ମାର୍ଚ୍ଚ ସରିଲା, ଋଷିକୁଲ୍ୟା ବେଳାଭୂମିରେ ହେଲାନି ଅଲିଭ ରିଡ଼୍‌ଲେଙ୍କ ଗଣ ଅଣ୍ଡାଦାନ 

ମାର୍ଚ୍ଚ ୩୦ ତାରିଖ ରାତିରେ ଅଣ୍ଡା ଦେଇଛନ୍ତି ୧୪୬ କଇଁଛ

ବ୍ରହ୍ମପୁର: ଗହୀରମଥାରେ ଅଲିଭ୍‌ ରିଡ଼୍‌ଲେଙ୍କ ଗଣ ଅଣ୍ଡାଦାନ ସରିଲାଣି। ହେଲେ ମାର୍ଚ୍ଚ ମାସ ସରିଥିଲେ ମଧ୍ୟ ଋଷିକୁଲ୍ୟା ବେଳାଭୂମିରେ ଏଯାବତ୍‌ ଅଲିଭ ରିଡ଼୍‌ଲେଙ୍କ ଗଣ ଅଣ୍ଡାଦାନ ଆରମ୍ଭ ହୋଇନାହିଁ। ଗତବର୍ଷ ବହୁ ବିଳମ୍ବରେ ଅର୍ଥାତ୍ ମାର୍ଚ୍ଚ ୨୩ରେ ଗଣ ଅଣ୍ଡାଦାନ ହୋଇଥିଲା। ଚଳିତବର୍ଷ ଅଲିଭ୍‌ ରିଡ଼୍‌ଲେଙ୍କ ଗଣ ଅଣ୍ତାଦାନ ପ୍ରକ୍ରିୟା ଆହୁରି ବିଳମ୍ବିତ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି।
ସମୁଦ୍ରରେ କଇଁଛଙ୍କ ମିଳନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଲକ୍ଷ ଲକ୍ଷ କଇଁଛ ବେଳାଭୂମି ମୁହାଁ ହୋଇ ରହିଛନ୍ତି। ଗତ ଦୁଇ ଦିନ ହେଲା ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସାଙ୍ଗକୁ ଉତ୍ତରା ପବନ ବହୁଛି। ମାର୍ଚ୍ଚ ୩୦ ତାରିଖ ରାତିରେ ଋଷିକୁଲ୍ୟା ସଂଲଗ୍ନ ବେଳାଭୂମିରେ ୧୪୬ଟି ଅଲିଭ ରିଡ଼୍‌ଲେ ଅଣ୍ଡା ଦେଇଛନ୍ତି। ପୂର୍ବରୁ ଏପ୍ରିଲ ସମୂହ ଅଣ୍ଡାଦାନ ହେବାର ନଜିର ବି ରହିଛି। ପାଗ ଅନୁକୂଳ ଥିବାରୁ  ଖୁବ୍‌ ଶୀଘ୍ର ଅଲିଭ ରିଡ଼୍‌ଲେଙ୍କ ଗଣ ଅଣ୍ଡାଦାନ ହୋଇପାରେ ବୋଲି କୁହାଯାଉଛି।
ରାଜ୍ୟର ଋଷିକୁଲ୍ୟା ମୁହାଣ ସଂଲଗ୍ନ ବେଳାଭୂମି ଅଲିଭ ରିଡ଼୍‌ଲେ କଇଁଛଙ୍କ ଗଣ ଅଣ୍ଡାଦାନ ଲାଗି ପ୍ରଥମ ପ୍ରସନ୍ଦ ପାଲଟିଛି। ଗଞ୍ଜାମ ଉପକୂଳ ପ୍ରୟାଗୀ ଠାରୁ ସୋନ୍‌ପୁର ପର୍ଯ୍ୟନ୍ତ ପ୍ରାୟ ୫୪ କିମି ରହିଥିବା ବେଳେ ଅଲିଭ୍ ରିଡ଼୍‌ଲେ କଇଁଛ ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ଉପକୂଳରେ ଗଣ ଅଣ୍ତାଦାନ କରିଥାନ୍ତି। ବାହୁଦା ମୁହାଣ ଉପକୂଳରେ ମଧ୍ୟ କିଛି କଇଁଛ ଗଣ ଅଣ୍ଡାଦାନ କରିଥାନ୍ତି।  ପୁରୁଣାବନ୍ଧ ଠାରୁ ବଟେଶ୍ବର ପର୍ଯ୍ୟନ୍ତ ପ୍ରାୟ ୬ କିମି ବେଳାଭୂମିରେ ବି ଗଣ ଅଣ୍ତାଦାନ ହେଉଛି। ଚଳିତ ବର୍ଷ ଅଲିଭ ରିଡ଼୍‌ଲେଙ୍କ ଅଣ୍ତାଦାନ ପାଇଁ ବ୍ରହ୍ମପୁର ବନମଣ୍ତଳ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବେଳାଭୂମିକୁ ସଫା କରାଯାଇଥିବା ବେଳେ ଅଣ୍ତାଦାନକୁ ସୁରକ୍ଷିତ କରିବା ଲାଗି ବେଳାଭୂମିରେ ଜାଲର ବାଡ଼ ଦିଆଯାଇଛି। ସମୁଦ୍ରରେ ଅଲିଭ ରିଡ଼୍‌ଲେଙ୍କ ସଙ୍ଗମ୍‌ ଶେଷ ହୋଇଥିବା ବେଳେ ଏବେ ବେଳାଭୂମି ମୁହାଁ ହୋଇ ସମୁଦ୍ର କୂଳ ଠାରୁ ୧କିମି ଦୂରରେ ଭାସମାନ ଅବସ୍ଥାରେ ରହିଛନ୍ତି।
କିନ୍ତୁ ମାର୍ଚ୍ଚ ସରି ଏପ୍ରିଲ ଆରମ୍ଭ ହୋଇଥିଲେ ଅଲିଭ ରିଡ଼୍‌ଲେଙ୍କ ଗଣ ଅଣ୍ଡାଦାନ ଆରମ୍ଭ ହୋଇନାହିଁ। ୨୦୧୯-୨୦ରେ ଋଷିକୁଲ୍ୟା ମୁହାଣ ସଂଲଗ୍ନ ବେଳାଭୂମିରେ ଗଣ ଅଣ୍ଡାଦାନ ହୋଇ ନଥିଲା। ଗତ ବର୍ଷ ମାର୍ଚ୍ଚ ୨୩ ତାରିଖରେ ଗଣ ଅଣ୍ଡାଦାନ ହୋଇଥିଲା। ପ୍ରଥମଥର ଲାଗି ହଜାର ହଜାର ସଂଖ୍ୟାରେ ଅଲିଭ୍‌ ରିଡ଼୍‌ଲେ ଦି‌ନରେ ଆସି ଗଣ ଅଣ୍ଡାଦାନ କରିଥିଲେ।  ଗତ ବର୍ଷ ୩ ଲକ୍ଷ ୨୭ହଜାର ଅଲିଭ୍‌ ରିଡ଼୍‌ଲେ ଅଣ୍ଡା ଦେଇଥିଲେ। ଏପରିକି ଏପ୍ରିଲ ମାସରେ ବି ଗଣ ଅଣ୍ଡାଦାନ କରିବାର ନଜିର ରହିଛି।
୨୦୧୦-୧୧ ମସିହାରେ ଏପ୍ରିଲ ୩ ତାରିଖରୁ ୯ ତାରିଖ ମଧ୍ୟରେ ଗଣ ଅଣ୍ଡାଦାନ ହୋଇଥିଲା। ତେଣୁ ସବୁକିଛି ପାଗ ଉପରେ ନିର୍ଭର କରୁଛି ‌ବୋଲି ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଗଣ ଅଣ୍ଡାଦାନ ପୂର୍ବରୁ ଋଷିକୁଲ୍ୟା ଓ ବାହୁଦା ମୁହାଣ ସଂଲଗ୍ନ ବେଳାଭୂମିରେ ନଭେମ୍ବର ମାସ ଠାରୁ ଅଲିଭ୍‌ ରିଡ଼୍‌ଲେଙ୍କ ସ୍ପୋରାଡ଼ିକ ନେଷ୍ଟିଙ୍ଗ ( ସ୍ଥାନେ ସ୍ଥାନେ ଅଣ୍ଡାଦାନ) ହେଉଛି। ଗତ ୫ ମାସ ମଧ୍ୟରେ ସମୁଦାୟ ୨୦୮୬ଟି ଅଲିଭ ରିଡ଼୍‌ଲେ ଅଣ୍ଡା ଦେଇଛନ୍ତି। ମାର୍ଚ୍ଚ ୩୦ ତାରିଖ ରାତିରେ ୧୪୬ଟି ଅଲିଭ୍‌ ରିଡ଼୍‌ଲେ ଅଣ୍ଡା ଦେଇଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଅଣ୍ଡାଦାନ ପୂର୍ବରୁ ୩୮୫ ଅଲିଭ ରିଡ଼୍‌ଲେଙ୍କ ଜୀବନ ଯାଇଛି।
ସମ୍ବନ୍ଧିତ ଖବର