ପ୍ରତିକୂଳ ପାଗ ସତ୍ତ୍ବେ ଗଣ ଅଣ୍ଡାଦାନ କରିଲେ ଅଲିଭ୍ ରିଡଲେ କଇଁଛ

ବ୍ରହ୍ମପୁର: ପ୍ରତିକୂଳ ପାଗ ସତ୍ତ୍ବେ ଆଜି ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀର ମୁହାଣରେ ବହୁସଂଖ୍ୟକ ଅଲିଭ୍ ରିଡଲେ କଇଁଛ ଗଣ ଅଣ୍ଡାଦାନ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର୍ ୩ଟା ୧୦ ମିନିଟ୍ ସମୟରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀର ପୋଡମପେଟାରୁ ବଟେଶ୍ବର ଯାଏଁ ପ୍ରାୟ ୫ କିଲୋମିଟର ଯାଏଁ ସମୁଦ୍ର ବେଳାଭୂମିରେ ୨୦୪୬ଟି କଇଁଛ ଗଣ ଅଣ୍ଡାଦାନ କରିଛନ୍ତି।

ଗଞ୍ଜାମ ଜିଲ୍ଲାରେ ଗତ ତିନି ଦିନ ଧରି ପ୍ରବଳ ବର୍ଷା ହେଉଥିବା ହେତୁ ଗତବର୍ଷ ଭଳି ଏବର୍ଷ ବି ଅଲିଭ୍ ରିଡଲେ କଇଁଛ ଗଣ ଅଣ୍ଡାଦାନ କରିବେ ନାହିଁ ବୋଲି ଆଶଙ୍କା ଦେଖା ଦେଇଥିଲା। ହେଲେ ଆଜି ଭୋର୍ ସମୟରେ ୨୦୪୬ଟି କଇଁଛ   ଗଣ ଅଣ୍ଡାଦାନ କରିବା ପରେ ବନବିଭାଗ ଆଶ୍ବସ୍ତି ଲାଭ କରିଛି। ଆଗକୁ ପାଗ ଅନୁକୂଳ ରହିଲେ ଲକ୍ଷ ଲକ୍ଷ ଅଲିଭ୍ ରିଡଲେ କଇଁଛ ବେଳାଭୂମିରେ ଅଣ୍ଡାଦାନ କରିବେ ବୋଲି ଆଶା କରାଯାଉଛି। ଏହା ଏବେ ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର