ପୁଣି ଜୀବନ ନେଲା ମୁକୁଳା ଡ୍ରେନ୍‌ : ରାଜଧାନୀରେ ଭାସିଗଲେ ବୃଦ୍ଧା

ଶବ ରଖି ରାସ୍ତା ଅବରୋଧ, ଉତ୍ତେଜନା, ପୁଲିସ ସହ ଧସ୍ତାଧସ୍ତି, ୫ ବର୍ଷରେ ଗଲାଣି ପାଞ୍ଚ ଜୀବନ

ଭୁବନେଶ୍ବର : ସ୍ମାର୍ଟ ସିଟି ରାଜଧାନୀ ଭୁବନେଶ୍ବର। ଭିତ୍ତିଭୂମିର ବିକାଶ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ପଶ୍ଚିମ ଦେଶର ଅତ୍ୟାଧୁନିକ ସହର ଭଳି ବିକାଶ ହେଉଛି ବୋଲି ଡିଣ୍ଡିମ ପିଟା ଚାଲିଛି। ହେଲେ ବାସ୍ତବ ସ୍ଥିତି ହେଲା, ରାଜଧାନୀର ସବୁ ଡ୍ରେନ୍ ଉପରେ ସ୍ଲାବ୍ ଖଣ୍ଡେ ପଡ଼ି ପାରୁନାହିଁ। ଯାହା ଫଳରେ ଅସରାଏ ବର୍ଷାରେ ମୁକୁଳା ଡ୍ରେନ୍‌ରେ ଭାସି ଯାଇ ଆଜି ଆଉ ଏକ ଜୀବନ ଅକାଳ‌ରେ ଚାଲି ଯାଇଛି। ଡ୍ରେନ୍‌ ପାଣିରେ ଭାସି ଯାଇ ଆଜି ସଂଧ୍ୟାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି।

ନୂଆପଲ୍ଲୀ ଥାନା ଅଧୀନ ସାଲିଆସାହି ଏକାମ୍ରଭିଲ୍ଲା ଛକରେ ଘଟିଛି ଏଭଳି ଅଘଟଣ। ମୃତ ବୃଦ୍ଧାଜଣଙ୍କ ହେଲେ, ଆନ୍ଧ୍ରପ୍ରଦେଶ ମଣ୍ଡରେଶ୍ବରର ପି. ଅପଲାମା(୬୦)। ଏଠାରେ ସେ ସପରିବାର ସାଲିଆସାହି ଆଦିବାସୀ ଗାଁରେ ରହୁଥିଲେ। ଭାସି ଯାଇ ପ୍ରାଣ ହରାଇଥିବା ଖବର ପାଇ ପରିବାର ଲୋକ ଅପଲାମାଙ୍କ ଶବକୁ ଡ୍ରେନ୍‌ ଭିତରୁ ଉଦ୍ଧାର କରିଛନ୍ତି। ତେବେ ବୃଦ୍ଧାଙ୍କ ଏଭଳି ମୃତ୍ୟୁକୁ ସ୍ଥାନୀୟ ଲୋକ ଓ ପରିବାରବର୍ଗ ସହଜରେ ଗ୍ରହଣ କରିପାରିନାହାନ୍ତି।

ବିଏମ୍‌ସିର ଅବହେଳା କାରଣରୁ ଏହି ଅଘଟଣ ଘଟିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ଅପଲାମାଙ୍କ ମୃତଦେହକୁ ନୂଆପଲ୍ଲୀ ଭିଆଇପି ରାସ୍ତାରେ ରଖି ଅବରୋଧ କରିଥିଲେ। ଉତ୍ତେଜନା କ୍ରମଶଃ ବଢ଼ୁଥିବାରୁ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ପୁଲିସକୁ ଦେଖି ସ୍ଥାନୀୟ ଲୋକ ଉତ୍‌କ୍ଷିପ୍ତ ହେବା ସହ ଧସ୍ତାଧସ୍ତି କରିଥିଲେ। ଶେଷରେ ମୃତକଙ୍କ ପରିବାରକୁ ଏକଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏ ନେଇ ନୂଆପଲ୍ଲୀ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଆସନ୍ତାକାଲି ମୃତଦେହର ବ୍ୟବଚ୍ଛେଦ କ୍ୟାପିଟାଲ ହସ୍ପିଟାଲରେ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

କୌଣସି ପରିସ୍ଥିତିରେ ଡ୍ରେନ୍‌ ମୁକୁଳା ରହିପାରିବ ନାହିଁ। ସମସ୍ତ ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଇବା ବାଧ୍ୟତାମୂଳକ। କିନ୍ତୁ ରାଜଧାନୀରେ ସୁପ୍ରିମକୋର୍ଟଙ୍କ ଏହି ଗାଇଡ୍‌ଲାଇନକୁ ବିଏମ୍‌ସି ଖୋଲାଖୋଲି ଉଲ୍ଲଙ୍ଘନ କରିଚାଲିଛି। ସ୍ମାର୍ଟ ସିଟିରେ ବାରମ୍ବାର ଏଭଳି ଘଟଣା ଘଟିବା ପ୍ରଶାସନର ପାରିବାପଣିଆକୁ ପୁଣିଥରେ ପଦାରେ ପକାଇଛି। ଜଳଜଳ ହୋଇ ଦିଶୁଛି, ବିଏମସି ଓ ପ୍ରଶାସନର ଅବହେଳା। ଗତ ମାର୍ଚ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏମସିକୁ ଏକ ହଜାର କୋଟି ପ୍ରଦାନ କରିଥିଲେ ଡ୍ରେନେଜ୍‌ ସମସ୍ୟା ସମାଧାନ କରିବାକୁ। ସମସ୍ୟାର ସମାଧାନ ହେବ କ’ଣ, ମୁକୁଳା ଡ୍ରେନ୍ ଯୋଗୁଁ ଆଜି ଏଭଳି ଅଘଟଣ ଦେଖିବାକୁ ମିଳିଲା ରାଜଧାନୀବାସୀଙ୍କୁ।

ମିଳିଥିବା ସୂଚନା ମୁତାବକ, ସଂଧ୍ୟାରେ ଅପଲାମା ଏକାମ୍ର ଭିଲ୍ଲା ଛକରେ ଥିବା କଣ୍ଟ୍ରୋଲ ଦୋକାନକୁ ଆସିଥିଲେ। ଏହି ସମୟରେ ମୂଷଳାଧାର ବର୍ଷା ହେଉଥିଲା। ଏକାମ୍ର ଛକରେ ଥିବା ମୁକୁଳା ଡ୍ରେନ୍‌ ସଂପୂର୍ଣ୍ଣ ବର୍ଷା ଜଳରେ ମିଶି ଯାଇଥିଲା। ଡ୍ରେନ୍ ଥିବା ଜାଣି ନପାରି ଅପଲାମା ସେଥିରେ ଗଳି ପଡ଼ିଥିଲେ। ଆଉ ପା‌ଣି ସୁଅରେ ଭାସି ଯାଇଥିଲେ। ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ଅପଲାମାଙ୍କ ପରିବାରଲୋକ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ। ଏହାପରେ ନୂଆପଲ୍ଲୀ ଥାନା ପୁଲିସକୁ ମଧ୍ୟ ଖବର ଦିଆଯାଇଥିଲା। ପୁଲିସ ଓ ବସ୍ତିବାସିନ୍ଦା ମିଳିତ ଭାବେ ଡ୍ରେନ୍‌ରେ ଖୋଜାଖୋଜି କରିଥିଲେ। କିଛି ଦୂରରେ ଡ୍ରେନ୍‌ ଭିତରେ ତାଙ୍କ ମୃତଦେହକୁ ଠାବ କରା ଯାଇଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏଠାରେ ଥିବା ମୁକୁଳା ଡ୍ରେନ୍‌କୁ ବନ୍ଦ କରିବାକୁ ଲୋକେ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ। କିନ୍ତୁ ବିଏମ୍‌ସି ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆ ନଯିବାରୁ ଏଭଳି ଅଘଟଣ ଘଟିଲା ବୋଲି ଅଭିଯୋଗ କରିଥିଲେ।

ଅପରପକ୍ଷେ ପୁଲିସ କମିସନର୍‌ ସତ୍ୟଜିତ୍‌ ମହାନ୍ତି, ଡିସିପି ଅନୁପ ସାହୁ ଓ ଉତ୍ତର ବିଧାୟକ ସୁଶାନ୍ତ ରାଉତ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ମୃତକଙ୍କ ପରିବାରକୁ ଏକଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ବିଧାୟକ ଶ୍ରୀ ରାଉତ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପୁଲିସ ଅପଲମାଙ୍କ ଶବକୁ ଜବତ କରି କ୍ୟାପଟାଲ ହସ୍ପିଟାଲ ପଠାଇ ଦେଇଥିଲା।

ଆଜିର ଘଟଣାକୁ ମିଶାଇଲେ ମୁକୁଳା ଡ୍ରେନ୍‌ରେ ପଡ଼ି ଗତ ୫ ବର୍ଷରେ ରାଜଧାନୀରେ ୫ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ପ୍ରତ୍ୟେକ ବର୍ଷ ଏଭଳି ଘଟଣା ଘଟି ଚାଲିଛି। କିନ୍ତୁ ବିଏମସି କିମ୍ବା ପ୍ରଶାସନର ନିଦ ଭାଙ୍ଗୁ ନାହିଁ।

ସମ୍ବନ୍ଧିତ ଖବର