ବ୍ରହ୍ମପୁର: ଶ୍ରୀଲଙ୍କା ଅତିଥି ଅଲିଭ୍‌ ରି‌ଡ୍‌ଲେ ଓଡ଼ିଶା ସମୁଦ୍ର ଉପକୂଳ ଠାରୁ ୧୦କିମି ଗଭୀର ସମୁଦ୍ରରେ ଅଛନ୍ତି। ସେମାନଙ୍କ ସଙ୍ଗମପର୍ବ ଚାଲିଛି। ଏଥିପାଇଁ ଆର୍ଯ୍ୟପଲ୍ଲୀ ଠାରୁ ପ୍ରୟାଗୀ ପ୍ରାୟ ୨୦ କିମି ପର୍ଯ୍ୟନ୍ତ ନୋ-ଫିସିଂ ଜୋନ୍‌ କଟକଣା କଡ଼ାକଡ଼ି କରାଯାଇଛି। ଟ୍ରଲର୍‌ ଯାତାୟାତ ଉପରେ ନିଷେଧାଦେଶ ଜାରି କରାଯାଇଛି। ବ୍ରହ୍ମପୁର ଡିଏଫ୍‌ଓ ସନ୍ନି ଖୋଖର୍‌ଙ୍କ ନେତୃତ୍ବରେ ବନବିଭାଗ ଟିମ୍‌ ସେହି ଇଲାକାରେ ପାଟ୍ରୋଲିଂ କରୁଛନ୍ତି। ନିୟମିତ ବ୍ୟବଧାନରେ ବେଳାଭୂମି ସଫେଇ କରାଯାଉଛି। ଆସନ୍ତା ଫେବ୍ରୁଆରି ଶେଷ ସପ୍ତାହ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରୁ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଗଣଅଣ୍ଡାଦାନର ୫୦ଦିନ ପରେ ଅଣ୍ଡା ଫୁଟି ଛୁଆ ବାହାରିଥାନ୍ତି। ଏହି ସମୟରେ ସେହି ଅଞ୍ଚଳକୁ ଜନସାଧାରଣଙ୍କ ଯାତାୟାତକୁ ମଧ୍ୟ ସମ୍ପୂର୍ଣ୍ଣ ବାରଣ କରା ଯାଇଥାଏ।

Advertisment

ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ନଦୀ ମୁହାଣ ସଂଲଗ୍ନ ବେଳାଭୂମି ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି। ଗଞ୍ଜାମ ଉପକୂଳ ପ୍ରାୟାଗୀ ଠାରୁ ସୋନପୁର ପର୍ଯ୍ୟନ୍ତ ପ୍ରାୟ ୫୮ କିମି ବେଳାଭୂମି ରହିଥିବା ବେଳେ ଅଲିଭ୍‌ ରିଡ୍‌ଲେ କଇଁଛ ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ଉପକୂଳରେ ଗଣଅଣ୍ଡାଦାନ କରିଥାନ୍ତି। ବିଶେଷଜ୍ଞଙ୍କ ମତ ଅନୁସାରେ ପ୍ରତିବର୍ଷ ଲକ୍ଷାଧିକ କଇଁଛ ଶ୍ରୀଲଙ୍କା ଉପକୂଳରୁ ଓଡ଼ିଶା ଉପକୂଳକୁ ଆସିଥାନ୍ତି। ଏଥିପାଇଁ ସେମାନଙ୍କୁ ପ୍ରାୟ ୨୭ଦିନ ସମୟ ଲାଗିଥାଏ।

ନଭେମ୍ବର ମାସରୁ ମେ ପ୍ରାୟ ୬ ମାସ ପର୍ଯ୍ୟନ୍ତ ଏମାନଙ୍କ ପ୍ରଜନନ ଋତୁ ବୋଲି ଧରାଯାଏ। ବାକି ୬ମାସ ସେମାନେ ଶ୍ରୀଲଙ୍କା ଉପକୂଳରେ ରହିଥାନ୍ତି। ନଭେମ୍ବରରୁ ଜାନୁଆରି ପର୍ଯ୍ୟନ୍ତ ଅଲିଭ୍‌ ରିଡ୍‌ଲେଙ୍କ ମିଳନ ହୋଇଥାଏ। ଫେବ୍ରୁଆରି ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ଗଣଅଣ୍ଡାଦାନ ହୋଇଥାଏ। ମକର ସଂକ୍ରାନ୍ତି ପରେ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ହୋଇଥାଏ। ଏହାପରେ ଥଣ୍ଡା କମିବା ସହିତ ଦକ୍ଷିଣା ପବନ ପ୍ରବାହିତ ହୋଇଥାଏ। ସଙ୍ଗମ ସରିବା ପରେ ଧୀରେ ଧୀରେ ମାଈ କଇଁଛ ସମୁଦ୍ର ଭିତରେ ବେଳାଭୂମି ଠାରୁ ପ୍ରାୟ ୨/୩ କିମି ମଧ୍ୟରେ ଭାସମାନ ଅବସ୍ଥାରେ ରହିଥାନ୍ତି।

ଅଣ୍ଡାଦାନ ପାଇଁ ଅଲିଭ୍‌ ରିଡ୍‌ଲେ ସେମାନଙ୍କ ଶରୀରର ତାପମାତ୍ରାକୁ ବୃଦ୍ଧି କରିଥାନ୍ତି। ଶରୀର ତାପମାତ୍ରା ବଢ଼ିବା ପରେ ସେମାନେ ବେଳାଭୂମି ଆଡ଼କୁ ଆସିଥାନ୍ତି। ଏହାପରେ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଗତବର୍ଷ (୨୦୨୨-୨୩) ଗଞ୍ଜାମ ବ୍ଲକ୍‌ର ପୋଡ଼ମପେଟାରୁ ବଟେଶ୍ବର ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ବାଲୁକାଶଯ୍ୟାରେ ସର୍ବକାଳୀନ ରେକର୍ଡ଼ ୬ଲକ୍ଷ ୩୭ହଜାର କଇଁଛ ଗଣଅଣ୍ଡାଦାନ କରିଥିଲେ। ବିଶେଷଜ୍ଞଙ୍କ କହିବା ଅନୁସାରେ ଗୋଟିଏ କଇଁଛ ୮୦ରୁ ୧୬୦ଟି ଅଣ୍ଡା ଦେଇଥାନ୍ତି। ଗୋଟିଏ ବସା(ନେଷ୍ଟ୍‌)ର ଆକାର ୧ ଫୁଟ୍‌ ଗୋଲେଇ ଓ ଦେଢ଼ ଫୁଟ୍‌ ଗଭୀର ହୋଇଥାଏ। ବିଶେଷ କରି ଶୁଖିଲା ବେଳାଭୂମିରେ କଇଁଛ ଅଣ୍ଡାଦାନ କରିଥାନ୍ତି ବୋଲି ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତିର ସମ୍ପାଦକ ରବୀନ୍ଦ୍ର ନାଥ ସାହୁ କହିଛନ୍ତି। କାରଣ ଶୁଖିଲା ବାଲି ଖୋଳିବାରେ ସହଜ ହୋଇଥାଏ ବୋଲି ସେ କହିଛନ୍ତି।