ଭତ୍ତା ଆଦି କୌଣସି ସରକାରୀ ଅନୁଦାନ ନପାଇ ପ୍ରତିଦିନ ଭୋକରେ ଶୋଉଛନ୍ତି। ଗଣମାଧ୍ୟମ ବାରମ୍ବାର ସେ ପ୍ରସଙ୍ଗକୁ ଲୋକଲୋଚନକୁ ଆଣୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କୌଣସି ନିଷ୍ଠା ଦେଖାଉନାହିଁ।

କୋଇଡା ବ୍ଲକ ପାଟମୁଣ୍ଡା ପଞ୍ଚାୟତର ପାନପୋଷିଆ ଗାଁ। ଝାଟିମାଟିର ଭଙ୍ଗା ଘର ବାରଣ୍ଡାରେ ଜୀବନ ବିତାଉଥିବା ଭିନ୍ନକ୍ଷମ ବୃଦ୍ଧା ଶନିବାରୀ ମୁଣ୍ଡାଙ୍କୁ ଭେଟନ୍ତୁ!

ବ୍ଲକ ହେଡକ୍ବାର୍ଟର୍ସରୁ ପ୍ରାୟ ୧୦ କିମି ଦୂରରେ ପାଟୁଳି ପାନପୋଷିଆ। ଗାଁ ମଝିରେ ଭିନ୍ନକ୍ଷମ ବୃଦ୍ଧା ଶନିବାରୀ ମୁଣ୍ଡାଙ୍କ ଝାଟିମାଟି ଭଙ୍ଗା ମାଟିଘର। ଘରେ ପୁଅ ବିନୋଦ ମୁଣ୍ଡାଙ୍କ ସହ ବୋହୂ ଓ ଚାରି ନାତି ନାତୁଣୀ। ବିନୋଦ ଦିନ ମଜୁରିଆ। କାମ ମିଳିଲେ କରନ୍ତି, ନହେଲେ ଘରେ। ପରିବାରରେ ୭ ସଦସ୍ୟ, ହେଲେ ବିନୋଦଙ୍କ ରାସନ କାର୍ଡ ଅନୁଯାୟୀ ମାତ୍ର ୪ ଜଣଙ୍କ ନାମରେ ଚାଉଳ ମିଳୁଛି। ସେତିକି ସରିଯାଏ ମାସ ସରିବାର ଢ଼େର୍‌ ଆଗରୁ। ଛୋଟ ଝାଟିମାଟି ଭଙ୍ଗା ଘର ହୋଇଥିବାରୁ ଏ ବୟସରେ ବି ବୃଦ୍ଧା ଶନିବାରୀ ଦିନ ରାତି, ଖରା ବର୍ଷା, ଶୀତ କାକରରେ ଘର ବାରଣ୍ଡାରେ ପଡ଼ି ରହନ୍ତି। ଅନେକ ସ୍ବଚ୍ଛଳ ଲୋକ ସରକାରୀ ଆବାସ ଯୋଜନାରେ ପକ୍କାଘର ପାଉଥିବାବେଳେ ସବୁ ଯୋଗ୍ୟତା ଥାଇ ମଧ୍ୟ ଏ ପରିବାରକୁ ସେ ସୌଭାଗ୍ୟ ଜୁଟିନାହିଁ। ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଉଛି, ୬ ବର୍ଷ ପୂର୍ବେ ଶନିବାରୀଙ୍କୁ ଉଭୟ ରାସନ ଓ ଭତ୍ତା ମିଳୁଥିଲା। କିନ୍ତୁ ୬ ବର୍ଷତଳେ ରାସନ ବନ୍ଦ ହୋଇଗଲା, ୩ ବର୍ଷ ତଳେ ଭତ୍ତା, ଯଦିଓ ବର୍ତ୍ତମାନ ସେସବୁ ତାଙ୍କର ନିହାତି ଲୋଡ଼ା। ଆମ ପ୍ରତିନିଧି ଯେତେବେଳେ ତାଙ୍କ ଘରେ ପହଞ୍ଚିଥିଲେ, ପୁଅ, ବୋହୂ ଓ ନାତି ନାତୁଣୀ ଜଙ୍ଗଲକୁ ଯାଇଥିବାରୁ ବୃଦ୍ଧା ଜଣକ ଘର ବାହାରେ ଭୋକ ବିକଳରେ ଏକୁଟିଆ ପଡି ରହିଥିଲେ। ପ୍ରତିନିଧି ନିକଟସ୍ଥ ଦୋକାନରୁ କିଛି ଖାଦ୍ୟ ସାମଗ୍ରୀ ଆଣି ତାଙ୍କୁ ଖୁଆଇଥିଲେ। ପରଦିନ ଯିବାବେଳକୁ ବୃଦ୍ଧା ବାରଣ୍ଡାରେ ଶୋଇ ରହିଥିଲେ ଓ ଘରର ଛୋଟ ପିଲାମାନେ ସକାଳୁ ଜଳଖିଆରେ ଖାଇବାକୁ କିଛି ନପାଇ ବହୁ ଦିନରୁ ରହିଥିବା ହାଣ୍ଡିଆ ପିଉଥିଲେ। ଉଲ୍ଲେଖନୀୟ ସେ ସେ ଗାଁର ଆହୁରି ଅନେକ ବୃଦ୍ଧ ବୃଦ୍ଧା ପହଞ୍ଚି ଅଭିଯୋଗ କରିଥିଲେ ଯେ ସେମାନେ ବି ସବୁ ପ୍ରକାର ସରକାରୀ ସହାୟତାରୁ ବଞ୍ଚିତ।

କାଲି କ’ଣ ହେବ? ଏ ଖବର ପ୍ରକାଶିତ ହେବାପରେ ହୁଏତ ଦୟାପରବେଶ ହୋଇ ବା ଉପର ମହଲର ଚାପରେ ସ୍ଥାନୀୟ ପ୍ରଶାସନର ସରକାରୀ ବାବୁ ଏଇ ବୃଦ୍ଧାଙ୍କ ପାଖରେ ପହଞ୍ଚିବେ। ସାହାଯ୍ୟ କରିବେ ଓ ସରକାରୀ ଅନୁଦାନ ପାଇବାରେ ଥିବା ସମସ୍ୟା କଥା ବୁଝି ତାଙ୍କର କାଗଜପତ୍ର ଠିକ୍ କରିଦେବେ। ହୁଏତ। କିନ୍ତୁ ଜିଲ୍ଲାର ଆହୁରି ଅସଂଖ୍ୟ ଗାଁରେ ସେମିତି ଆହୁରି ଶହ ଶହ ବୁଢ଼ା ବୁଢ଼ୀ ରହିଯିବେ। ତ୍ରୁଟି ଲୁଚାଇବା ପାଇଁ ନୁହେଁ, ସରକାରୀ ବାବୁମାନଙ୍କ ପାଖରେ ଲୋକଙ୍କ ପାଇଁ କାମ କରିବାର ନିଷ୍ଠା ସୃଷ୍ଟି ନହେବାଯାଏ ଏ ସ୍ଥିତି ବଦଳିବ ନାହିଁ।

ସମ୍ବନ୍ଧିତ ଖବର